ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଛି ଆନନ୍ଦବନ : ୧୫ ଦିନରେ ବୁଲିଲେଣି ୨୦ ହଜାର

Above Post Content

ଭୁବନେଶ୍ୱର: ଗତ ମାର୍ଚ୍ଚ ୧୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା ‘ଆନନ୍ଦବନ’ । ଏହି ଆନନ୍ଦବନକୁ ରାଜଧାନୀର ଲୋକେ ବେଶ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଗତ ୧୫ ଦିନର ହିସାବକୁ ଦେଖିଲେ, ଏଠାକୁ ୧୯,୭୮୦ ଲୋକ ବୁଲିବାକୁ ଆସିଛନ୍ତି । ୪୧୪ ଜଣ ଆନନ୍ଦବନ ବୁଲିବା ପାଇଁ ମାସିକିଆ ପାସ୍ କରିଥିବା ବେଳେ ୫୫ ଜଣ ୬ ମାସିଆ ପାସ୍ କରିଛନ୍ତି । ଆଉ ୧୨ ଜଣ ବର୍ଷିକିଆ ପାସ୍ କରିଛନ୍ତି । ଖୋଲିବାର ମାସେ ନପୂରୁଣୁ ଲୋକଙ୍କ ଏଭଳି ଆଗ୍ରହ ଉତ୍ସାହଜନକ ବୋଲି କୁହାଯାଉଛି ।

ସବୁଜିମାରେ ଭରି ରହିଛି ଆନନ୍ଦବନ

After 2nd paragraph post ads
Middle post content

କଳିଙ୍ଗନଗର କେ-୩ ସ୍ଥିତ ୯୦ ଏକର ଜମିରେ ପ୍ରସ୍ତୁତ ହୋଇଥିବା ଏହି ବନ ସବୁଜିମାରେ ଭରି ରହିଛି । ଏହା ଭିତରେ ଥିବା ଏକ କିଲୋମିଟର ଲମ୍ବ ଆକ୍ୟୁପ୍ରେସର ରାସ୍ତାରେ ଖାଲିପାଦରେ ଚାଲିବାପାଇଁ ଲୋକଙ୍କ ଭିଡ଼ ଜମୁଛି । ରାସ୍ତାର ଉଭୟ ପାର୍ଶ୍ୱରେ ଏକଶହରୁ ଅଧିକ ପ୍ରକାରର ଗୋଲାପ ଫୁଲ ଓ ଅନ୍ୟ ରଙ୍ଗବେରଙ୍ଗର ଫୁଲ ଲାଗିଛି । ଆଉ ଏହି ରାସ୍ତାରେ ଚାଲିବାର ମଜା ପୂରା ନିଆରା । ଏଠାରେ ଅନେକ ରିଲ୍ସ କରିବା ସହ ଫଟୋ ବି ଉଠାଉଛନ୍ତି । ଏହା ଭିତରେ ଥିବା ପୁଷ୍କରିଣୀ ଓ ଉଭୟ ଜଙ୍ଗଲକୁ ଯୋଡ଼ୁଥିବା ଫୁଟ୍ ଓଭରବ୍ରିଜ୍ ଆକର୍ଷଣର କେନ୍ଦ୍ର ପାଲଟିଛି । ପୋଖରୀରେ ଥିବା ହଂସ ଓ ଲାଇବ୍ରେରୀ ମଧ୍ୟ ରିଲ୍ସ ଭିଡ଼ିଓ ଓ ଫଟୋ ପାଇଁ ଖୋରାଖ ଯୋଗାଉଛି । ଏଠାରେ ଥିବା ହଂସଗୁଡ଼ିକ ପୋଷା ହୋଇଥିବାରୁ ସେମାନେ ଲୋକମାନଙ୍କ ପାଖେ ପାଖେ ରହୁଛନ୍ତି ।

