ଶିକ୍ଷାର ଆଲୋକ ଦେଖାଉଛନ୍ତି ଯମୁନା

Above Post Content

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ର ସ୍ୱାଭିମାନ ଅଂଚଳ ନକ୍ସଲ ପ୍ରବଣ ସ୍ଥାନ ଭାବେ ପରିଚିତ ।  ଏ ଅଂଚଳରେ ନକ୍ସଲମାନଙ୍କ ଆତଯାତ ରହିଥାଏ । ବିକାଶର ବହୁ ପଛରେ ଥିବା ଏହି ଅଂଚଳରେ କିନ୍ତୁ ଏବେ ପରିବର୍ତନର ସ୍ୱର ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରେ  କୁନିକୁନି ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇ ଏବେ ଚର୍ଚ୍ଚାରେ ଯମୁନା ।  ସ୍ୱାଭିମାନ ଅଂଚଳ ପଣସପୁଟ ପଂଚାୟତର ବେଜିଂ ଗ୍ରାମର ଯମୁନା ଖିଲ (୧୭) ନାମକ ଜଣେ ଛାତ୍ରୀ ବର୍ତମାନ ନିଜ ଅଂଚଳର ପିଲାମାନଙ୍କୁ ମାଗଣାରେ ପ୍ରାଥମିକ ଶିକ୍ଷା ଦେଉଥିବା ଦେଖିବାକୁ ମିଳିିଛି । କରୋନା ହେତୁ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିବାରୁ ଗାଁର ପିଲାମାନଙ୍କୁ ଠୁଳ କରି ସେ ସକାଳ ଓ ସନ୍ଧ୍ୟା ସମୟରେ ଦୁଇ ଘଂଟା ଲେଖାଏ ବିନା ମୂଲ୍ୟରେ ଶିକ୍ଷାଦାନ କରୁଛନ୍ତି ।

Middle post content

ପିଲାଟି ଦିନରୁ ପାଠପଢ଼ିବାର ପ୍ରବଳ ଆଗ୍ରହ ଯମୁନାଙ୍କୁ ଆଜି କଲେଜ ପର୍ଯ୍ୟନ୍ତ ପହଂଚାଇ ଦେଇପାରିଛି । ବାଲିମେଳା ବିଜ୍ଞାନବୈଷୟିକ  ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ୍ କରିବା ପରେ  ଅର୍ଥ ଅଭାବରୁ ସେ ଆଉ ଆଗକୁ ପଢ଼ି ପାରି ନାହାନ୍ତି । କିନ୍ତୁ ନିଜ ଅଂଚଳର ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇ ସେମାନଙ୍କ ସୁନେଲି ଭବିଷ୍ୟତ ଗଢ଼ୁଛନ୍ତି ଯମୁନା । ସ୍ୱାଭିମାନ ଅଂଚଳରେ ଶିକ୍ଷାଦାନର ମହତ୍ୱ ଲୋକେ ବୁଝନ୍ତି ନାହିଁ । ପୁଅ  ପିଲାମାନେ ଗାଈ ଚରାଇବାରେ ବ୍ୟସ୍ତ ଥିବାବେଳେ ଝିଅମାନେ ଘରର ଯାବତୀୟ କାର୍ଯ୍ୟ କରିଥାନ୍ତି ।  ଏହି ଅଂଚଳର କୁନି କୁନି ପିଲାମାନେ ଗଂଗେଇ ଚାଷରେ ଲିପ୍ତ ରହୁଥିବାର ଦେଖିବାକୁ ମିଳେ । ଏ ସବୁରୁ ପିଲାଙ୍କୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଯମୁନା ପାଠ ପଢ଼ାଇବା ପାଇଁ ଅଭିଭାବକମାନଙ୍କୁ ବୁଝାଇଥିଲେ । ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରିବାକୁ କହିଥିଲେ । କରୋନା ଯୋଗୁ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାରୁ ଏହି ଅଂଚଳର କୁନିପିଲାମାନେ ପାଠପଢ଼ାରେ ଏକ ପ୍ରକାର ଡୋରି ବନ୍ଧା ହୋଇଯାଇଥିଲା । ପୁଣି ଏହି ଅଂଚଳରେ ସ୍କୁଲ ଥିଲେ ମଧ୍ୟ ଶିକ୍ଷକମାନଙ୍କର ମାସ ମାସ ଧରି ଦେଖା ମିଳେ ନାହିଁ । ପିଲାଙ୍କୁ ପାଠ ପଢ଼ାଇବା ସହ ସେ ମଧ୍ୟ  ଆଗକୁ ପାଠ ପଢ଼ିବାକୁ ଚାହୁଁଥିବା କଥା କହନ୍ତି ଯମୁନା । ସେ ଉଚ୍ଚ ଶିକ୍ଷିତ ହେଲେ ସ୍ୱାଭିମାନ ଅଂଚଳର ପିଲାମାନଙ୍କୁ ମଧ୍ୟ ଶିକ୍ଷିତ କରାଇବାର ଇଚ୍ଛା ପ୍ରକଟ କରିଛନ୍ତି । ପାଠପଢ଼ାରେ ବାଧା ସୃଷ୍ଟି କରୁଥିବା ଗୋଷ୍ଠୀଙ୍କୁ ଭୟ ନ କରି ଯମୁନା କିନ୍ତୁ ପିଲାଙ୍କୁ ଶିକ୍ଷା ଦେବାରେ କେବେ ହେଳା କରନ୍ତି ନାହିଁ । ପାଠ ପଢ଼ିଲେ ହଁ ସେମାନେ ମଣିଷ ହୋଇପାରିବେ ବୋଲି କହନ୍ତି ଯମୁନା । ଅଂଚଳରେ ଶିକ୍ଷାର ବିକାଶ ପାଇଁ ପ୍ରଶାସନ ଯମୁନାଙ୍କୁ ସହଯୋଗର ହାତ ବଢ଼ାଇଲେ ସେ ଆଗାମୀ ଦିନରେ ପାଠ ପଢ଼ିବା ସହ ସ୍ୱାଭିମାନ ଅଂଚଳକୁ ଶିକ୍ଷା କ୍ଷେତ୍ରରେ ଆହୁରି ଆଗକୁ ନେଇ ପାରନ୍ତେ ବୋଲି ସ୍ଥାନୀୟ ବାସିନ୍ଦା କହନ୍ତି । 

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami