ପାଣିପାଗ ପୂର୍ବାନୁମାନର ସଠିକ୍ ସୂଚନା ଦେବ ଏଆଇ

Above Post Content

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦେବ ପାଣିପାଗ ସୂଚନା ।  ପାଣିପାଗ ପୂର୍ବାନୁମାନର ସଠିକ୍ ସୂଚନା ଦେବ ଏଆଇ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପ୍ରତିଷ୍ଠାର ୧୫୦ତମ ବାର୍ଷିକୀ ପାଳନ କରିବାକୁ ଯାଉଛି । ଏହି ଅବସରରେ ପାଗ ସମ୍ପର୍କିତ ସମ୍ପୂର୍ଣ୍ଣ ଠିକ୍ ପୂର୍ବାନୁମାନ ମଡେଲ ପାଇଁ ଏଆଇ ଏବଂ ତ୍ୱରିତ୍ ସୁପର କମ୍ପ୍ୟୁଟରର ଉପଯୋଗ ନେଇ ଯୋଜନା କରାଯାଉଛି । ଆଇଏମ୍‌ଡିର ମହାନିର୍ଦ୍ଦେଶକ (ଡିଜି) ମୃତ୍ୟୁଞ୍ଜୟ ମହାପାତ୍ର ଏକ ସାକ୍ଷାତ୍‌କାରରେ ଏହା କହିଛନ୍ତି । କାଳବୈଶାଖୀ ସୃଷ୍ଟି ଏବଂ ପ୍ରବଳ ମୌସୁମୀ ବର୍ଷା ପଛର ବାସ୍ତବ ପ୍ରକ୍ରିୟାକୁ ଭଲଭାବେ ବୁଝିବା ପାଇଁ ପାଣିପାଗ କାର୍ଯ୍ୟାଳୟ ଓଡ଼ିଶା ଏବଂ ମଧ୍ୟପ୍ରଦେଶରେ ପରୀକ୍ଷା କ୍ଷେତ୍ର ସ୍ଥାପନ କରିଛି । ପାଣିପାଗ ପୂର୍ବାନୁମାନରେ ଉନ୍ନତି ଆଣିବାରେ ଏହା ସହାୟକ ହୋଇପାରିବ ବୋଲି ସେ କହିଛନ୍ତି । ସୋମବାର ଆଇଏମ୍‌ଡି ପ୍ରତିଷ୍ଠାର ୧୫୦ତମ ବାର୍ଷିକୀ ପାଳନ କରାଯିବ । ଏଥିସହି ‘ପଞ୍ଚାୟତ ପାଣିପାଗ ସେବା’ ଶୁଭାରମ୍ଭ କରାଯିବ । ପ୍ରତି ଗାଁର ଚାଷୀଙ୍କ ପାଖରେ ପାଣିପାଗ ପୂର୍ବାନୁମାନ ପହଞ୍ଚାଇବା ସହ ପ୍ରତ୍ୟେକ କ୍ଷେତ୍ରରେ ମୁଖ୍ୟ ଜଳବାୟୁ ସୂଚନା ସମ୍ପର୍କିତ ଜାତୀୟ ଜଳବାୟୁ ସେବା ଫ୍ରେମ୍‌ୱର୍କ ସ୍ଥାପନ ଏହାର ଲକ୍ଷ୍ୟ ।

ପୂର୍ବାନୁମାନ ସୂଚନା ଦେବାରେ ଏଆଇର ରହିବ ଗୁରୁତ୍ୱପୂର୍ଣ୍ଣ ଅବଦାନ

After 2nd paragraph post ads
Middle post content

ଉନ୍ନବିଂଶ ଶତାବ୍ଦୀ ଶେଷ ଭାଗରେ କୋଲକାତା ବନ୍ଦରରେ ବାତ୍ୟା ସତର୍କତା ଜାରି ହେଉଥିଲା । ଏବେ ପ୍ରତ୍ୟେକ ୟୁଜରଙ୍କ ମୋବାଇଲ ଫୋନ୍‌ରେ ସତର୍କ ସୂଚନା ପହଞ୍ଚୁଛି । ଭାରତୀୟ ପାଣିପାଗ ବିଭାଗ ଇତିମଧ୍ୟରେ ବହୁ ପଥ ଅତିକ୍ରମ କରିଛି । ପୂର୍ବାନୁମାନ ସାମର୍ଥ୍ୟ ବଢ଼ାଇବା ପାଇଁ ଏଆଇ ଏବଂ ମେଶିନ୍ ଲର୍ନିଂ (ଏମ୍‌ଏଲ୍‌)ର ସଦ୍ୟତମ ଅଗ୍ରଗତିକୁ ବ୍ୟବହାର କରିବା ପାଇଁ ଯୋଜନା ହେଉଛି । ପାଣିପାଗ ବିଭାଗ ଏଆଇ-ଏମ୍‌ଏଲ୍ ଉପରେ ଏକ ବିଶେଷଜ୍ଞ ଗ୍ରୁପ୍ ଗଠନ କରିଛି । ପୂର୍ବାନୁମାନ ସଠିକତାରେ ଉନ୍ନତି ଆଣିବାରେ ବ୍ୟବହୃତ ହେବା ଭଳି ଉପକରଣର ମିଳିତ ବିକାଶ ପାଇଁ ଏନ୍‌ଆଇଟି, ଆଇଆଇଟି, ଆଇଆଇଆଇଟି, ଶିକ୍ଷାବିତ୍ ଏବଂ ଗବେଷଣା ଓ ବିକାଶ ସଂସ୍ଥାର ସହଯୋଗ ନିଆଯାଇଥିବା ମୃତ୍ୟୁଞ୍ଜୟ କହିଛନ୍ତି । ନାଓକାଷ୍ଟ ଏକ ଭଲ କ୍ଷେତ୍ର ହୋଇପାରିବ, ଯେଉଁଠି ପାଣିପାଗ ପୂର୍ବାନୁମାନ ଓ ନିଷ୍ପତ୍ତି ନେବାରେ ଉନ୍ନତି ଆଣିବାରେ ଏଆଇ/ଏମ୍‌ଏଲ୍‌ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିପାରିବ ବୋଲି ଆଇଏମ୍‌ଡି ଏମ୍‌ଡି କହିଛନ୍ତି ।

ଆଞ୍ଚଳିକ ମଡେଲିଂ ସିଷ୍ଟମକୁ ୩ କିମିରୁ ୧ କିମିକୁ କରାଯିବ ଉନ୍ନୀତ

ଏହା ବ୍ୟତୀତ ପାଣିପାଗ କାର୍ଯ୍ୟାଳୟ ସାଂଖିକ ମଡେଲିଂ ସାମର୍ଥ୍ୟରେ ଉନ୍ନତି ଲାଗି ଉଚ୍ଚ ପ୍ରଦର୍ଶନକାରୀ କମ୍ପ୍ୟୁଟିଂ ସିଷ୍ଟମ୍‌ର ଉନ୍ନତି କରିଛି । ଭୂବିଜ୍ଞାନ ମନ୍ତ୍ରଣାଳୟ ହାଇପର୍ଫମାନ୍ସ କମ୍ପ୍ୟୁଟିଂ ସିଷ୍ଟମ୍ କିଣିବା ପ୍ରକ୍ରିୟାରେ ରହିଛି । ଫଳରେ ପାଣିପାଗ କାର୍ଯ୍ୟାଳୟର ସାମର୍ଥ୍ୟ ୧୦ ପେଟାଫ୍ଲପ୍‌ରୁ ୩୦ ପେଟାଫ୍ଲପ୍‌କୁ ବୃଦ୍ଧି ପାଇବ । ଏହାଦ୍ୱାରା ସାଂଖିକ ମଡେଲ୍ କାର୍ଯ୍ୟସମୟ, ପ୍ରକ୍ରିୟା ପରବର୍ତ୍ତୀ ଡେଟା ସୃଷ୍ଟିରେ ଉନ୍ନତି ଘଟିବ । ତ୍ୱରିତ୍ ସୁପର କମ୍ପ୍ୟୁଟର ନିର୍ଦ୍ଦିଷ୍ଟ ସେକ୍ଟର ଏବଂ ସ୍ଥାନ ସମ୍ପର୍କରେ ସୂଚନା ସୃଷ୍ଟି କରିପାରିବ । ବର୍ତ୍ତମାନ ଆଇଏମ୍‌ଡିର ପାଣିପାଗ ମଡେଲିଂ ସିଷ୍ଟମର ରିଜୋଲ୍ୟୁଶନ ୧୨ କିଲୋମିଟର ରହିଥିବାବେଳେ ଏହାକୁ ୬ କିଲୋମିଟରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଆଞ୍ଚଳିକ ମଡେଲିଂ ସିଷ୍ଟମକୁ ୩ କିଲୋମିଟରରୁ ୧ କିଲୋମିଟରକୁ ଉନ୍ନୀତ କରାଯିବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami