ଲକ୍ଷ୍ୟ ସ୍ଥିର ହେଲେ ସଫଳତା ନିଶ୍ଚିତ

Above Post Content

କୁହାଯାଏ ଯଦି ଲକ୍ଷ୍ୟ ନିର୍ଦ୍ଦିଷ୍ଟ ଓ ସ୍ଥିର ତେବେ ବିଳମ୍ବ ହେଲେ ବି ସଫଳତା ନିଶ୍ଚିତ ଆସିବ । ଆଉ ଏକଥାକୁ ନିଜ କାର୍ଯ୍ୟରେ ପ୍ରମାଣିତ କରିଛନ୍ତି ଏସୀୟ କ୍ରୀଡ଼ାରେ ଜାଭଲିନ ଥ୍ରୋ ପଦକ ବିଜେତା କିଶୋର ଜେନା । ଅଭାବ ଓ କଷଣ ଭିତରେ ବି ନିଜ ଲକ୍ଷ୍ୟ ରେ ପହଞ୍ଚି ସେ ପ୍ରମାଣିତ କରିଛନ୍ତି ଆଗକୁ ମାଡିଚାଲ… ନିଶ୍ଚିତ ଲକ୍ଷ୍ୟ ହାସଲ ହେବ । ନିଜର ସଫଳତାକୁ ନେଇ ଏବେ ତାଙ୍କୁ ସମସ୍ତେ କହୁଛନ୍ତି, ସେ ହେଉଛି ‘କୋଠସାହିର କୋହିନୁର’ ।

ପିଲାବେଳୁ ଖେଳ ପ୍ରତି ଥିଲା ଆଗ୍ରହ

After 2nd paragraph post ads

ପୁରୀ ଜିଲ୍ଲା ବ୍ରହ୍ମଗିରି କୋଠସାହି ଗାଁର କିଶୋର ଜେନା । କେଶବ ଜେନା ଓ ହରପ୍ରିୟା ଜେନାଙ୍କ ପୁଅ କିଶୋର । ୭ ଝିଅ ପରେ କିଶୋର ଜନ୍ମ ହୋଇଥିବାରୁ ବହୁତ ଗେଲବେସର ଥିଲେ । ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବାରୁ କିଶୋରଙ୍କ ପିଲାଦିନ ଥିଲା ଅତ୍ୟନ୍ତ ସଂଘର୍ଷମୟ । ବ୍ରହ୍ମଗିରି ହାଇସ୍କୁଲ୍‌ରେ ସେ ଯେତେବେଳେ ୮ମ-୯ମ ଶ୍ରେଣୀରେ ପଢୁଥିଲେ, ସେହି ସମୟରୁ ଖେଳକୁଦରେ ଆଗ୍ରହ ବଢିଥିଲା । ହେଲେ,ବାପା ଚାହୁଁଥିଲେ ପୁଅ ପାଠପଢି ଭଲ ଚାକିରିଟିଏ କରୁ । ପୁଅର ଭବିଷ୍ୟତ କଥା ସବୁବେଳେ ଭାବୁଥିଲେ କେଶବ । ହେଲେ, କିଶୋର କାହାରି କଥା ଶୁଣୁ ନ ଥିଲେ । ଦିନେ କିଶୋର ଖେଳିସାରି ଘରକୁ ଫେରିବା ପରେ କାହିଁକି ପାଠରେ ଧ୍ୟାନ ଦେଉନୁ ବୋଲି ପଚାରିକି ଗାଳିଦେଲେ କେଶବ । କିଶୋରଙ୍କ ପାଇଁ ଏହି ଗାଳି ବୋଧେ ଅସହ୍ୟ ହୋଇପଡ଼ିଥିଲା । ସେ ଆଉ ଘର ଭିତରକୁ ନ ଯାଇ ଚାଲିଗଲେ ଗାଁ ପାଖ କାଣିଆ ନଈ କୂଳକୁ । ନଈକୁ ଡେଇଁ ପଡ଼ିଲେ । ନଦୀ ପାର ହୋଇ କିଛି ଦୂରକୁ ପଳାଇଲେ । ବହୁ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକେ ବ୍ୟସ୍ତ ହୋଇପଡ଼ିଲେ । ଚାରିଆଡ଼େ ଖୋଜାଖୋଜି କରି କିଶୋରଙ୍କୁ ବୁଝାଶୁଝା କରି ଘରକୁ ଫେରାଇ ଆଣିଲେ କେଶବ ।

ଲକ୍ଷ୍ୟ ଥିଲା ଦେଶ ପାଇଁ ଲଢିବେ

ସେବେଠୁ କେଶବ ଆଉ କେବେ ବି କିଶୋର ଓ ତାଙ୍କ କ୍ରୀଡ଼ା ପ୍ରତିଭା ମଧ୍ୟରେ ପାଚେରି ହୋଇନାହାନ୍ତି । ବରଂ ଯେତେବେଳେ ଯେଉଁ କ୍ରୀଡ଼ା ସରଞ୍ଜାମର ଆବଶ୍ୟକତା ପଡ଼ିଛି ସବୁ ଆଣି ଖଞ୍ଜି ଦେଇଛନ୍ତି । ଅଷ୍ଟମ ଶ୍ରେଣୀରେ ପଢୁଥା’ନ୍ତି କିଶୋର । ସେହି ସମୟରେ ଯେତେବେଳେ ଜାଭ୍‌ଲିନ୍ ଥ୍ରୋ’ କଥା କେହି କେବେ ଭାବୁ ନ ଥିଲେ, ସ୍କୁଲ୍ କ୍ରୀଡ଼ାରେ ଜାଭ୍‌ଲିନ୍ ଥ୍ରୋ’ କରି ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ ସେ । ଏହାପରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ସେ ଜାଭ୍‌ଲିନ୍‌ରେ ଶୀର୍ଷରେ ରହି ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ, ଜାଭ୍‌ଲିନ୍‌ରେ ଭଲ ପ୍ରଦର୍ଶନ କରୁଥିଲେ ବି କିଶୋରଙ୍କ ପ୍ରଥମ ପସନ୍ଦ ଥିଲା ଭଲିବଲ୍ । ଦଶମ ପରୀକ୍ଷା ପରେ କିଶୋରଙ୍କ ଲକ୍ଷ୍ୟ ଥିଲା ସେନାବାହିନୀରେ ଯୋଗଦେବେ । ଦେଶ ପାଇଁ ଲଢ଼ିବେ । ଏଥିପାଇଁ କମ୍ ସଂଘର୍ଷ କରିବାକୁ ପଡ଼ି ନ ଥିଲା ତାଙ୍କୁ । ଭୋର ୩ଟାରୁ ଆରମ୍ଭ ହେଉଥିଲା କସରତମୟ ଜୀବନ । ୪ଟାରୁ ବ୍ରହ୍ମଗିରି ବ୍ଲକ୍ ଛକରୁ ସୁନାମୁହିଁ ପର୍ଯ୍ୟନ୍ତ ଦୌଡ଼ୁଥିଲେ, ସେଠୁ ପୁଣି ବ୍ଲକ୍ ଛକକୁ ଆସି ବ୍ରହ୍ମଗିରି କଲେଜ ପଡ଼ିଆକୁ ଭଲିବଲ ଅଭ୍ୟାସ ପାଇଁ ଯାଉଥିଲେ । ପୁଣି ଅପରାହ୍ନ ୩ଟାରୁ କଲେଜ ପଡ଼ିଆ ଯାଇ ଅଭ୍ୟାସ କରୁଥିଲେ ।

Middle post content

ବ୍ୟକ୍ତିଗତ କ୍ରୀଡ଼ାରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ କୋଚ୍‌

ଚାଷ କରି ଯାହା କିଛି ରୋଜଗାର କରୁଥିଲେ ସେଥିରେ ଚଳୁଥିଲା କେଶବଙ୍କ ତେଲ ଲୁଣର ସଂସାର । ଧୀରେ ଧୀରେ ଝିଅମାନେ ବଡ଼ ହୋଇ ବାପାଙ୍କୁ ରୋଜଗାରରେ ସହଯୋଗର ହାତ ବଢ଼ାଇଲେ । କେଶବ ବାପାଙ୍କର ଅବସ୍ଥା ଦେଖି ପାଠ ପଢ଼ିବା ସହ ଚାକିରି ଖଣ୍ଡେ ପାଇଁ ଦୌଡ଼ ଅଭ୍ୟାସ କଲେ । +୨ ବିଜ୍ଞାନ ପଢ଼ିଥିଲେ ହେଁ ପରେ ଅର୍ଥାଭାବରୁ ସେ ବାଧ୍ୟ ହୋଇ ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟରେ ଆର୍ଟସ ପଢ଼ିଲେ । ସେନାବାହିନୀରେ ଭର୍ତ୍ତି ହେବା ପାଇଁ ବାରମ୍ବାର ପରୀକ୍ଷା ଦେଉଥିଲେ ହେଁ ଉତ୍ତୀର୍ଣ୍ଣ ହୋଇପାରି ନ ଥିଲେ । କିଶୋରଙ୍କ ଫିଟ୍‌ନେସ୍ ଦେଖି ତାଙ୍କୁ କ୍ରୀଡ଼ା ହଷ୍ଟେଲ୍‌ରେ ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ କଲେଜ ଅଧ୍ୟାପକ ଭବାନୀ ଶଙ୍କର ଚକ୍ରବର୍ତ୍ତୀ । ଅଧ୍ୟାପକଙ୍କ ପରାମର୍ଶରେ ସେ କଳିଙ୍ଗ ଷ୍ଟାଡିୟମ୍ ଯାଇ ସେଠାରେ ଭଲିବଲ୍ ଅଭ୍ୟାସ ଆରମ୍ଭ କଲେ । ସେଠାରେ ମଧ୍ୟ ତାଙ୍କ ଫିଟ୍‌ନେସ୍ କୋଚ୍‌ଙ୍କୁ ଆକର୍ଷିତ କରିଥିଲା । ତେଣୁ ଦଳଗତ କ୍ରୀଡ଼ା ଅପେକ୍ଷା ତାଙ୍କୁ ବ୍ୟକ୍ତିଗତ କ୍ରୀଡ଼ାରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ କୋଚ୍ । ଜାଭଲିନ୍ ପାଇଁ ଦରକାର ଥିଲା ୨୮ ହଜାର ଟଙ୍କା ଏବଂ ଜୋତା ପାଇଁ ୧୪ ହଜାର । କେଶବଙ୍କ ପାଖରେ ଏତେଗୁଡ଼େ ଅର୍ଥ ନ ଥିଲେ ବି ଯୋଗାଡ଼ କରିଥିଲେ । ଏହି ଟଙ୍କାରେ କେତେ ଝାଳ ମିଶିଛି ତାହା ଠିକ୍ ଅନୁଭବ କରିଥିଲେ କିଶୋର ।

ଗାଁ ପାଇଁ ଆଣିଛନ୍ତି ଗୌରବ

ହେଲେ, ସେହି ଅନୁଭବ ସତେ ଯେମିତି ତାଙ୍କୁ ଆଗକୁ ଆଗକୁ ଯିବା ପାଇଁ ବାଟ କଢ଼ାଇ ନେଇଥିଲା । ଶେଷରେ, ବାରବାଟୀରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କ୍ରୀଡ଼ାରେ ଭାଗ ନେବାର ସୁଯୋଗ ପାଇଲେ । କିଶୋରଙ୍କ ବନ୍ଧୁ ରାକେଶ କୁମାର ଜେନାଙ୍କ କହିବା ମୁତାବକ, ‘ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଇ ସେଠାରେ ସ୍ୱର୍ଣ୍ଣ ପଦକ ