ଏଆଇ କ୍ୟାମେରା ଜଗିବ ବିଏସ୍‌ଏବିଟି ସର୍ଭିସ୍‌ରୋଡ

Above Post Content

ଭୁବନେଶ୍ୱର : ରାସ୍ତାରେ ବେଆଇନ ପାର୍କିଂ ରୋକିବା ଓ ଯାନବାହନ ଚଳାଚଳକୁ ସହଜ କରିବା ପାଇଁ ବିଡ଼ିଏ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି । ଏଣିକି ଏଆଇ କ୍ୟାମେରା ଜଗିବ ‘ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍ (ବିଏସ୍‌ଏବିଟି) । କେବଳ ସେତିକି ନୁହେଁ,ବିଏସଏବିଟି ସନ୍ନିକଟ ଏନ୍‌ଏଚ୍‌-୧୬ ସର୍ଭିସ୍ ରୋଡ୍‌ରେ ଖଣ୍ଡଗିରିରୁ ଫାୟାର ଷ୍ଟେସନ ପର୍ଯ୍ୟନ୍ତ କୃତ୍ରିମ ବୁଦ୍ଧିମତା(ଏଆଇ) ଯୁକ୍ତ କ୍ୟାମେରା ଲଗାଯିବ । ବସ୍‌ଗୁଡ଼ିକର ଯାତାୟାତକୁ ସହଜ ଓ ରାସ୍ତାରେ ବେଆଇନ ପାର୍କିଂ ରୋକିବାକୁ ବିଡିଏ ଏହି କ୍ୟାମେରା ଲଗାଇବା ପାଇଁ ଯୋଜନା କରିଛି । ଏଥିସହ ଉଚ୍ଚକ୍ଷମତା ସମ୍ପନ୍ନ ମାଇକ ମଧ୍ୟ ଲଗାଯିବ । ଫଳରେ ଯେଉଁ ବସ୍‌, ଅଟୋ ବେଆଇନ ଭାବେ ରାସ୍ତା ମଝିରେ ଗାଡ଼ି ରଖିବ ଏଆଇ କ୍ୟାମେରା ତୁରନ୍ତ ତାହାକୁ ଚିହ୍ନଟ କରିବା ସହ ଉକ୍ତ ସ୍ଥାନ ଖାଲି କରିବା ପାଇଁ ସ୍ୱତଃପ୍ରବୃତ୍ତ ଭାବେ ଘୋଷଣା କରିବ । ସେହିଭଳି ‘ବସ୍ ଟର୍ମିନାଲ୍ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍ (ବିଟିଏମଏସ୍‌) ମଧ୍ୟ ଏହାରି ଉପରେ ନଜର ରଖି ଟର୍ମିନାଲ୍ ପରିସରରେ ଥିବା ସ୍ୱତନ୍ତ୍ର ସ୍କ୍ୱାଡ୍ ଓ ପୋଲିସକୁ ଘଟଣାସ୍ଥଳକୁ ପଠାଇବାର ବ୍ୟବସ୍ଥା ରହିଛି ।

ବସଗୁଡ଼ିକ ରାସ୍ତାରେ ଅଟକି ଲୋକ ଉଠାଉଛି

After 2nd paragraph post ads
Middle post content

ଫାୟାର ଷ୍ଟେସନ ଛକରୁ ଖଣ୍ଡଗିରି ଛକର ଦୂରତା ମାତ୍ର ୩ କିଲୋମିଟର । ଉଭୟ ଛକର ମଧ୍ୟବର୍ତ୍ତୀ ଅଞ୍ଚଳରେ ବିଏସ୍‌ଏବିଟି । ପ୍ରତିଦିନ ଏଠାରୁ ରାଜ୍ୟ ଭିତରକୁ ତଥା ବାହାରକୁ ଶହଶହ ବସ୍ ଯାତାୟାତ କରୁଛି । ମାତ୍ର ଏହି ଦୁଇଟି ଛକ ମଧ୍ୟ ଅନେକ ସମୟରେ ବସ୍ ରାସ୍ତାରେ ଅଟକି ଲୋକ ଉଠାଉଛି । ଫଳସ୍ୱରୂପ ଅନ୍ୟ ବସ୍‌ଗୁଡ଼ିକ ନିର୍ଦ୍ଦିଷ୍ଟ ସମୟରେ ବାହାରି ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିପାରୁନି । ଗୋଟିଏ ବସ୍‌ର ସମୟ ଏପଟସେପଟ୍ ହେଲେ ସବୁ ବସ୍ ଉପରେ ଏହାର ପ୍ରଭାବ ପଡ଼ୁଛି । ଏହାସହ ଅଟୋ ଚାଳକମାନେ ମଧ୍ୟ ମନଇଚ୍ଛା ଯେଉଁଠି ନାହିଁ, ସେଠି ଗାଡ଼ି ରଖି ଯାତ୍ରୀ ଉଠାଇଛନ୍ତି । ଫଳରେ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି । ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ବିଡିଏ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ବିଏସ୍‌ଏବିଟି ବସ୍ ପରିଚାଳନାକୁ ସହଜ କରିବା ସହ ରାସ୍ତାରେ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରିବ ।

କ୍ୟାମେରାଗୁଡ଼ିକ ଉପରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷର ରହିବ ନଜର

ଏ ସମ୍ପର୍କରେ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି କ୍ୟାମେରାଗୁଡ଼ିକ ଉପରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ନଜର ରଖିବ । ଯାହାଦ୍ୱାରା ପ୍ରତିଦିନ ବିଏସ୍‌ଏବିଟିରୁ ବାହାରି ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ବସ୍‌ଗୁଡ଼ିକର ଗତିବିଧି ସମ୍ପର୍କରେ ଆମେ ଜାଣିପାରିବୁ । ଏହାସହ ବସ୍ ଓ ଅଟୋର ବେଆଇନ ପାର୍କିଂ ଯୋଗୁଁ ବସ୍ ଟର୍ମିନାଲ ପରିସରକୁ ଆସୁଥିବା ଯାତ୍ରୀମାନେ ବିଭିନ୍ନ ସମୟରେ ସମସ୍ୟା ଭୋଗୁଥିଲେ । ଏହି କ୍ୟାମେରା ଲାଗିବା ଦ୍ୱାରା ତାହା ଦୂର ହୋଇପାରିବ । ନିର୍ବାଚନ ଆଚରଣବିଧି ଉଠିବା ପରେ ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami