୬ ସଂସଦୀୟ କ୍ଷେତ୍ର ପାଇଁ ବିଜେଡିର ରଣନୀତି ଜୋରଦାର

Above Post Content

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେଡି ତା’ର ସାଂଗଠନିକ ରଣନୀତି ଜୋରଦାର କରିଛି । ପୂର୍ବରୁ ନବୀନ ନିବାସରେ ୧୧ଟି ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଥିଲା ବେଳେ ରବିବାର ଆଉ ୬ଟିର ସମୀକ୍ଷା କରାଯାଇଛି । ପଶ୍ଚିମ ଓଡ଼ିଶାର ଦୁଇ ସଂସଦୀୟ କ୍ଷେତ୍ର ସୁନ୍ଦରଗଡ଼ ଓ ସମ୍ବଲପୁର ସହ ଉପକୂଳ ଓଡ଼ିଶାର ଯାଜପୁର, ଜଗତସିଂହପୁର, କଟକ ଓ ଢେଙ୍କାନାଳ ଲୋକସଭା ଏବଂ ଏହା ଅଧୀନସ୍ଥ ୪୨ ବିଧାନସଭା ଆସନ ନିର୍ବାଚନମଣ୍ଡଳୀ ୱାରି ରଣନୀତି ପ୍ରସ୍ତୁତ କରାଯାଇଥିଲା । ଗତ ଲୋକସଭା ନିର୍ବାଚନର ସବୁ ତ୍ରୁଟିବିଚ୍ୟୁତିକୁ ଏଡ଼ାଇ ବିଜୟର ନୂଆ ରେକର୍ଡ଼ ସୃଷ୍ଟି ପାଇଁ ଦଳୀୟ ନେତାମାନଙ୍କୁ ନିର୍ବାଚନୀ ମନ୍ତ୍ର ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଦଳୀୟ ନେତାଙ୍କ ସହ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।

କଠିନ ପରିଶ୍ରମ କରିବାକୁ ଦଳୀୟ ନେତାମାନଙ୍କୁ ନିର୍ଦ୍ଦେଶ

After 2nd paragraph post ads
Middle post content

ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଆରମ୍ଭ ହୋଇଥିଲା ଏହି ସମୀକ୍ଷା ବୈଠକ । ଏହାପରେ ସୁନ୍ଦରଗଡ଼ ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଥିବା ବେଳେ ଅପରାହ୍ନରେ ଯାଜପୁର, ଜଗତସିଂହପୁର ଓ କଟକ ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଥିଲା । ବିଜେଡ଼ି ସୁପ୍ରିମୋ ଦଳୀୟ ପର୍ଯ୍ୟବେକ୍ଷକ ଓ ଅନ୍ୟ ନେତାମାନଙ୍କ ସହ ଜଣ ଜଣ କରି ପ୍ରତି ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ଗତ ନିର୍ବାଚନରେ ବିଜେଡି ପରାଜିତ ହୋଇଥିବା ସୁନ୍ଦରଗଡ଼ ଓ ସମ୍ବଲପୁର ଲୋକସଭା ଆସନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ଲୋକସଭା ଆସନ ବିଜୟ ପାଇଁ ଭିନ୍ନଭିନ୍ନ ରଣନୀତି ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷକରି ଯେଉଁ ଆସନରେ ବିଜେଡି ଗତ ନିର୍ବାଚନରେ ପରାଜିତ ହୋଇଥିଲା, ସେଠାରେ ବିଜୟ ପାଇଁ ଦଳୀୟ ନେତାମାନଙ୍କୁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟକ୍ରମ, ୫-ଟି ରୂପାନ୍ତରଣ, ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଉତ୍କର୍ଷର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ପରାମର୍ଶ

୫-ଟି ଅଧ୍ୟକ୍ଷ ପାଣ୍ଡିଆନ ଦଳୀୟ ନେତାମାନଙ୍କୁ ସମୃଦ୍ଧ ଓଡ଼ିଶା ଗଠନ ନିମନ୍ତେ ଆଗାମୀ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । ତେଣୁ ଏଥିପାଇଁ ଅବିରତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଆଗାମୀ ନିର୍ବାଚନରେ ବିଜେଡି କ୍ରମାଗତ ଭାବରେ ଷଷ୍ଠ ଥର ଓଡ଼ିଶାରେ ସରକାର ଗଠନ କରିବ । ଏକ ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ଯିବାଲାଗି ଦଳୀୟ ନେତୃବୃନ୍ଦଙ୍କୁ ସେ ପରାମର୍ଶ ଦେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami