କତାରରେ ଫସିଥିବା ପୂର୍ବତନ ଭାରତୀୟ ନୌସେନାଙ୍କୁ ଆଶ୍ୱସ୍ତି, ମୃତ୍ୟୁଦଣ୍ଡ ସ୍ଥଗିତ

Above Post Content

ଗୁଇନ୍ଦାଗିରି ଅପରାଧରେ କତାରରେ ଫସିଥିବା ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ ଦିଆଯିବନି ଫାଶୀ । କତାର କୋର୍ଟ ଏମାନଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇ ଦେଇଛନ୍ତି । ଗତ ଅକ୍ଟୋବର ୨୬ରେ କତାରର ଏକ କୋର୍ଟ ଗୁପ୍ତଚର ଅଭିଯୋଗରେ ଏହି ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ । ତେବେ ଏହାକୁ ବିରୋଧ କରି ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ଭାରତ ସରକାର ଅପିଲ କରିଥିଲେ । ଏହା ଉପରେ ଆଜି ଶୁଣାଣି ହୋଇଛି । କୋର୍ଟ ଏବେ ଏମାନଙ୍କ ଫାଶୀ ଦଣ୍ଡାଦେଶ ସ୍ଥଗିତ ରଖିଛନ୍ତି ।

ନୌସେନା ଅଧିକାରୀମାନେ ମୁକ୍ତ ହେବେ ବୋଲି ପରିବାର ଲୋକଙ୍କ ଆଶା

After 2nd paragraph post ads
Middle post content

ପୂର୍ବତନ ନୌସେନା ଅଧିକାରୀମାନେ ନିଶ୍ଚିତ ଭାବରେ ମୁକ୍ତ ହେବେ ବୋଲି ସେମାନଙ୍କ ପରିବାରବର୍ଗ ଆଶା ରଖିଛନ୍ତି । ଏହି ୮ ଭାରତୀୟଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ଅଧିକାଂଶ କତାରର ରାଜଧାନୀ ଦୋହାରେ ଅଛନ୍ତି । ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗତ ୨୦୨୨ ଅଗଷ୍ଟ ମାସରେ ଭାରତୀୟ ନୌସେନାର ଏହି ୮ ପୂର୍ବତନ ଅଧିକାରୀଙ୍କୁ କତାରର ଗୁଇନ୍ଦା ସଂସ୍ଥା ଗିରଫ କରିଥିଲା । ସେମାନେ କତାରର ଏକ କଂପାନୀରେ କାମ କରୁଥିଲେ । ତେବେ ଗତ ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ଭାରତୀୟ ଦୂତାବାସକୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା । ପ୍ରାୟ ବର୍ଷେ ଧରି ଜେଲରେ ରଖିବା ପରେ ସେମାନଙ୍କୁ କତାରର ଏକ କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ ।

ସରକାରଙ୍କ ଅପିଲ ପରେ ମିଳିଲା ଆଶ୍ୱସ୍ତି

ଏହି ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀମାନେ ହେଲେ କ୍ୟାପଟେନ୍ ନବତେଜ ସିଂହ ଗିଲ୍‌, କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ୍ ସୌରଭ ବଶିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁଣାକାର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଓ ସେଲର ରାଗେଶ । ସେମାନେ ବାରମ୍ବାର ଜାମିନ ପାଇଁ ଆବେଦନ କରିଥିଲେ । ହେଲେ ସେ ସବୁ ଖାରଜ ହୋଇଯାଇଥିଲା । ଡିସେମ୍ବର ୧୮ ରେ କାତାର ଜାତୀୟ ଦିବସରେ କତାର ଅନେକ କଏଦୀଙ୍କ ଦଣ୍ଡକୁ କ୍ଷମା କରି ଦିଆଯାଇଥିଲା । ତେବେ ଏହି ୮ ଜଣ ଭାରତୀୟଙ୍କୁ ଉକ୍ତ ଦିନ କ୍ଷମା ମିଳିନାହିଁ । କାରଣ ସେମାନଙ୍କର ଶୁଣାଣି ୨୮ ଡିସେମ୍ବରରେ ହେବାର ଥିଲା । ଭାରତ କ୍ରମାଗତ ଭାବରେ କତାରକୁ କହି ଆସୁଛି ଯେ ଏହି ଭାରତୀୟମାନେ କୌଣସି ଭୁଲ କରିନାହାଁନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିବା ବେଳେ ସେମାନଙ୍କୁ ମୁକ୍ତ କରିବାକୁ ଯଥାସମ୍ଭବ ଚେଷ୍ଟା ଜାରି ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami