ବଡ଼ଦାଣ୍ଡର ରଙ୍ଗ: ଥିଲା ହଳଦିଆ ହେବ ଗୋଲାପୀ

Above Post Content

 

ପୁରୀ: ବଦଳିଯିବ ପୁରୀ ବଡ଼ଦାଣ୍ଡର ରଙ୍ଗ । ଆଗକୁ ହୋଇଯିବ ଗୋଲାପୀ ରଙ୍ଗ । ରାଜ୍ୟ ସରକାର ପୁରୀ ବଡ଼ଦାଣ୍ଡରେ ଥିବା ସବୁ କୋଠାର ରଙ୍ଗ ବଦଳେଇ ଗୋଟିଏ ରଙ୍ଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାହାପୁଣି ଫିକା ଗୋଲାପୀ ରଙ୍ଗ । ଖୁବଶିଘ୍ର ଏଥିପାଇଁ ନିର୍ଦ୍ଦେଶନାମା ଜାରି ହୋଇପାରେ । ତେବେ ନବକଳେବର ସମୟରୁ ଥିବା ନିୟମ ଅନୁଯାୟୀ । ଲୋକ ମାନେ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନ ଓ ଘରେ ଫିକା ହଳଦୀ ରଙ୍ଗ ଦେଇଥିଲେ । ଯଦି ଏବେ ତାକୁ ବଦଳେଇବାକୁ ନିର୍ଦ୍ଦେଶ ଆସେ, ତେବେ ସେବାବଦରେ ଖର୍ଚ୍ଚ କିଏ ବହନ କରିବ? ଏହାକୁ ନେଇ ବ୍ୟବସାୟୀ ଓ ଲୋକମାନେ ଚିନ୍ତାରେ ପଡ଼ିଛନ୍ତି । ବଡ଼ଦାଣ୍ଡରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଘରର ରଙ୍ଗରେ ସମାନତା ଆଣିବାକୁ ରାଜ୍ୟ ସରକାର ପୁଣିଥରେ ଖୁବଶୀଘ୍ର ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ନିକଟରେ ଫାଇଭ୍ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ସମୟରେ ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାର ରଙ୍ଗ ବଦଳାଇ ଯିବା ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ।

After 2nd paragraph post ads

ଲୋକେ ନ କଲେ ପ୍ରଶାସନ କରିବ ରଙ୍ଗ କାମ

Middle post content

ମାଟିଆ, ଧଳା, ଫିକା ଗୋଲାପି ଆଦି ୧୪ରୁ ଅଧିକ ରଙ୍ଗ ଅନୁଧ୍ୟାନ କରିବା ପରେ ଫିକା ଗୋଲାପି ରଙ୍ଗ ଚୟନ କରାଯାଇଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । ଏନେଇ ଗାଇଡ୍ ଲାଇନ୍ ଜାରି ହେବା ପରେ ଲୋକେ ଯଦି ନିଜ ଆଡ଼ୁ ରଙ୍ଗ ନ ବଦଳାନ୍ତି, ତାହେଲେ ପ୍ରଶାସନ ଏହି ରଙ୍ଗ କାମ କରିବ । କିନ୍ତୁ ପରେ ସଂପୃକ୍ତ ବ୍ୟକ୍ତି ରଙ୍ଗ ବାବଦ ଖର୍ଚ୍ଚ ବହନ କରିବେ । ହେଲେ ଏନେଇ ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନଥିବା ବେଳେ ବଡଦାଣ୍ଡର ରଙ୍ଗରେ ସମାନତା ଆଣିବା ପାଇଁ ଉଦ୍ୟମ ହେଉଥିବା କହିଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ । ନବକଳେବର ସମୟରେ ବଡ଼ଦାଣ୍ଡରେ ଥିବା କୋଠାର ରଙ୍ଗରେ ସମାନତା ଆଣିବା ଉଦ୍ଦେଶ୍ୟରେ ପ୍ରଥମ ପଦକ୍ଷେପ ନିଆଯାଇଥିଲା । ସବୁ କୋଠାକୁ ସରକାରଙ୍କ ପକ୍ଷରୁ ଫିକା ହଳଦିଆ ରଙ୍ଗରେ ରଙ୍ଗାଯାଇଥିଲା । ସେବେଠୁ ବଡ଼ଦାଣ୍ଡ ଉଭୟ ପାର୍ଶ୍ୱରେ ଥିବା ଘରୋଇ ଓ ବ୍ୟାବସାୟିକ କୋଠାକୁ ଲୋକେ ଫିକା ହଳଦିଆ ରଙ୍ଗ ଦେଉଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ପରିବର୍ତ୍ତିତ ରଙ୍ଗ କାମ ସାରିବାକୁ ଲକ୍ଷ୍ୟ

ଏହା ଭିତରେ ଭିନ୍ନ ଭିନ୍ନ ରଙ୍ଗର କୋଠା ବି ରହିଛି । ତେବେ ଯେଉଁମାନେ ନିୟମ ଉଲ୍ଲଂଘନ କରି ଭିନ୍ନ ରଙ୍ଗ କରିଛନ୍ତି । ସେମାନଙ୍କୁ ତାଗିଦ୍ ପରିବର୍ତ୍ତେ ମାତ୍ର କେଇଟା ବର୍ଷ ପରେ ଏବେ ପୁଣି ଲୋକଙ୍କୁ ନିଜ ହାତରୁ ଖର୍ଚ୍ଚାନ୍ତ କରାଇ ରଙ୍ଗ ପରିବର୍ତ୍ତନ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଏପରି ରଙ୍ଗ ବଦଳାଇବା ଚର୍ଚ୍ଚାକୁ ନେଇ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସରକାର ଯଦି ଚାହୁଁଛନ୍ତି ପୂର୍ବଥର ଭଳି ଏଥର ବି ମାଗଣାରେ ରଙ୍ଗ ବଦଳାନ୍ତୁ । ଆମେ କାହିଁକି ଅଯଥାରେ ଖର୍ଚ୍ଚାନ୍ତ ହେବୁ ବୋଲି ପ୍ରଶ୍ନ କରିଛନ୍ତି ବଡ଼ଦାଣ୍ଡରେ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଖୋଲିଥିବା ଲୋକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ପରିବର୍ତ୍ତିତ ରଙ୍ଗ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ହେଲେ ଏନେଇ ସରକାର ବିଧିବଦ୍ଧ ଭାବରେ କୌଣସି ଘୋଷଣା କରି ନାହାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami