ଚୀନର ରାଷ୍ଟ୍ରପତି କିଏ ? ସି ଜିନ୍ ପିଙ୍ଗଙ୍କୁ କାହିଁକି ରାଷ୍ଟ୍ରପତି ବୋଲି ମାନୁନି ଆମେରିକା ?

Above Post Content

ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଛି ପ୍ରତିଦ୍ୱନ୍ଦ୍ୱିତା । ଆଗାମୀ ଦିନରେ କିଏ ବିଶ୍ୱ ମହାଶକ୍ତି ହେବ ତାକୁ ନେଇ ଏହି ପ୍ରତିଦ୍ୱନ୍ଦ୍ୱିତା । ଚୀନର ଅଭିଯୋଗ ଯେ, ପାଶ୍ଚାତ୍ୟ ଶକ୍ତି ଗତ ଦୁଇ ଶହ ବର୍ଷ ଧରି ଚୀନ ସହିତ ଅନ୍ୟାୟ କରିଛନ୍ତି । ଆଉ ବିଶ୍ୱଶକ୍ତି ଭାବେ ଉଭା ହୋଇ ଚୀନ୍ ଏହି ଅନ୍ୟାୟର ପ୍ରତିଶୋଧ ନେବାକୁ ଚାହୁଁଛି । କିନ୍ତୁ ବିଶ୍ୱର ଏକ ନମ୍ବର ଆର୍ଥିକ ଓ ସାମରିକ ଶକ୍ତି ଆମେରିକା ଏତେ ସହଜରେ ନିଜ ସ୍ଥାନ ଛାଡିବାକୁ ଚାହୁଁନାହିଁ । କରୋନା କାଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସର୍ବକାଳୀନ ନିମ୍ନକୁ ଯାଇଛି ଏଥିରେ ସନ୍ଦେହ ନାହିଁ । ପୂର୍ବତନ ରାଷ୍ଟ୍ରତି ଡୋନାଲ୍ଡ ଟ୍ରମ୍ପ୍ ତ’ କରୋନା ଭାଇରସକୁ ଚୀନ୍ ଭାଇରସ ବୋଲି ଶେଷ ପର୍ଯ୍ୟନ୍ତ କହୁଥିଲେ । ଚୀନ୍ ଏଭଳି ଭାଇରସ ତିଆରି କରି ବାକି ବିଶ୍ୱର ଅର୍ଥନୀତିକୁ ଆଣ୍ଢେଇ ନିଜେ ଅଣ୍ଟା ସଳଖିବାକୁ ଚାହୁଁଛି ବୋଲି ଆମେରିକୀୟ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତ । ଉହାନ ଲାବ୍ରୋଟୋରି ଉପରେ ଆମେରିକା ଗୁଇନ୍ଦା ଏଜେନ୍ସୀଙ୍କ ନଜର । ତେବେ ଏହି କରୋନା କାଳରେ ଆଉ ଗୋଟିଏ କଥା ମଧ୍ୟ ଘଟିଥିଲା କିନ୍ତୁ ସେଇ ଘଟଣାକୁ ନେଇ ଏତେଟା ଚର୍ଚ୍ଚା ହୋଇନଥିଲା । ସେହି ଘଟଣା ହେଉଛି ଯେ, ଆମେରିକା ଚୀନ୍ ଇତିହାସର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ସି ଜିନ୍ ପିଙ୍ଗଙ୍କୁ ରାଷ୍ଟ୍ରପତି ଭାବେ ମାନିବାକୁ ମନା କରିଦେଇଥିଲା

ସି ଜିନ୍ ପିଙ୍ଗ୍ କିଏ ?

After 2nd paragraph post ads

ଏହି ପ୍ରଶ୍ନ ଆପଣଙ୍କୁ ଯଦି ପଚରାଯାଏ ଓ ଆପଣ ବିଶ୍ୱ ଘଟଣାକ୍ରମକୁ ନେଇ ରୁଚି ରଖନ୍ତି ତେବେ ତୁରନ୍ତ ଉତ୍ତର ଦେବେ ଯେ, ସେ ହେଉଛନ୍ତି ଚୀନ୍ ରାଷ୍ଟ୍ରପତି । କିନ୍ତୁ ଆମେରିକା ତାଙ୍କୁ ଚୀନ ରାଷ୍ଟ୍ରପତି ଭାବେ ମାନିବାକୁ ପ୍ରସ୍ତୁତ ନୁହେଁ ।

ଚୀନରେ ନାହାନ୍ତି କୌଣସି ରାଷ୍ଟ୍ରପତି

ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହାହିଁ ସତ । ଚୀନରେ କୌଣସି ରାଷ୍ଟ୍ରପତି ନାହାନ୍ତି । ଏଥିପାଇଁ ନୁହେଁ ଯେ, କେହି ରାଷ୍ଟ୍ରପତି ଏବେ ନାହାନ୍ତି । ଏଥିପାଇଁ ଯେ, ଚୀନରେ ରାଷ୍ଟ୍ରପତି ବୋଲି ଗୋଟିଏ ପଦବୀ ହିଁ ନାହିଁ । 2020ରେ ଯେତେବେଳ ଆମେରିକା ଓ ଚୀନ୍ କରୋନା ଭୂତାଣୁକୁ ନେଇ ମୁହାଁମୁହିଁ ହେଲେ ସେତେବେଳେ ପ୍ରଥମଥର ପାଇଁ ଆମେରିକା ଖୋଲାଖୋଲି ଏହି ପ୍ରସଙ୍ଗ ଉପରେ ମୁହଁ ଖୋଲିଥିଲା । ସେହି ସମୟରେ ଆମେରିକା ରାଷ୍ଟ୍ରପତି ଥିଲେ ଡୋନାଲ୍ଡ୍ ଟ୍ରମ୍ପ । ଟ୍ରମ୍ପ ପ୍ରଶାସନ କରୋନା ଭୂତାଣୁ ସଂକ୍ରମଣ ଦ୍ୱାରା ନାକେଦମ ହୋଇସାରିଥିଲା । ଟ୍ରମ୍ପଙ୍କ ପୁରା ରାଗ ଚୀନ ଉପରେ ଥିଲା । ସେ କେବଳ କରୋନାକୁ ଚୀନ୍ ଭାଇରସ କହିନଥିଲେ । ତତ୍କାଳନୀ ଟ୍ରମ୍ପ ପ୍ରଶାସନ ମଧ୍ୟ ଏହା କହିଥିଲେ ଯେ, ଜିନ୍ ପିଙ୍ଗ୍ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ଜେନରାଲ ସେକ୍ରେଟେରି । ତେଣୁ ତାଙ୍କୁ ରାଷ୍ଟ୍ରପତି ବୋଲି କହିବା ବନ୍ଦ ହେଉ ।

Middle post content

ଆମେରିକା ଜିନପିଙ୍ଗଙ୍କୁ ଜେନରାଲ ସେକ୍ରେଟେରି ବୋଲି କହିଥିଲା

ସେତେବେଳ ଆମେରିକାର ରିପବ୍ଲିକାନ ପାର୍ଟିର ସାଂସଦ ସ୍କଟ୍ ପେରୀ କହିଥିଲେ ଯେ, ଜିନ୍ ପିଙ୍ଗଙ୍କୁ ଚୀନ୍ ଜନତା ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ କରି ନାହିଁ । ତେଣୁ ସେ ରାଷ୍ଟ୍ରପତି ନୁହନ୍ତି । ଏମିତି ଦେଖିବାକୁ ଗଲେ ଏହା ସତ ମଧ୍ୟ । ବର୍ତ୍ତମାନ ଜିନପିଙ୍ଗଙ୍କ ପାଖେ ତିନୋଟି ଉପାଧି ରହିଛି । ତାହା ମଧ୍ୟରୁ ଗୋଟିଏ ହେଉଛି ଷ୍ଟେଟ୍ ଚେୟାରମ୍ୟାନ୍ ପଦ । ସେ ମଧ୍ୟ କେନ୍ଦ୍ରିୟ ସେନା କମିଶନର ଅଧ୍ୟକ୍ଷ । ତାଙ୍କର ତୃତୀୟ ଉପାଧି ହେଉଛି ସେ ହେଉଛନ୍ତି ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ଜେନରାଲ ସେକ୍ରେଟେରୀ ବା ମହାସଚିବ । ଏହି ତିନି ଉପାଧି ମଧ୍ୟରୁ ଗୋଟିଏ ମଧ୍ୟ ରାଷ୍ଟ୍ରପତି ପଦବୀର ସମକକ୍ଷ ନୁହେଁ । ଏପରିକି ଚୀନ୍ ମିଡିଆ ମଧ୍ୟ ଜିନପିଙ୍ଗଙ୍କୁ ପାର୍ଟି ନେତା ଭାବେ ସମ୍ବୋଧିତ କରିଥାଏ । ତାଙ୍କୁ ଦେଶର ରାଷ୍ଟ୍ରପତି ଭାବେ ମିଡିଆ କେବେ ମଧ୍ୟ ସମ୍ବୋଧିତ କରେନାହିଁ । କିନ୍ତୁ ଆମେରିକା ସମେତ ଅନ୍ୟ ସବୁ ଦେଶ ତାଙ୍କୁ ରାଷ୍ଟ୍ରପତି ଭାବେ ସମ୍ବୋଧିତ କରନ୍ତି । ନିଜ ଦେଶରେ ତାଙ୍କୁ ରାଷ୍ଟ୍ରପତି ଭାବେ ସମ୍ବୋଧିତ କରାଯାଏ ନାହିଁ କିନ୍ତୁ ବାହାରେ ତାଙ୍କ ପରିଚୟ ହେଉଛି ଚୀନର ରାଷ୍ଟ୍ରପତି । କେବଳ ଜିନ୍ ପିଙ୍ଗ୍ ନୁହନ୍ତି ତାଙ୍କ ପୂର୍ବରୁ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ପ୍ରତିଷ୍ଠାତା ମାଓ ସେ ତୁଙ୍ଗଙ୍କ ପଦବୀ ପାର୍ଟି ମହାସଚିବ ଥିଲା । ତାଙ୍କୁ ମଧ୍ୟ ଚୀନରେ ରାଷ୍ଟ୍ରପତି ବୋଲି ସମ୍ବୋଧିତ କରାଯାଉ ନଥିଲା କିନ୍ତୁ ବାହାର ଦେଶରେ ସେ ରାଷ୍ଟ୍ରପତି ଭାବେ ପରିଚିତ ଥିଲେ । ତେବେ ଏବେ ଜିନ୍ ପିଙ୍ଗଙ୍କୁ ରାଷ୍ଟ୍ରପତି ଭାବେ ଆମେରିକା ଗ୍ରହଣ ନକରିବାର କାରଣ ହେଉଛି କରୋନ ପରେ ଚୀନ୍ ଉପରେ ଚାପ ପକାଇବା ।

ଏମିତି ଆସିଥିଲେ ରାଜନୀତିକୁ

ଜିନପିଙ୍ଗଙ୍କ ପିତା କମ୍ୟୁନିଷ୍ଟ୍ ପାର୍ଟିର ସଦସ୍ୟ ଥିଲେ । କିନ୍ତୁ ମାଓଙ୍କ ସାଂସ୍କୃତିକ ବିପ୍ଲବ କାଳରେ ତାଙ୍କୁ ବିପ୍ଲବ ବିରୋଧୀ କାମ ଅଭିଯୋଗରେ ଦଣ୍ଡିତ କରାଯାଇଥିଲା । ଜିନ୍ ପିଙ୍ଗ୍ କିନ୍ତୁ ନିଜ ପିତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ନେଇ କେବେ ମଧ୍ୟ ପ୍ରକିକ୍ରିୟାଶୀଳ ହୋଇନଥିଲେ । ସେ ସହରରୁ ଗାଁକୁ ଯାଇ ପାର୍ଟି ପାଇଁ କାମ କରିଥିଲେ । 1974 ମସିହାରେ 8ଥର ବିଫଳ ପ୍ରୟାସ ପରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା । ଏହାପରେ ସେ ଦଳରେ ବିଭିନ୍ନ ପଦବୀରେ କାମ କରିଥିଲେ । 2008ରେ ସେ ଦଳରେ ଉପ ମହାସଚିବ ହୋଇଥିଲେ । 2012ରେ ସେ ଦେଶର ସବୁଠାରୁ ଶକ୍ତିଶାଳୀ ପଦବୀ ପାର୍ଟି ଜେନରାଲ ସେକ୍ରେଟେରି ଭାବେ ମନୋନିତ ହୋଇଥିଲେ ।

ନିଜ ପ୍ରଚାରରେ ମାହିର

ଜିନ୍ ପିଙ୍ଗ ନିଜ ପ୍ରଚାର କରିବାରେ ମାହିର ବୋଲି କୁହାଯାଏ । ଗାଉଁଳି ଭାଷା କହୁଥିବା ଜିନ୍ ପିଙ୍ଗ୍ ସ୍ଥାନୀୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ସେ ତାଙ୍କ ଚାରିପଟେ କିମ୍ବଦନ୍ତୀର ପାହାଡ ସୃଷ୍ଟି କରିପାରିଛନ୍ତି । ତାଙ୍କୁ ନେଇ ଚୀନ୍ ମିଡିଆରେ ଏମିତି ପ୍ରଚାର ଚାଲେ ଯେ, କେଉଁଟା ସତ କେଉଁଟା ମିଛ ତାହା ବାରିବା କଷ୍ଟସାଧ୍ୟ ହୋଇପଡେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami