ଲୁଟ୍ ଆମେରିକା ଅସ୍ତ୍ର ପାକିସ୍ତାନ ଦେଇ କାଶ୍ମୀରରେ ପହଞ୍ଚିବ !

Above Post Content

ତରବରିଆ ଭାବେ ଆଫଗାନିସ୍ତାନ ଛାଡିବା ସହ ଆମେରିକା ପଛରେ ଛାଡି ଯାଇଥିଲା ଢେର ଆଧୁନିକ ଅସ୍ତ୍ର । ସେହି ସବୁ ଛୋଟ ଅସ୍ତ୍ରଠାରୁ ଆରମ୍ଭ କରି ବଡ ସାଞ୍ଜୁଆ ଗାଡି ଏବେ ତାଲିବାନ ହାତରେ ପଡିଛି । ଏହି ସବୁ ଅସ୍ତ୍ର କେବଳ ତାଲିବାନର ଶକ୍ତି ବଢାଇନାହିଁ ଏହା ମଧ୍ୟ ତାକୁ ଅର୍ଥ ରୋଜଗାରର ସୁଯୋଗ ଦେଇଛି । ତାଲିବାନ ଏବେ ସେହି ସବୁ ଅସ୍ତ୍ର ମଧ୍ୟରୁ ଯଥେଷ୍ଟ ନିଜ ପାଇଁ ରଖି ବଳକା ଅସ୍ତ୍ରକୁ ପାକିସ୍ତାନକୁ ବିକ୍ରି କରୁଥିବା ଜଣା ପଡିଛି । ଭାରତୀୟ ସୁରକ୍ଷା ବିଶେଷଜ୍ଞଙ୍କ ଆଶଙ୍କା ଯେ, ଏହି ସବୁ ଆମେରିକୀୟ ଅସ୍ତ୍ରକୁ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସୀ କାଶ୍ମୀର ଆତଙ୍କବାଦୀଙ୍କୁ ଦେବ । ଯାହାଫଳରେ କାଶ୍ମୀରରେ ହିଂସାର ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇପାରିବ ।

କାବୁଲ ପତନକୁ ନେଇ ପାକ୍ ଆତଙ୍କବାଦୀ ଖୁସି

After 2nd paragraph post ads

ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ କହିବା ହେଉଛି ଏହି ଅସ୍ତ୍ରଶସ୍ତ୍ରକୁ କାଶ୍ମୀରରେ ସକ୍ରୀୟ ଥିବା ଆତଙ୍କବାଦୀଙ୍କ ପାଖକୁ ପଠାଇବା ପାଇଁ ଆଇଏସଆଇ ନିଶ୍ଚୟ ଉଦ୍ୟମ କରିବ । ଏବେ ଆଫଗାନିସ୍ତାନରୁ ଆମେରିକୀୟ ଅସ୍ତ୍ରସବୁ ପାକିସ୍ତାନୀ ସୀମା ମଧ୍ୟକୁ ପ୍ରବେଶ କରିବାରେ ଲାଗିଲାଣି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ କାବୁଲ ପତନ ପରାଠାରୁ ପେଶାୱାର ଦେଇ ଆଫଗାନିସ୍ତାନରୁ ଅସ୍ତ୍ରଶସ୍ତ୍ର ଆସୁଛି । ଟ୍ରକ୍ ଟ୍ରକ୍ ଅସ୍ତ୍ର ଗାଡି ନେଇ ପ୍ରତ୍ୟେକ ଦିନ ପାକିସ୍ତାନ ଆସୁଛନ୍ତି । ସୁରକ୍ଷା ଏଜେନ୍ସିଙ୍କ ଅନୁସାରେ ଆଇଏସଆଇ ଛୋଟ ଅସ୍ତ୍ର କାଶ୍ମୀର ପଠାଇପାରେ ।

Middle post content

କାଶ୍ମୀର ପାଇଁ କେତେ ବିପଦ ?

ଏକ ଅନୁମାନ ଅନୁସାରେ ଆମେରିକା ଆଫଗାନିସ୍ତାନୀ ସେନାକୁ ୬ ଲକ୍ଷ ୫୦ ହଜାର ଛୋଟ ହତିଆର ଦେଇଥିଲା । ଯାହା ମଧ୍ୟରେ ଏମ-୧୬ ଓ ଏମ-୪ ଆସଲ୍ଟ ରାଇଫଲ ସାମିଲ ଥିଲା । ତାଲିବାନ ଅସ୍ତ୍ର ସହିତ ସଂଚାର ଉପକରଣ ମଧ୍ୟ ଲୁଟ୍ କରିଛି । ଏହା ସହିତ ଅନ୍ଧାରରେ ଦେଖାଯାଇ ପାରୁଥିବା ନାଇଟଭିଜନ ଚଷମା, ବୁଲେଟପ୍ରୁଫ୍ ଜ୍ୟାକେଟ୍ ଓ ସ୍ନାଇପର ରାଇଫଲ ମଧ୍ୟ ତାଲିବାନ ହାତରେ ପଡିଛି । ଏହି ସବୁ ଅସ୍ତ୍ର କାଶ୍ମୀର ଆତଙ୍କବାଦୀଙ୍କ ହାତରେ ପଡିଲେ ଭାରତୀୟ ସୁରକ୍ଷା ବଳଙ୍କ ପାଇଁ ମୁସ୍କିଲ ସୃଷ୍ଟି ହୋଇପାରେ । ତେବେ ଏହା ସହିତ ସୁରକ୍ଷା ଏଜେନ୍ସି ଏହାମଧ୍ୟ ମାନନ୍ତି ଯେ, ଯେତେ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜିତ ହେଲେ ମଧ୍ୟ କାଶ୍ମୀର ଜିତିବା ଆତଙ୍କବାଦୀଙ୍କ ପକ୍ଷରେ ସମ୍ଭବ ନୁହେଁ ।

ଭାରତୀୟ ସେନା ପ୍ରସ୍ତୁତ

ତାଲିବାନ ଆତଙ୍କବାଦୀ କିମ୍ବା ତାଲିବାନ ଜରିଆରେ ଅସ୍ତ୍ର କାଶ୍ମୀରରେ ପହଂଚିଲେ ମଧ୍ୟ ଭାରତୀୟ ସେନା ପ୍ରସ୍ତୁତ ଅଛି । ସୁରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଭାରତୀୟ ସେନା ପାଇଁ ୧୯୯୦ର ଅନୁଭବ କାମରେ ଆସିବ । ଏହାଛଡା ତାଲିବାନୀଙ୍କ ମହିଳା ବିରୋଧୀ ହିଂସା ମଧ୍ୟ ସେମାନଙ୍କ ବିରୋଧରେ ଯିବ । ତାଲିବାନୀଙ୍କ ଅତ୍ୟାଚାରର ଅନୁଭବ ରଖିଥିବା ସ୍ଥାନୀୟ ବାସିନ୍ଦା ନିଜ ତରଫରୁ ସୁରକ୍ଷା ଏଜେନ୍ସିଙ୍କୁ ବିଦେଶୀ ଆତଙ୍କବାଦୀଙ୍କ ବାବଦରେ ସୂଚନା ଦେବେ ବୋଲି ସୁରକ୍ଷାବଳ ପୁରା ବିଶ୍ୱାସ କରନ୍ତି । ୧୯୯୦ ମସିହାରେ କାଶ୍ମୀର ମଧ୍ୟକୁ ପ୍ରବେଶ କରିଥିବା ଆଫଗାନୀ ଆତଙ୍କବାଦୀଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ । କାରଣ ସେମାନଙ୍କୁ ସ୍ଥାନୀୟ ସମର୍ଥନ ମିଳିନଥିଲା । ସ୍ଥାନୀୟ ଆତଙ୍କବାଦୀ ମଧ୍ୟ ଏହି ଆଫଗାନୀ ଆତଙ୍କବାଦୀଙ୍କ ବାବଦରେ ସୂଚନା ଦେଉଥିଲେ । କାରଣ ଆଫଗାନୀଙ୍କ ନଜରରେ କାଶ୍ମୀର ଆତଙ୍କବାଦୀ ସାହାସୀ ନୁହନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami