ବେଦମନ୍ତ୍ର, ସଂକୀର୍ତ୍ତନରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର

Above Post Content

ପୁରୀ: ଆସନ୍ତାକାଲି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେବ ଲୋକାର୍ପଣ । ଏଥିପାଇଁ ୧୦୮ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କ ବେଦମନ୍ତ୍ରରେ କମ୍ପୁଛି ଶ୍ରୀକ୍ଷେତ୍ର । ମନ୍ତ୍ରପାଠରେ ଆହୁତି ଦେଇ ଯଜ୍ଞ ନାରାୟଣଙ୍କୁ କରାଯାଇଛି ଆବାହନ । ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦପାଠୀଙ୍କ ଚାରି ବେଦପାଠ ସହ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଛି ଚାରିଦିଗ । ଜୟ ଜଗନ୍ନାଥ ଧ୍ୱନୀରେ ମୁଖରିତ ହୋଇଛି ଖଣ୍ଡମଣ୍ଡଳ । ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଆରମ୍ଭ ହୋଇଛି ତିନିଦିନିଆ ଭବ୍ୟ ମହାଯଜ୍ଞ । ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଆସି ମୁଖ୍ୟ ଯଜ୍ଞକୁଣ୍ଡରେ ସଂଯୋଗ ପରେ ଦିଆଯାଇଛି ଘୃତ ଆହୁତି ।

ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ

After 2nd paragraph post ads
Middle post content

ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଏହି ଭବ୍ୟ ଆୟୋଜନକୁ ଦେଖିବା ପାଇଁ ଦେଖାଦେଇଛି ଭକ୍ତଙ୍କ ଭିଡ଼ । ଲୋକାର୍ପଣ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପକୁ ପ୍ରଦକ୍ଷିଣ କରି ଅନୁଭବ କରୁଛନ୍ତି ଭକ୍ତ । ବଡ଼ଦାଣ୍ଡ ଓ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି । ଯଜ୍ଞ ହେବା ପୂର୍ବରୁ ଲୋକାର୍ପଣ ହେବାକୁ ଥିବା ଶିଳାକୁ ବ୍ରାହ୍ମଣମାନେ ପୂଜାର୍ଚ୍ଚନା କରି ଚାରିପାଖରେ ଅଭିମନ୍ତ୍ରିତ ଜଳ ସିଞ୍ଚନ କରିଥିଲେ । ପ୍ରଥମେ ଅଖଣ୍ଡ ଦୀପ ସ୍ଥାପନ ପରେ ପଞ୍ଚକର୍ମ ସହ ମହାଯଜ୍ଞ ପାଇଁ ଷୋହଳ ଶାସନର ୪୮ଜଣ ଆଚାର୍ଯ୍ୟଙ୍କୁ ବରଣ ବିଧି ସଂପନ୍ନ ହୋଇଥିଲା । ଯଜ୍ଞବେଦିରେ ମୁଖ୍ୟ ଯଜ୍ଞକୁଣ୍ଡ ସହ ଯଜ୍ଞବେଦିର ଚାରିଦିଗରେ ଚାରିଟି ଯଜ୍ଞକୁଣ୍ଡ ନିର୍ମିତ ହୋଇଥିଲା । ଗଜପତି ମହାରାଜାଙ୍କ ଦ୍ୱାରା ବରଣ ହୋଇଥିବା ବ୍ରାହ୍ମଣମାନେ ରୋଷଶାଳାରୁ ଅଗ୍ନି ଆଣି ମୁଖ୍ୟ ଯଜ୍ଞକୁଣ୍ଡ ସହ ଅନ୍ୟ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ କରିଥିଲେ ।

ଯୋଗ ଦେବେ ୯ ଶହରୁ ଅଧିକ ଅତିଥି

ପୌଷ ଶୁକ୍ଳ ସପ୍ତମୀ ତିଥିରେ ବୁଧବାର ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ପରିକ୍ରମା ପ୍ରକଳ୍ପ ଅପୂର୍ବ ଦିବ୍ୟ ଅନୁଭୂତି ପ୍ରଦାନ କରୁଛି । ସମଙ୍ଗ ପାର୍କିଂ, ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ୍ ସେଣ୍ଟର ଏବଂ ଶ୍ରୀମାର୍ଗ ପ୍ରସ୍ତୁତ ସରିଛି । କାର୍ଯ୍ୟକ୍ରମରେ ପ୍ରାୟ ୯ଶହ ଅତିଥି ଓ ସେବାୟତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅତିଥିମାନେ ପୁରୀରେ ପହଞ୍ଚିବାରେ ଲାଗିଛନ୍ତି । ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି । ସେହିପରି ଓବିସିସି ଅଧିକାରୀ ପ୍ରଭାତ କୁମାର ପାଣିଗ୍ରାହୀ କହିଛନ୍ତି, ଶ୍ରୀସେତୁଠାରୁ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ଓ ସେଠାରୁ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଯାତାୟାତ ପାଇଁ ବ୍ୟାଟେରିଚାଳିତ ବସ୍ ଏବଂ ଅଟୋ ଚଳାଚଳ ସୁବିଧା ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିସରରେ ସୁନ୍ଦର ବଗିଚା, ପ୍ରଶସ୍ତ ପ୍ରଦକ୍ଷିଣ ରାସ୍ତା, ଶୌଚାଳୟ, ପାନୀୟଜଳ ବ୍ୟବସ୍ଥା, ସୁନ୍ଦର କଳାକୃତି ପ୍ରଭୃତି ଭକ୍ତମାନଙ୍କୁ ଏକ ନୂଆ ଅନୁଭୂତି ଦେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami