କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ଡିଏମ୍‌ଆରସି ତତ୍ପର, ନିର୍ମାଣ ହେବ ୬ଟି ଷ୍ଟେସନ

Above Post Content

ଭୁବନେଶ୍ୱର : ଭୁବନେଶ୍ୱରରୁ ମେଟ୍ରୋ ପ୍ରକଳ୍ପ କାମ ପାଇଁ ତତ୍ପର ହୋଇଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରସନ୍‌(ଡିଏମ୍‌ଆରସି) । ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେବା ପରେ ପ୍ରାଥମିକ ପର୍ଯ୍ୟାୟରେ ସଂସ୍ଥା ଟେଣ୍ଡର ଆହ୍ୱାନ କରିଛି । ଏଥିରେ ଭୁବନେଶ୍ୱରର ପ୍ରମୁଖ ୬ଟି ସ୍ଥାନରେ ଷ୍ଟେସନ୍ ନିର୍ମାଣ ସହ ଭାଏଡକ୍ଟ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଏହି ପ୍ରକଳ୍ପର ମୂଲ୍ୟ ପାଖାପାଖି ୬୩୦.୬୫ କୋଟି ଟଙ୍କା ରହିଥିବା ବେଳେ ଟେଣ୍ଡର ପ୍ରକ୍ରିୟାରେ ଭାଗନେବା ପାଇଁ ହେଲେ ସମାନ ପ୍ରକଳ୍ପ ଭଳି ୫୦୦ କୋଟି ଟଙ୍କାର କାର୍ଯ୍ୟ କରିଥିବା ଅଭିଜ୍ଞତା ରହିଥିବା ସର୍ତ୍ତ ରହିଛି । ଏଲଭେଟଡ୍ ପଦ୍ଧତିରେ ଏହି ଷ୍ଟେସନ ନିର୍ମାଣ କରାଯିବ ବୋଲି ଟେଣ୍ଡରରେ ଦର୍ଶାଯାଇଛି ।

ରାଜ୍ୟ ସରକାର ବହନ କରିବେ ୬୨୨୫ କୋଟି ଟଙ୍କା

After 2nd paragraph post ads

ଷ୍ଟେସନ୍ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ସ୍ଥାନଗୁଡ଼ିକ ମଧ୍ୟରେ କ୍ୟାପିଟାଲ୍ ହସ୍ପିଟାଲ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମମନ୍ଦିର ଛକ, ବାଣି ବିହାର ଓ ଆଚାର୍ଯ୍ୟ ବିହାର ଛକ ଆଦି ୬ ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଭୁବନେଶ୍ୱର ବିମାନ ବନ୍ଦରରେ ମେଟ୍ରୋ ଷ୍ଟେସନ ପାଇଁ ଡିଜିସିଏରୁ ଅନୁମତି ମିଳିବା ପରେ ନିର୍ମାଣ ଆରମ୍ଭ ହେବ । ପୂର୍ବରୁ ଶିଶୁଭବନ ଛକରେ ଷ୍ଟେସନ ହେବାର ଯୋଜନା ଥିବା ବେଳେ ଏଥିରେ ପରିବର୍ତ୍ତନ କରାଯାଇ ବାପୁଜୀନଗରରେ ଷ୍ଟେସନ କରାଯିବ । ୭ କିଲୋମିଟରରୁ ଅଧିକ ଏହି ରାସ୍ତାରେ ଏବେ ଗୋଟିଏ ଲାଇନ ବିଛାଯିବ । ଟେଣ୍ଡର ଡକାଯାଇଥିବା ଏହି କାର୍ଯ୍ୟ ସାରିବାକୁ ୩ ମାସ ସମୟ ଦିଆଯାଇଅଛି । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସମସ୍ତ ଖର୍ଚ୍ଚ ୬୨୨୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ । ୪ ବର୍ଷରେ ସମ୍ପୂର୍ଣ୍ଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Middle post content

ଫୁଲପୋଖରୀଠାରେ ନିର୍ମାଣ ହେବ ମେଟ୍ରୋ ଡିପୋ

୧୫ଏପ୍ରିଲ୍‌ରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ଟେଣ୍ଡର ଦାଖଲ ପ୍ରକ୍ରିୟା ଜାରି ରହିବା ସହ ୨୪ଏପ୍ରିଲରେ ଟେଣ୍ଡର ଖୋଲାଯିବ । ଏଥିପାଇଁ ଆସନ୍ତା ୧୯ତାରିଖରେ ଏକ ପ୍ରି-ବିଡ୍ ବୈଠକ ବସିବା ନେଇ ଦିଲ୍ଲୀ ମେଟ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଗତ ନୂଆବର୍ଷ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଏହି ବହୁପ୍ରତୀକ୍ଷିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଏହି ମେଟ୍ରୋ ପ୍ରକଳ୍ପ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଦିଲ୍ଲୀ ମେଟ୍ରୋ କର୍ପୋରେସନ୍‌କୁ ରାଜ୍ୟର ମେଟ୍ରୋ ପ୍ରକଳ୍ପର ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ଫୁଲପୋଖରୀ ନିକଟରେ ଦିଲ୍ଲୀ ମେଟ୍ରୋ ପକ୍ଷରୁ ମେଟ୍ରୋ ଡିପୋ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଡିପୋ ନିର୍ମାଣ ସହ ୱାର୍କସପ୍‌, ଓସିସି ବିଲ୍ଡିଂ ନିର୍ମାଣ ଓ ପାଚେରି ସମେତ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ ଭିନ୍ନଭିନ୍ନ ଭାବେ ୨ଟି ଟେଣ୍ଡର ପୂର୍ବରୁ ଆହ୍ୱାନ କରାଯାଇ ସାରିଛି ।

ତ୍ରିଶୁଳିଆରୁ ଏୟାରପୋର୍ଟ ଯାଏଁ ରହିବ ୨୦ ଷ୍ଟେସନ

ରାଜ୍ୟର ଏହି ସର୍ବବୃହତ୍ ପ୍ରକଳ୍ପ ପାଇଁ ୬୨୫୫.୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଥିବା ବେଳେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ମେଟ୍ରୋ ପ୍ରକଳ୍ପ ନିର୍ମାଣ କରିବେ । ‘୫-ଟି’ ଉପକ୍ରମ ଅନୁଯାୟୀ ଏହାକୁ ୪ବର୍ଷ ମଧ୍ୟରେ ଶେଷ କରିବାକୁ ଯୋଜନା ରହିଛି । ସୂଚନାଯୋଗ୍ୟ ଯେ ତ୍ରିଶୁଳିଆଠାରୁ ଭୁବନେଶ୍ୱର ଏୟାରପୋର୍ଟ ଯାଏଁ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ମୋଟ ୨୦ ଷ୍ଟେସନ ରହିବ । ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ କାମଚଳା ବଜେଟ୍‌ରେ ୧ହଜାର କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି । ଯେହେତୁ ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ତେଣୁ ସାଧାରଣ ବଜେଟ୍ ଆସିବାରେ ବିଳମ୍ବ ହେବ । ମେଟ୍ରୋ ପ୍ରକଳ୍ପ ପାଇଁ ଆଗକୁ ଜୋରଦାର କାର୍ଯ୍ୟ ହେବାକୁ ଥିବାରୁ ଏହି ପଦକ୍ଷେପ ନିଆଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami