ଗାଜାରୁ ଆସିଥିଲା ଛାତିଥରା ଦୃଶ୍ୟ

Above Post Content

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ୍ ଯୁଦ୍ଧକୁ ସପ୍ତାହେ ପୂରିଲାଣି । ସପ୍ତାହକରେ  ହଜାର  ହଜାର ଲୋକଙ୍କ ମୃତ୍ୟୁ ହୋଇଗଲାଣି । ଗତ ଗୁରୁବାର ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ହମାସ୍ ଦାନବମାନେ ହତ୍ୟା କରି ପୋଡ଼ି ଦେଇଥିବା କଅଁଳା ପିଲାମାନଙ୍କର ବୀଭତ୍ସ ଫଟୋ ସେୟାର କରାଯାଇଥିଲା । ଏବେ ଇସ୍ରାଏଲ-ହମାସ୍ ଯୁଦ୍ଧ ମଧ୍ୟରେ ଆଉ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଶୁଣିଲେ ଆଖି ଓଦା ହୋଇଯିବ । ଶ୍ୱାସରୁଦ୍ଧ ହୋଇଯିବ । ଉଦ୍ଧାରକାରୀ ଟିମ୍ ସେହି ଭଗ୍ନସ୍ତୁପ ଭିତରୁ ଯେଉଁ ଦୃଶ୍ୟ ଦେଖିଲେ ସେମାନେ ନିଜ କୋହକୁ ସମ୍ଭାଳି ପାରିଲେନି । ଏହି ଧ୍ୱଂସ ସ୍ତୁପ ତଳୁ ସେମାନେ ଉଦ୍ଧାର କରିଥିଲେ ଏକମାସର ଶିଶୁକୁ । ଶିଶୁଟି ପାଖରେ ମରି ଶୋଇଛି ତାର ମା’ । ହେଲେ ଛୋଟ ଶିଶୁଟି ମୃତ ମା’ର ସ୍ତନ୍ୟରୁ କ୍ଷୀର ଖାଉଛି ।

ଉଦ୍ଧାର ସମୟରେ ମୃତ ମାଆଠାରୁ କ୍ଷୀର ପିଇ ଚାଲିଥିଲା ଶିଶୁ

After 2nd paragraph post ads
Middle post content

ଉଦ୍ଧାରକାରୀ ଟିମକୁ ପୁରା ତିନିଘଣ୍ଟା ଲାଗିଥିଲା ଏହି ଘର ଭିତରୁ ମା ଓ ଶିଶୁଙ୍କୁ ଉଦ୍ଧାର କରିବାକୁ । ଘର ଭୁଶୁଡିବା ସମୟରେ ବୋଧହୁଏ ମହିଳା ଜଣକ ଶିଶୁକୁ ସ୍ତନ୍ୟପାନ କରାଉଥିଲେ । ତେଣୁ ଶିଶୁଟି ସେମିତି କ୍ଷୀର ପିଇ ଚାଲିଥିଲା ମୃତା ମା’ଠାରୁ । ତେବେ ଶିଶୁଟି ଯେମିତି ବଞ୍ଚିି ଯାଇଛି ତାହା ଏକ ଚମତ୍କାର ଥିଲା ବୋଲି କହିଛନ୍ତି ଉଦ୍ଧାରକାରୀ ଟିମ । ଅହମଦ ନାମକ ଜଣେ ବ୍ୟକ୍ତି କହିଛନ୍ତି, ସେ ଘରକୁ ଫେରି ଦେଖିଲେ ତାଙ୍କର ତିନି ମହଲା ଘର ଭୁଶୁଡି ପଡିଛି । ଘର ଭିତରେ ତାଙ୍କର ଭଉଣୀ ଓ ଛୋଟ ଭଣଜା ଥିଲେ । ମୁଁ ମୋ ଭଉଣୀକୁ ଖୋଜିବାକୁ ଲାଗିଲି । ଉଦ୍ଧାରକାରୀ ଦଳଙ୍କ ସହିତ ମିଶି ଧ୍ୱଂସସ୍ତୂପ ତଳୁ ଭଉଣୀକୁ ମୃତଅବସ୍ଥାରେ ପାଇଲି । କିନ୍ତୁ ସେ ସମୟରେ ଆଉ ଯେଉଁ ଦୃଶ୍ୟ ଦେଖିଥିଲି ତାହା ମୁଁ ବଖାଣି ପାରିବି ନାହିଁ । କାରଣ ମୋର ଏକ ମାସର ଭଣଜା ଉକ୍ତ ଧ୍ୱଂସସ୍ତୂପ ତଳେ ପଡ଼ି ରହି ମୋ ମୃତଭଉଣୀକୁ ଜାବୁଡ଼ି ଧରି ତା ଠାରୁ କ୍ଷୀର ପିଉଥିଲା । ଆମେ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛୁ ।

ଦୁଃଖ ଆଉ ଯନ୍ତ୍ରଣା ମୃତ୍ୟୁଠାରୁ ବି ଭୟଙ୍କର

ଯୁଦ୍ଧର ପରିଣତି କେତେ ଭୟଙ୍କର ହୋଇପାରେ ତାହା ଇସ୍ରାଏଲ-ପାଲେଷ୍ଟାଇନର ମାଟି ଆଉ ଆକାଶ ହିଁ କହିବ । କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ଦୁଇ ଦେଶର ଆକ୍ରମଣରେ ବଳି ପଡୁଛନ୍ତି ସାଧାରଣ ଜନତା । ଶହଶହ ଲୋକଙ୍କ ଜୀବନ ଚାଲିଯାଉଛି । ହେଲେ ଯେଉଁମାନେ ରହି ଯାଉଛନ୍ତି ସେମାନଙ୍କର ଦୁଃଖ ଆଉ ଯନ୍ତ୍ରଣା ମୃତ୍ୟୁଠାରୁ ବି ଭୟଙ୍କର । ଗାଜାରେ ବିରାଟ ବିରାଟ ଘର ଭୁଶୁଡି ମାଟିରେ ମିଶି ଯାଇଛି । ତାଭିତରେ ରହି ଯାଇଛନ୍ତି ଅନେକ ଲୋକ । ଉଦ୍ଧାରକାରୀ ଟିମ ଏହି ଧ୍ୱଂସସ୍ତୁପ ମଧ୍ୟରୁ ମୃତ ଶରୀରକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ଏହି ଭଗ୍ନସ୍ତୁପ ମଧ୍ୟରୁ ଯେପରି ଦୃଶ୍ୟ ଦେଖିବାକୁ ମିଳୁଛି ତାହା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି । ଇସ୍ରାଏଲ ଆକ୍ରମଣରେ ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗାଜା ସହର ଯେମିତି ଶ୍ମଶାନରେ ପରିଣତ ହୋଇଛି । ଚାରିଆଡ କେବଳ ଧ୍ୱଂସସ୍ତୁପ ଏବଂ ଧୂଆଁମୟ ହୋଇଥିବା ଦେଖିବାକୁ ମିଳିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami