ଗୋଟିଏ ବର୍ଷରେ କରୋନା ଟିକା କିନ୍ତୁ 40 ବର୍ଷ ପରେ ବି HIV ଟିକା ତିଆରି କରିବାରେ କାହିଁକି ବିଫଳ ବୈଜ୍ଞାନିକ ?

Above Post Content

ଏଚ୍ଆଇଭି / ଏଡସ୍ ଟିକା : 40 ବର୍ଷ ପରେ ଆମ ପାଖରେ କାହିଁକି ନାହିଁ ?

2019ର ଶେଷ ବେଳକୁ ଚୀନରେ ଦେଖା ଦେଇଥିଲା କରୋନା । 2020 ମାର୍ଚ୍ଚ ବେଳକୁ ଏହା ବାକି ଦେଶରେ ଆତଙ୍କ ସୃଷ୍ଟି କରିଥିଲା । କରୋନାର କୌଣସି ଚିକିତ୍ସା ନଥିଲା କି ଟିକା । କିନ୍ତୁ ଜାନୁଆରୀ 2021 ବେଳକୁ ଭାରତ ଭଳି ଦେଶରେ ଟିକାକରଣ ଆରମ୍ଭ ହୋଇ ସାରିଥିଲା । ଗୋଟିଏ ବର୍ଷରୁ କମ ସମୟ ମଧ୍ୟରେ ଟିକା ତିଆରି କରିବାରେ ବୈଜ୍ଞାନିକ ସଫଳ ହୋଇଥିଲେ । ଏତେ କମ ସମୟରେ ଟିକା ଆବିଷ୍କାର ହେବା ନିଶ୍ଚୟ ପୃଥିବୀ ଓ ମାନବ ପ୍ରଜାତି ପାଇଁ ବରଦାନ ଥିଲା । କରୋନା ଟିକା ଯେତେବେଳେ ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲା ସେତେବେଳେ ଅନେକ ଆଶଙ୍କା କରୁଥିଲେ ଯେ ଏଡସ ଟିକା ଖୋଜା ଭଳି ଏହାର ମଧ୍ୟ ଅବସ୍ଥା ହେବ । 40 ବର୍ଷରୁ ଅଧିକ ସମୟ ଧରି ଏଡସ ଟିକା ଉପରେ କାମ ଚାଲିଛି କିନ୍ତୁ ଏଯାଁଏ ସଫଳତା ମିଳିନାହିଁ । ତେଣୁ କରୋନା ଟିକା ଗୋଟିଏ ବର୍ଷରେ ଆବିଷ୍କୃତ ହୋଇଯିବ ବୋଲି ଭାବିବା ଭୁଲ । କିନ୍ତୁ ସୌଭାଗ୍ୟକୁ ସବୁ ଆଶଙ୍କା ମିଥ୍ୟା ପ୍ରମାଣିତ ହୋଇଥିଲା । ତେବେ ପ୍ରଶ୍ନ ଉଠୁଛି ଯଦି ଗୋଟିଏ ବର୍ଷରୁ କମ ସମୟରେ କରୋନା ଟିକା ଆବିଷ୍କୃତ ହୋଇ ପାରିଲା ତେବେ 40 ବର୍ଷ ଭିତରେ ଏଚଆଇଭି ଟିକା କାହିଁକି ଆବିଷ୍କାର ହୋଇ ପାରିନି

After 2nd paragraph post ads

ଦୁନିଆରେ କେତେ ଏଡସ୍ ରୋଗୀ ?

ପ୍ରଥମ ଏଡସ ରୋଗୀ ସାମ୍ନାକୁ ଆସିବାର ଏହା ଭିତରେ 40 ବର୍ଷ ବିତିଗଲାଣି । ଗୋଟିଏ ସମୟରେ ଏଡସର ଅର୍ଥ ଥିଲା ମୃତ୍ୟୁ । ଅବଶ୍ୟ ଏବେ ଏହି ରୋଗକୁ ବୈଜ୍ଞାନିକ ‘ମ୍ୟାନେଜବୁଲ’ ସ୍ତରକୁ ଆଣି ସାରିଲେଣି । ଅର୍ଥାତ କିଛି ଔଷଧ ଏଡସ ରୋଗୀଙ୍କୁ ଅଧିକ ଦିନ ବଂଚାଇ ପାରୁଛି । ତଥାପି ଏହି ରୋଗରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି 3 କୋଟିରୁ ଅଧିକ । 3 କୋଟି 80 ଲକ୍ଷ ରୋଗୀ ଏବେ ମଧ୍ୟ ଟିକାକୁ ଅପେକ୍ଷା କରିଛନ୍ତି ।

ଏଡସର ଚିକିତ୍ସା କ’ଣ ?

ଚିକିତ୍ସା ଦୁନିଆରେ ଏବେ ଲୋକଙ୍କ ପାଖରେ ଏକ ବିଶେଷ ପ୍ରକାରର ପଦ୍ଧତି ରହିଛି । ଯାହାକୁ ଆଣ୍ଟିରିଟ୍ରୋଭାଇରାଲ ଥେରାପି ବା ଏଆରଟି କୁହାଯାଏ । ଏହାକୁ ନେବା ଦ୍ୱାରା ରୋଗୀଙ୍କ ଶରିରରେ ଏଡସ ଭାଇରସର ମାତ୍ରା କମ ହୋଇଯାଏ । ଫଳରେ ରୋଗୀ ସୁସ୍ଥ ରୁହେ । ଏହା ସହିତ ରୋଗୀଠାରୁ ଏହା ତାର ସାଥିକୁ ସଂକ୍ରମିତ ହୁଏ ନାହିଁ । ଏହା ବ୍ୟତିତ ଯେଉଁମାନେ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି ସେମାନେ ପ୍ରି ଏକ୍ସପୋଜର ପୋଫିଲିକ୍ସିସ ବା ପ୍ରେପ୍ ମଧ୍ୟ ନେଇ ପାରନ୍ତି । ଏହି ଔଷଧ ଦୈନିକ ନେବା ଦ୍ୱାରା ସଂକ୍ରମଣର ସମ୍ଭାବନା 99 ପ୍ରତିଶତ କମିଥାଏ

ତେବେ ଟିକାର ଆବଶ୍ୟକତା କ’ଣ ପାଇଁ ?

Middle post content

ପ୍ରଥମ ତଥା ବଡ କାରଣ ହେଉଛି ଯେ, ଚିକିତ୍ସାର ଏହି ପଦ୍ଧତି ଦୁନିଆର ସମସ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ । ବିଶ୍ୱର ଗରିବ ରାଷ୍ଟ୍ରଙ୍କ ପାଇଁ ଏହି ଚିକିତ୍ସା ବ୍ୟୟବହୁଳ । ଏପରିକି ଧନୀ ରାଷ୍ଟ୍ର ମଧ୍ୟ ଏହା ଅନୁଭବ କରୁଛନ୍ତି ଯେ, ଟିକା ହିଁ ଏଡସ ରୋକିବାର ସବୁଠାରୁ ଉପଯୁକ୍ତ ମାଧ୍ୟମ । ବର୍ତ୍ତମାନ ଜନସନ୍ ଆଣ୍ଡ୍ ଜନସନ୍ କମ୍ପାନି ଏଚଆଇଭି ଟିକାର ଦୁଇଟି ମାନବୀୟ ପରୀକ୍ଷଣ କରୁଛି । ଗୋଟିକର ପ୍ରାରମ୍ଭିକ ଫଳାଫଳ ଚଳିତ ବର୍ଷ ଶେଷ ବେଳକୁ ଆସିବାର ସମ୍ଭାବନା ରହିଛି ।

କେତେ ଚ୍ୟାଲେଞ୍ଜି ଏଚଆଇଭି ଟିକା ?

କୋଭିଡ୍ ଟିକା ଏତେ ଶୀଘ୍ର ଆସିବାର ଗୋଟିଏ କାରଣ ହେଉଛି ଟିକା ବିକଶିତ କରୁଥିବା ସଂସ୍ଥାଙ୍କୁ ପୁରା ଦୁନିଆର ସମର୍ଥନ ଓ ସହଯୋଗ ମିଳିଥିଲା । ଏହା ସହିତ ଏଡସ ଟିକା ବିକଶିତ କରିବା ଦିଗରେ ଯେଉଁ ଗବେଷଣା ହୋଇଥିଲା ତାହା ମଧ୍ୟ କୋଭିଡ୍ ଟିକା ବିକାଶରେ କାମରେ ଆସିଥିଲା । ଆଉ ଗୋଟିଏ ବଡ କାରଣ ହେଉଛି ଏଚଆଇଭି ଓ କୋଭିଡ୍ ମଧ୍ୟରେ ବିରାଟ ପ୍ରଭେଦ ରହିଛି । ତାହା ହେଉଛି ମାନବ ଶରିରର ପ୍ରତିରକ୍ଷା ପ୍ରଣାଳୀ ଏଚଆଇଭି ବିରୋଧରେ ନିଜେ ଲଢିବାକୁ ସକ୍ଷମ ନୁହେଁ । ଅପରପକ୍ଷରେ ମାନବ ଶରିରରେ ଥିବା ରୋଗ ପ୍ରତିରୋଧକ କ୍ଷମତା କୋଭିଡ୍ ବିରୋଧରେ ନିଜେ ଲଢିବାରେ ସକ୍ଷମ । କୋଭିଡ୍ ଟିକାର ଆଣ୍ଟିବଡିକୁ ଭାଇରସର ସ୍ପାଇକ୍ ପ୍ରୋଟିନ୍ ସହ ବାନ୍ଧିବା ପାଇଁ ଏହା ପ୍ରସ୍ତୁତ କରିଥାଏ । ଫଳରେ ମାନବୀୟ କୋଷିକା ସଂକ୍ରମିତ ହେବାରୁ ରକ୍ଷା ପାଇଥାଏ ।

କିନ୍ତୁ ଏଚଆଇଭି ଭିନ୍ନ…

ଏଚଆଇଭିରେ ମଧ୍ୟ ସ୍ପାଇକ୍ ଆକାରର ଏକ ପ୍ରୋଟିନ୍ ରହିଥାଏ । ଯାହା ଆଧାରରେ ଏଚଆଇଭି ଟିକା ବିକାଶ କରିବା ଉଦ୍ୟମ ଚାଲିଛି । ତେବେ ସମସ୍ୟା ହେଉଛି କୋଭିଡର ମାତ୍ର କେଇଟି ଭ୍ୟାରିଆଣ୍ଟ୍ ଦୁନିଆରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଏଚଆଇଭି କ୍ଷେତ୍ରରେ ଏହା ଅଲଗା । ଜଣେ ଏଚଆଇଭି ସଂକ୍ରମିତଙ୍କ ଶରିରରେ ହିଁ ହଜାରରୁ ଅଧିକ ଭ୍ୟାରିଆଣ୍ଟ ମିଳିଯିବେ । ଯେହେତୁ ଏହା ଏକ ରେଟ୍ରୋ ଭାଇରସ ତେଣୁ ଏହା ଖୁବଶୀଘ୍ର ବ୍ୟକ୍ତିର ଡିଏନଏ ସହିତ ନିଜକୁ ଯୋଡି ଦେଇଥାଏ । ତେଣୁ ସଫଳ ଟିକାକୁ ଭାଇରସକୁ ଶେଷ କରିବା ସହିତ ବ୍ୟକ୍ତି ଶରିରରେ ସବୁବେଳ ପାଇଁ ରହିବାକୁ ପଡିବ ।

ଟିକା ଟ୍ରାଏଲ ରିଜଲ୍ଟ କ’ଣ ?

ଏଚଆଇଭି ଟିକା ବିକଶିତ କରିବା ପାଇଁ ଅନେକ ପ୍ରୟାସ ହୋଇଛି । କିନ୍ତୁ ସବୁ ବିଫଳ ହୋଇଛି । ଜନସନ୍ ଆଣ୍ଡ୍ ଜନସନ ଟିକାର ମାନବୀୟ ପରୀକ୍ଷଣ ଏବେ ଆଫ୍ରିକାରେ ଚାଲିଛି । ଏହାର ଫଳାଫଳ ଆଗାମୀ କିଛି ମାସ ମଧ୍ୟରେ ଆସିବ । ଅନ୍ୟପକ୍ଷରେ ଆମେରିକା, ୟୁରୋପ ଓ ଦକ୍ଷୀଣ ଆଫ୍ରିକାରେ ଚାଲିଥିବା ଟ୍ରାଏଲର ତଥ୍ୟ 2024 ସୁଧା ଆସିବ । ତେବେ ଆଶା କରାଯାଉଛଇ ଯେ, m RNA ଟେକନିକ୍ କିଛି ଭଲ ଫଳାଫଳ ଦେବ । ସୂଚନାଯୋଗ୍ୟ ଯେ, ଏହି ଟେକିନିକରେ ହିଁ କୋଭିଡ୍ ଟିକା ତିଆରି ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami