ମଦ ବ୍ୟବସାୟୀଙ୍କ ପାଖରୁ ଜବତ ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ, ଆଜି ପୁଣି ଆରମ୍ଭ ହେଲା ନୋଟ ଗଣତି

Above Post Content

ଭୁବନେଶ୍ୱର : ଯେତେ ଗଣିଲେ ସେତେ ବାହାରୁଛି । ସରିବାର ନାଁ ନେଉନି ଟଙ୍କା । ଟଙ୍କା ଗଣି ଗଣି ହାଲିଆ ହେଲାଣି ଆୟକର ବିଭାଗ । ଗତ ୩ ଦିନରେ ୩୦୦ କୋଟି ଟଙ୍କା ମିଳିଥିବା ବେଳେ ଆଜି ହେଉଛି ଚତୁର୍ଥ ଦିନ । ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀଙ୍କ ଘରେ ଚାଲିଛି ଖୋଡତାଳ । ୧୪ ଜଣିଆ ଆୟକର ଟିମ୍ ଚଳାଇଛି ଖୋଡତାଳ । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି ।

ଟଙ୍କା ଗଣତି ମେସିନ ହୋଇଗଲା ଅଚଳ

After 2nd paragraph post ads
Middle post content

କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତ୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଏତେ ପରିମାଣର ଟଙ୍କା ଗଣିବା ସମୟରେ ମେସିନ୍ ଅଚଳ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ଆୟକର ବିଭାଗ ଅଧିକ ମେସିନ୍ ଓ କର୍ମଚାରୀ ମଗାଇଛି । ପୂର୍ବରୁ ୧୫୬ ବସ୍ତା ଟଙ୍କା ବଲାଙ୍ଗିର ସୁଦପଡା ମଦଭାଟିରୁ ଜବତ କରାଇଥିଲା । ସେହି ଟଙ୍କା ବସ୍ତାକୁ ଏକ ଟ୍ରକରେ ଏସବିଆଇକୁ ଅଣାଯାଇଥିଲା । ଗତକାଲି ଅବକାରୀ ଅଫିସରେ ଆୟକର ବିଭାଗ ପହଞ୍ଚି ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲା । ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର ବିଭିନ୍ନ ସ୍ଥାନରୁ ଆୟକର ବିଭାଗ ଗତ ୩ ଦିନ ମଧ୍ୟରେ ଜବତ କରିଛି ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା । ୧୫୭ଟି ବ୍ୟାଗରେ ଜବତ ଟଙ୍କାକୁ ଭର୍ତ୍ତି କରି ବ୍ୟାଙ୍କକୁ ଅଣାଯାଇଛି । ଆବଶ୍ୟକ ବ୍ୟାଗ ଅଭାବରୁ କେତେକ ସ୍ଥାନରେ ଟଙ୍କାକୁ ଅଖାରେ ଭର୍ତ୍ତି କରି ଟ୍ରକ ଯୋଗେ ବ୍ୟାଙ୍କରେ ପହଞ୍ଚାଯାଇଛି । ଜବତ ଅର୍ଥ ଗଣତି କାର୍ଯ୍ୟରେ ଲାଗିଥିବା ଟଙ୍କା ଗଣା ମେସିନ ଗରମ ହୋଇ ଅଚଳ ହୋଇ ଯାଇଥିବା କୁହାଯାଉଛି ।

ଓଡ଼ିଶାରେ ଏହା ସବୁଠୁ ବଡ ଆଇଟି ରେଡ୍‌

ଗତ ବୁଧବାର ଦିନ ଝାଡଖଣ୍ଡ ରାଜ୍ୟସଭା କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ବାସଭବନ ସମେତ ଝାଡଖଣ୍ଡର ରାଞ୍ଚି, ଲୋହରଦଗା ଏବଂ ଓଡିଶାର ୫ରୁ ଅଧିକ ସ୍ଥାନରେ ଏକ ବଡ ଧରଣର ଚଢାଉ କରିଥିଲା ଆୟକର ବିଭାଗ । ଧୀରଜ ସାହୁ ଝାଡଖଣ୍ଡର ଏକ ପ୍ରତିଷ୍ଠିତ ବ୍ୟବସାୟୀ ଓ ରାଜନେତା । ସେ କଂଗ୍ରେସରୁ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସାଂସଦ ସାହୁଙ୍କ ପୈତୃକ ବାସଭବନ ଲୋହରଦଗାରେ । ମାତ୍ର ରାଞ୍ଚିର ରେଡିୟମ ରୋଡରେ ଥିବା ଏକ ବଙ୍ଗଳାରେ ସେ ଏବଂ ତାଙ୍କର ପୁରା ପରିବାର ରହୁଛନ୍ତି । ଗତ ବୁଧବାର ସକାଳେ ସୁରକ୍ଷା ବାହିନୀ ସମେତ ଆୟକର ବିଭାଗ ଉଭୟ ସ୍ଥାନରେ ଚଢାଉ କରିଥିଲା ।ଏହା ବ୍ୟତୀତ ଓଡ଼ିଶାର ବଲାଙ୍ଗୀର, ବୌଦ୍ଧ, ଭୁବନେଶ୍ୱର, ସୁନ୍ଦରଗଡ, ସମ୍ବଲପୁର ଓ ରାୟଗଡା ଆଦି ବିଭିନ୍ନ ସ୍ଥାନରେ ଆଇଟି ପକ୍ଷରୁ ଚଢାଉ ଚାଲିଛି । ଟିଟିଲାଗଡ଼ ସଂଜୟ ସାହୁଙ୍କ ସହ ତାଙ୍କ ବଡ଼ଭାଇ ଦୀପକ ସାହୁ ଓ ବଳଦେବ ସାହୁଙ୍କ ଘରେ ଓ ମଦଭାଟିରେ ଆଇଟି ବିଭାଗ ପକ୍ଷରୁ ରେଡ୍ ହୋଇଥିଲା । ଚଢାଉ ସମୟରେ ଉଭୟ ଘର ଓ ମଦଭାଟିରୁ ୩୦୦ କୋଟିରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ସେହିପରି ବଲାଙ୍ଗୀର ସୁଦପଡ଼ା ରାଜେଶ ସାହୁଙ୍କ ମଦଭାଟି ସହ ଘରେ ମଧ୍ୟ ରେଡ୍ ଜାରି ରହିଛି ।ଅନ୍ୟପଟେ ସମ୍ବଲପୁର, ରାୟଗଡା ଓ ସୁନ୍ଦରଗଡରେ ମଧ୍ୟ ରେଡ୍ ସମୟରେ ଅନେକ ମଦ ବ୍ୟବସାୟୀଙ୍କ ଘରୁ ଆଲମାରୀ ଭର୍ତ୍ତି ପୁଳା ପୁଳା ଟଙ୍କା ଜବତ ହୋଇଛି । ଏହି ଟଙ୍କା ମାନ ନେବାକୁ ବିଭାଗ ପକ୍ଷରୁ ଟ୍ରକ୍ ବ୍ୟବହାର କରାଯାଉଛି । ଯାହାକୁ ଦେଖି ବିଭାଗର ଆଖି ଖୋସି ହେଇଯାଉଛି । ଓଡ଼ିଶାରେ ଏହା ସବୁଠୁ ବଡ ଆଇଟି ରେଡ୍ ବୋଲି କୁହାଯାଉଥିବାବେଳେ ଏଥିରେ ଆୟକର ବିଭାଗର ୪୦ ଜଣିଆ ଟିମ୍ ସହ ସ୍ଥାନୀୟ ପୋଲିସ ମାନେ ସାମିଲ ଅଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami