ପ୍ରକୃତି ପ୍ରେମରେ ଶିକ୍ଷକ

Above Post Content

ଧାଡି ଧାଡ଼ି ଭଳିକି ଭଳି ଫୁଲ, ଫଳ ସହିତ, ଔଷଧୀୟ ଗଛ ଲାଗିଛି ଚାରା ବି ପଡ଼ିଛି । ଆଉ ଗଛ ପାଖରେ ଗଛର ନାମ ଫଳକ ଲାଗିଛି । ଫୁଲ ଫଳ ଔଷଧିୟ ବାସ୍ନାରେ ପେଟ ପୂରିଯାଉଛି । ଫଳ ଗଛରେ ଡାଳିମ୍ବ, ଲିଚୁ, ପିଜୁଳି, ଆମ୍ବ, ଆତ, ଲେମ୍ବୁ, କଦଳୀ, କମଳା ରହିଥିବାବେଳେ ଫୁଲ ଗଛରେ ବିଭିନ୍ନ ରଙ୍ଗର ଗୋଲାପ, ମନ୍ଦାର, ଜର୍ବେରା, ଚାଇନା ଟଗର, ଇକଜୋରା ରହିଛି । ସେମିତି ଔଷଧୀୟ ଗଛ ଘୃତକୁମାରୀ, କର୍ପୂର, ଧନନ୍ତରୀ, କରଞ୍ଜ, ଅଁଳା, ବେଲ ଳାଗିଛି । ନର୍ସରୀ ବା ପାର୍କର ଭ୍ରମ ସୃଷ୍ଟି କରୁଥିବା ଏହି ସ୍ଥାନ ହେଉଛି ଜି. ଉଦୟଗିରି ନିକଟସ୍ଥ ଗଦଗୁଡ଼ା ସରକାରୀ ଉପ୍ରା ବିଦ୍ୟାଳୟ । ଆଉ ଏଭଳି ପରିବେଶ ସୃଷ୍ଟି କରିଛନ୍ତି ପ୍ରକୃତିପ୍ରେମୀ ଶିକ୍ଷକ ପବିତ୍ର କୁମାର ସାହୁ । ଗଛ ପ୍ରତି ବିଶେଷ ଆଗ୍ରହ ରଖୁଥିବା ଶିକ୍ଷକ ଶ୍ରୀ ସାହୁ ସବୁଜ ବନାନୀ ସୃଷ୍ଟି କରିବା ସହିତ ଗାଁ ଗହଳିରେ ଅପପୃଷ୍ଟିରୁ ରକ୍ଷା ପାଇବା ପାଇଁ ବାଂଟୁଛନ୍ତି ଶହ ଶହ ଚାରା ଅମୃତଭଣ୍ଡା, ସଜନା ଗଛ ସହିତ ବିଭିନ୍ନ ପ୍ରକାର ଔଷଧୀୟ ଚାରା ଗଦଗୁଡ଼ା ଗାଁ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକୁ ମାଗଣାରେ ବାଂଟିଥାନ୍ତି । ଚଳିତ ବର୍ଷ ୫୦୦ରୁ ଅଧିକ ଚାରା ବଂଟନ ହୋଇଛି । ଘର ବାଡ଼ିରେ ଲୋକମାନେ ଅନ୍ତତଃ ଅମୃତଭଣ୍ଡା, ସଜନା ଚାରାରୋପଣ କଲେ ଗ୍ରାମାଂଚଳରେ ଅପପୃଷ୍ଟି ରୋକିବାରେ ସହାୟକ ହୋଇପାରିବ ଏମିତି ଉଦ୍ଦେଶ୍ୟ ନେଇ ଲାଗିପଡ଼ନ୍ତି କାମରେ । ଏଥିପାଇଁ ତାଙ୍କୁ ସ୍କୁଲ କାମ ପରେ ଅଧିକ ୨ ଘଂଟା ସମୟ ଦେବାକୁ ପଡ଼ିଥାଏ । ଗଛ ଯତ୍ନ ସହିତ ନିୟମିତ ପାଣି ଦେବା ପ୍ରମୁଖ କାମ କରିବାକୁ ଭୁଲନ୍ତି ନାହିଁ । କରୋନା କାଳରେ ମିଳୁଥିବା ସମୟକୁ ଭରପୂର ଏହି ଭଳି କାମରେ ଲଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି । ସମୟର ସଦୁପଯୋଗ କରି ସରକାରୀ ସ୍କୁଲରେ ଯେ ଏମିତି କିଛି କରାଯାଇପାରେ ତାହା କରି ଦେଖାଇଛନ୍ତି । ତାଙ୍କର ଏହି କାର୍ଯ୍ୟ ପାଇଁ ଗ୍ରାମବାସୀ ପ୍ରଶଂସା କରିଥିବାବେଳେ ସ୍କୁଲ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ଦିଗାଲ, ବିିଇଓ ଜଗନ୍ନାଥ ସାହାଣୀ ତାଙ୍କୁ ସମର୍ଥନ ସହ ସହଯୋଗ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami