ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି

Above Post Content

ଭୁବନେଶ୍ୱର: ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ନାହାନ୍ତି । ଗତକାଲି ରାତି ୩ଟା୨୫ରେ ତାଙ୍କର ପରଲୋକ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି । ସେ ଗତ ୩୧ ତାରିଖରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ।

ଲଗାତର ୫ ଥର ହୋଇଥିଲେ ବିଧାୟକ

After 2nd paragraph post ads
Middle post content

ସ୍ୱର୍ଗତ ମହେଶ୍ୱର ମହାନ୍ତି ୧୯୫୬ ମସିହା ଫେବ୍ରୁୟାରି ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଏମଏ ପାସ କରିବା ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଲଏଲବି ଅଧ୍ୟୟନ କରିଥିଲେ । ପେସାରେ ଆଇନଜୀବୀ ଥିଲେ ମହେଶ୍ୱର । ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲେ ।ରାଜ୍ୟର ଜଣେ ସଫଳ ରାଜନେତା ଭାବେ ସେ ପରିଗଣିତ ହେଉଥିଲେ । ୧୯୯୫ରୁ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମେ ଜନତା ଦଳରୁ ୧୯୯୫ରେ ସେ ବିଧାୟକ ହୋଇଥିଲେ । ୨୦୦୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଥିଲେ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ଅନେକ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ । ଏହି ସମୟରେ ସେ ପଞ୍ଚାୟତିରାଜ, ରାଜସ୍ୱ, ଆଇନ, ପର୍ଯ୍ୟଟନ, ଯୋଜନା ଓ ସଂଯୋଜନା ଭଳି ପ୍ରମୁଖ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ମହେଶ୍ୱର । ଏହା ପୂର୍ବରୁ ସେ ପୁରୀର ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।
୧୯୮୫ ମସିହାରେ ମହେଶ୍ୱର ମହାନ୍ତି ପୁରୀ ପୌର ନିର୍ବାଚନରେ ଭାଗ ନେଇ ରାଜନୈତିକ କ୍ୟାରିୟରରେ ପ୍ରଥମ ସଫଳତା ହାସଲ କରିଥିଲେ । ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ସେ ପୁରୀର ପୌରାଧ୍ୟକ୍ଷ ଥିଲେ । ଏହାପରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ପୌରାଧ୍ୟକ୍ଷ ପଦ ପାଇଁ ୧୯୯୨ ମସିହାରେ ହୋଇଥିବା ସିଧାସଳଖ ନିର୍ବାଚନରେ ସେ ଜନତା ଦଳ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ପୁରୀ ସହରର ବିକାଶ ତଥା ଜନତାଙ୍କ ସେବା କରିବାର ଇଚ୍ଛା ତାଙ୍କୁ ରାଜନୀତିକୁ ଟାଣି ଆଣିଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ବାର୍ତ୍ତା ରେ ସେ କହିଛନ୍ତି ଯେ, ମହେଶ୍ୱର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ । ଜଣେ ଦକ୍ଷ ସଂଗଠକ ଭାବରେ ତାଙ୍କର ସୁନାମ ଥିଲା । ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ । ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି । ତାଙ୍କ ବିୟୋଗ ଓଡିଶା ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମ ବେଦନା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami