![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଚୀନରେ କୋଇଲା ସଂକଟ ସୃଷ୍ଟି ହୋଇଛି । ଆଗାମୀ ବର୍ଷେ ପର୍ଯ୍ୟନ୍ତ ଏହି ସଂକଟ ଲାଗି ରହିବ । ଯାହାର ପ୍ରଭାବ ଏବେ ଚୀନରେ ଦେଖିବାକୁ ମିଳୁଛି । ଚୀନରେ ବିଦ୍ୟୁତ ସଂକଟ ସୃଷ୍ଟି ହେଲାଣି । ଭାରତରେ ମଧ୍ୟ ସେହିଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଭାରତରେ ମଧ୍ୟ କୋଇଲା ସଂକଟ ଗମ୍ଭୀର ହେବାରେ ଲାଗିଲାଣି । କେନ୍ଦ୍ର ସରକାର ଯଦିଓ କହୁଛନ୍ତି ସବୁକିଛି ଠିକ୍ ଅଛି ତଥାପି ହିସାବ ଅଲଗା କଥା କହୁଛି । ଦେଶରେ ଏବେ ଭୀଷଣ କୋଇଲା ଅଭାବ କାରଣରୁ ଆଗାମୀ ଦିନରେ ଦେଶ ଅନ୍ଧକାରର ଯଦି ଡୁବିଯାଏ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।
ସରକାରୀ ହିସାବରେ ଦେଶରେ ୧୩୫ ପାଓ୍ବାର ପ୍ଲାଣ୍ଟରେ ବିଦ୍ୟୁତ୍ ଉତ୍ପାଦନ କରାଯାଇଥାଏ । ହେଲେ ଏଥିରୁ ୧୮ଟି ପ୍ଲାଣ୍ଟରେ କୋଇଲା ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି । ୨୦ଟି ପ୍ଲାଣ୍ଟ ଏମିତି ଅଛନ୍ତି ଯାହାଙ୍କ ପାଖରେ ମାତ୍ର ୭ ଦିନଠାରୁ କିଛିଦିନ ଅଧିକ ଷ୍ଟକ ରହିଛି ।
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଦେଶରେ କୋଇଲା ସଙ୍କଟ ନଥିବା ଗତ ରବିବାର ଶକ୍ତିମନ୍ତ୍ରୀ ଆରକେ ସିଂହ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଥିଲେ। ଏକଥା ବି ମାନିଥିଲେ ଯେ, ପାଓ୍ବାର ପ୍ଲାଣ୍ଟଗୁଡିକରେ ଆବଶ୍ୟକ ଅନୁସାରେ କୋଇଲା ନାହିଁ । ତାଙ୍କ ଅନୁସାରେ ପୂର୍ବରୁ ୧୭/୧୭ ଦିନର ଷ୍ଟକ୍ ରହୁଥିବା ବେଳେ ଏବେ ମାତ୍ର ୪ରୁ ୫ ଦିନର ରହିଛି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଅନ୍ୟପକ୍ଷରେ ବିଦ୍ୟୁତ ମନ୍ତ୍ରାଳୟର ହିସାବକୁ ଦେଖାଗଲେ, ୧୨ ଅକ୍ଟୋବର ଯାଏଁ ଦେଶର ୧୮ଟି ପ୍ଲାଣ୍ଟରେ କୋଇଲା ଷ୍ଟକ ଶୂନ୍ ହୋଇଯାଇଥିଲା। ୨୬ ପ୍ଲାଣ୍ଟରେ ଗୋଟିଏ ଦିନର କୋଇଲା ଷ୍ଟକ୍ ଥିବାବେଳେ ୫ଟି ପ୍ଲାଣ୍ଟରେ ୭ଦିନ ଓ ୧୫ଟିରେ ୭ଦିନଠାରୁ ଅଧିକ ଷ୍ଟକ ଥିଲା।
ସୂଚନାଯୋଗ୍ୟ, କୋଲ ଇଣ୍ଡିଆ ଲିମିଟେଡ୍ ଚଳିତବର୍ଷ କୋଇଲା ଉତ୍ପାଦନରେ ସବୁ ରେକର୍ଡ ଭାଙ୍ଗି ଦେଇଛି । ଗତ ଅଗଷ୍ଟ ମାସ ସୁଦ୍ଧା କୋଲ ଇଣ୍ଡିଆ ୨୪୯.୮ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିଛି । ଯାହା ଗତବର୍ଷ ସମାନ ସମୟ ଉତ୍ପାଦନଠାରୁ ୧୩.୮ ମିଲିୟନ ଟନ୍ ଅଧିକା।
ସରକାରଙ୍କ କହିବା କଥା ହେଲା, କରୋନାର ଦ୍ବିତୀୟ ଲହର ପରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଥିବାରୁ ବିଦ୍ୟୁତ ଚାହିଦା ବଢ଼ିଯାଇଛି । ସେପଟେ ବିଦେଶରେ କୋଇଲା ମୂଲ୍ୟ ବୃଦ୍ଧି ଯୋଗୁଁ ଆମଦାନୀ ହ୍ରାସ ପାଇଛି। ଏହାବାଦ କୋଇଲା ଖାଦନ ଆଖପାଖରେ ବର୍ଷା ହେବା କାରଣରୁ ଉତ୍ପାଦନ ପ୍ରଭାବିତ ହୋଇଛି ।
ତଥାପି ସରକାରଙ୍କୁ ଏହା ଉପରେ ନଜର ରଖି ତୁରନ୍ତ ସମାଧାନର ବାଟ ବାହାର କରିବା ଉଚିତ୍ । ନହେଲେ ଚୀନ୍ ଭଳି ଏଠାରେ ମଧ୍ୟ ସ୍ଥିତି ହୋଇପାରେ । କୋଇଲା ସଙ୍କଟ ଚୀନକୁ ଏମିତି ଘାରିଛି ଯେ, ଜିନ୍ ପିଙ୍ଗ ସରକାରଙ୍କୁ ବିଦ୍ୟୁତ ବ୍ୟବହାର ଉପରେ କଟକଣା ଲଗାଇବାକୁ ପଡ଼ିଲା। ଫଳରେ ବହୁ କମ୍ପାନୀରେ ଉତ୍ପାଦନ ପ୍ରଭାବତି ହେବାରେ ଲାଗିଛି। ଏପରିକି କିଛି ଇଣ୍ଟର ନ୍ୟାସନାଲ କମ୍ପାନୀ ଚୀନରୁ ପେଡି ପୁଟୁଳି ବାନ୍ଧି ପଳାଇ ଯିବାକୁ ଯୋଜନା ଆରମ୍ଭ କରିଦେଲେଣି।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)