ଫୁଟ୍ ଓଭରବିଜ୍ ଉପରୁ ଜଙ୍ଗଲର ଦୃଶ୍ୟ ବେଶ୍ ଆକର୍ଷଣୀୟ

ମୁଖ୍ୟରାସ୍ତାର ଉପରେ ଥିବା ଫୁଟ୍ ଓଭରବିଜ୍ ଉପରୁ ଜଙ୍ଗଲର ଦୃଶ୍ୟ ଅତ୍ୟନ୍ତ ମନୋରମ ଦିଶୁଥିବାରୁ ବ୍ରିଜ୍ ଉପରେ ଗହଳି ଲାଗି ରହୁଛି । ବୁଲାବୁଲି କରି ଫେରିବା ବେଳକୁ କାଫେଟେରିଆରେ ମାଣ୍ଡିଆ ଜାଉ, ମାଣ୍ଡିଆ ମଣ୍ଡା ଓ କାକରା ସହିତ କୋରାପୁଟ କଫି ପାଇଁ ମଧ୍ୟ ବେଶ୍ ଭିଡ଼ ଜମୁଛି । ଉଦ୍‌ଘାଟନ ପରେ ଆନନ୍ଦବନରେ ପ୍ରବେଶ ଶୁଳ୍କ ମୁଣ୍ଡପିଛା ୫ଟଙ୍କା ରଖାଯାଇଥିଲା । ଏହି ଦେୟ କେବଳ ଅନ୍‌ଲାଇନ୍‌ରେ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । କ୍ୟୁଆର୍ କୋଡ୍ ସ୍କାନ୍ କରିବାପରେ ଆନନ୍ଦବନ ୱେବ୍ ସାଇଟ୍‌କୁ ଯାଇ ଏହି ଦେୟ ଦାଖଲ କରିବାକୁ ହେଉଥିଲା । ଦେୟ ଦାଖଲ କରିବାର ଡିଜିଟାଲ୍ ରସିଦ ଦେଖାଇବା ପରେ ସୁରକ୍ଷାକର୍ମୀ ଭିତରକୁ ଛାଡ଼ୁଥିଲେ । ଏଥିପାଇଁ କିନ୍ତୁ ଭାରି ବିଳମ୍ବ ହେଉଥିଲା । ଏଣେ ମାସିକିଆ, ୬ ମାସିଆ ଓ ବର୍ଷିକିଆ ଗ୍ରାହକଙ୍କ ସଂଖ୍ୟ ମଧ୍ୟ ବଢ଼ିଥିଲା । ଏଭଳି କ୍ରମଶଃ ଭିଡ଼ ବଢ଼ିବାରୁ ପରିସ୍ଥିତି ଅଣାୟତ ହୋଇଥିଲା । ପର୍ଯ୍ୟଟକଙ୍କ ଧାଡ଼ି ମୁଖ୍ୟରାସ୍ତା ପର୍ଯ୍ୟନ୍ତ ବଢ଼ିଯାଉଥିଲା । ଅନେକ ଲୋକ ମୋବାଇଲ୍‌ରେ ଅନ୍‌ଲାଇନ୍ ପେମେଣ୍ଟ ବ୍ୟବସ୍ଥା ନ ଥିବାରୁ ସମସ୍ୟାରେ ପଡୁଥିଲେ । ଏଣୁ ବନ ବିଭାଗ ପକ୍ଷରୁ ଏବେ ନଗଦ ଟଙ୍କାରେ ଟିକେଟ ଦେବା ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟଯେ, ଆନନ୍ଦବନ ସକାଳ ୫.୩୦ରୁ ଦିନ ୧୧ ଓ ୩ରୁ ୫.୩୦ ଯାଏଁ ଖୋଲା ରହୁଛି । ଗୋଟିଏ ଦିନ ପାଇଁ ପ୍ରବେଶ ଶୁଳ୍କ ୫ଟଙ୍କା ରଖାଯାଇଥିବା ବେଳେ ମାସିକ ୧୦୦ ଟଙ୍କା, ୬ ମାସ ପାଇଁ ୫୦୦ ଓ ବର୍ଷକ ପାଇଁ ୧,୦୦୦ ଟଙ୍କା ଦେଇ ସଦସ୍ୟତା ନେବାର ମଧ୍ୟ ସୁଯୋଗ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami