ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା : ସାଢ଼େ ୩ରେ ରଥଟଣା

Above Post Content

ଭୁବନେଶ୍ୱର : ଆଜି ହେଉଛି ଅଶୋକାଷ୍ଟାମୀ । ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା । ପ୍ରଭୁ ଶ୍ରୀଲିଙ୍ଗରାଜ ରୁକୁଣା ରଥରେ ବସି ମାଉସୀ ମା’ ଛକସ୍ଥିତ ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବେ । ରଥାରୂଢ଼ ହେବେ ପ୍ରଭୁ ଲିଙ୍ଗରାଜ (ଚନ୍ଦ୍ରଶେଖର), ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ (ଦୋଳଗୋବିନ୍ଦ) । ସାରଥୀ ସାଜିବେ ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା । ପାଞ୍ଚଦିନ ପାଇଁ ପ୍ରଭୁ ରାମେଶ୍ୱର ମନ୍ଦିରରେ ଅବସ୍ଥାନ କରିବେ । ନିର୍ଦ୍ଧାରିତ ନୀତି ଅନୁଯାୟୀ ମନ୍ଦିର ଦ୍ୱାର ଖୋଲା, ମଙ୍ଗଳ ଆଳତି ଓ ଅବକାଶ ପରେ ସାହାଣ ମେଲା ଦର୍ଶନ କରାଯିବ । ଅପରାହ୍ନ ୩ଟା ଠାରୁ ସାଢ଼େ ୩ଟା ଭିତରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଟଣା ହେବ । ୧୨ଟାରେ ମଙ୍ଗଳ ଆଳତୀ, ୨ଟାରେ ଭୋଗ ଲାଗି ଓ ୩ଟାରୁ ସାଢ଼େ ୩ଟା ମଧ୍ୟରେ ରଥଟଣା ଆରମ୍ଭ ହେବ ।

୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

After 2nd paragraph post ads
Middle post content

ରଥଯାତ୍ରା ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରଥ ଦଉଡ଼ି ଟାଣିବା ବେଳେ ପୋଲିସ୍ ଘେର ରହିବ । ଖରାକୁ ଦୃଷ୍ଟିରେ ରଖି ପାଣି ସିଞ୍ଚନ ଏବଂ ଆମ୍ବୁଲାନ୍ସ , ଫାଷ୍ଟଏଡର ବ୍ୟବସ୍ଥା କରାଯାଇଛି । ଲୁଟେରାଙ୍କ ଉପରେ ନଜର ରଖିବେ ସାଧା ପୋଷାକଧାରୀ ପୋଲିସ୍ । ଏହି ଅବସରରେ ଆରମ୍ଭ ହେବ ଲିଙ୍ଗରାଜ ମହୋତ୍ସବ । ୬ ଦିନ ଧରି ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ୭ଶହରୁ ଉର୍ଦ୍ଧ୍ୱ କଳାକାର ଯୋଗ ଦେବେ । ପ୍ରତିବର୍ଷ ପରି ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

ରୁକୁଣା ରଥ ଓଣଲେଉଟା

ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା । ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ, ସେହିଭଳି ପୁନର୍ବାର ପଛକୁ ଫେରିଥାଏ । ବିନା ମୋଡ଼ରେ ରଥ ଫେରିଥାଏ । ବିଧି ଅନୁସାରେ ରଥର ପଛପଟ ଦ୍ୱାର ଖୋଲାଯାଏ ଓ ଅଶ୍ୱଙ୍କୁ ଆଗରୁ ଖୋଲି ଆଣି ନୂଆ ଦ୍ୱାରରେ ଯୋଚାଯାଏ । ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯେମିତି ଦକ୍ଷିଣ ମୋଡ଼ ନିଏ, ରୁକୁଣା ରଥ ସେମିତି କୌଣସି ମୋଡ଼ ନେଇ ନ ଥାଏ । ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଇଥାଏ । ପ୍ରଭୁ ଲିଙ୍ଗରାଜଙ୍କର ଏହା ସ୍ୱତନ୍ତ୍ର ନୀତି । ଏହି ରଥର ନିର୍ମାଣ ଶୈଳୀ ଏମିତି ଯେ ସମ୍ମୁଖ ଭାଗକୁ ବଦଳାଇବା ପରେ ପଛ ପାର୍ଶ୍ୱ ପୁଣି ସମ୍ମୁଖ ଭାଗ ଭଳି ଦୃଶ୍ୟମାନ ହୁଏ । ପୌରାଣିକ ତଥ୍ୟ ଅନୁସାରେ ପ୍ରଭୁ ରାମଚନ୍ଦ୍ର ମାତା ସୀତାଙ୍କୁ ଉଦ୍ଧାର କରିବାକୁ ଯାଇ ରାବଣକୁ ହତ୍ୟା କରିବାରୁ ତାଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଥିଲା । ଏହି ପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶ ଅନୁସାରେ ଏକାମ୍ର କ୍ଷେତ୍ରରେ ରାମେଶ୍ୱରଠାରେ ହରିହର(ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜା କରିଥିଲେ । ତାଙ୍କ ବ୍ରତ ଓ ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ତାଙ୍କୁ ବର ଯାଚିଥିଲେ । ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନର୍ବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର(ଲିଙ୍ଗରାଜ) ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ । ସେହିଦିନଠାରୁ ଏହି ସ୍ୱତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଏହି ରଥର ଉଚ୍ଚତା ୫୦ ଫୁଟ ହୋଇଥିବା ବେଳେ ଏଥିରେ ୪ଟି ଚକ, ୨ଟି ଓରା, ୧୬ ନାହାକା ଓ ୫ଦଣ୍ଡା ରହିଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami