ଦୁଇ ମୁଖ୍ୟମନ୍ତ୍ରୀଙ୍କ ପରିବାରରୁ କାହାକୁ ମିଳିଲାନି ଟିକେଟ

Above Post Content

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ତାର ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିସାରିଛି । ପ୍ରଥମ ପର୍ଯ୍ୟାୟରେ ୮ ଟି ଲୋକସଭା ଓ ୪୭ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି । ଦଳ ପକ୍ଷରୁ ଏହି ପ୍ରାର୍ଥୀ ଘୋଷଣା ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତିଙ୍କୁ ଟିକେଟ ମିଳିଛି । ହେଲେ କଂଗ୍ରେସ ଦଳରୁ ଅତୀତରେ ମୁଖ୍ୟମନ୍ତ୍ରୀ ହୋଇଥିବା ଦୁଇ ବରିଷ୍ଠ ନେତା କିମ୍ବା ତାଙ୍କ ପରିବାରରୁ କାହାରିକୁ ଟିକେଟ ନ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକୁ ନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ପରିବାରରୁ କଂଗ୍ରେସ ଟିକେଟ ବଣ୍ଟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଛି ।

ଟିକେଟ ନ ମିଳିବା ଆଘାତ ଦେଇଛି

After 2nd paragraph post ads
Middle post content

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରୀଧର ଗମାଙ୍ଗଙ୍କ ପରିବାର ସଦସ୍ୟ ଚଳିତ ଥର ଟିକେଟ ପାଇବାରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛନ୍ତି । ପରିବାରର କାହାକୁ ବି ଦଳ ଟିକେଟ ଦେଇ ନାହିଁ । ଗିରିଧର ଗମାଙ୍ଗଙ୍କ ପୁଅ ତଥା କଂଗ୍ରେସରୁ ଟିକେଟ ଆଶାୟୀ ଶିଶିର ଗମାଙ୍ଗ ଏହାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି । ଏପରିକି କଂଗ୍ରେସକୁ ହରାଇବା ନିମନ୍ତେ ଜାଣିଶୁଣି ଭିତିରିଆ ଡିଲ୍ ଚାଲିଥିବା ନେଇ ଶିଶିର ଗଣମାଧ୍ୟମ ଆଗରେ କହିଛନ୍ତି । ଶିଶିର ଗମାଙ୍ଗ କଂଗ୍ରେସର ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଶାୟୀ ଥିଲେ । ହେଲେ କଂଗ୍ରେସର ପ୍ରାର୍ଥୀ ତାଲିକାରେ ଏହି ଆସନରୁ ତାଙ୍କୁ ବାଦ ଦିଆଯାଇଛି । ପରିବାରରୁ କାହାକୁ ଟିକେଟ ନ ମିଳିବା ତାଙ୍କୁ ଶକ୍ତ ଆଘାତ ଦେଇଛି ବୋଲି ଶିଶିର କହିଛନ୍ତି । ଆମ ପରିବାରର କାହାକୁ ବି ଟିକେଟ ମିଳିନି । ମାତ୍ର ଭୁଜବଳ ମାଝିଙ୍କ ପରିବାର ୪ ଜଣଙ୍କୁ ଟିକେଟ ମିଳିଛି । ତାଙ୍କୁ ନବରଙ୍ଗପୁର ଲୋକସଭା ଆସନ ଟିକେଟ ଦିଆଯାଇଥିବା ବେଳେ ତାଙ୍କ ଝିଅ, ଶଳା, ପୁତୁରାଙ୍କୁ ମଧ୍ୟ ଦଳ ଟିକଟ ଦେଇଛି । ଏହାଦେଖି ଆମେ ଖୁବ୍ ଗଭୀର ଧକ୍କା ପାଇଛୁ । ଏନେଇ ହାଇକମାଣ୍ଡ ଓ ଦଳର ପୁରୁଖା ନେତାଙ୍କ ସହ ଆଲୋଚନା କରିବୁ ଓ ଏହାପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

ଦଳରେ ମହିଳାଙ୍କୁ କରାଯାଉଛି ଅଣଦେଖା

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳ ମଧ୍ୟ କଂଗ୍ରେସ ଟିକଟ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅମିତା କହିଛନ୍ତି, ପ୍ରାର୍ଥୀ ତାଲିକାର ସର୍ଟଲିଷ୍ଟରେ ତାଙ୍କ ନାଁ ରହିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ କାଟିଦିଆଗଲା କାହିଁକି ତାହା ଜଣାନାହିଁ । ଦଳରେ ମହିଳାଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଆସନ ପାଇଁ ଟିକଟ ଘୋଷଣା ହୋଇ ନାହିଁ । ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ହିଁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । କାହିରି ସୁପାରିସ କାମ କରିବ ନାହିଁ । ମିଥ୍ୟା ଅପପ୍ରଚାର ନ କରିବାକୁ ପିସିସି ସଭାପତି କହିଛନ୍ତି । ୩ ଟି ପର୍ଯ୍ୟାୟରେ ଯାଞ୍ଚ କରାଯାଇ ଟିକଟ ଚୟନ ହେଉଛି ବୋଲି ସେ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami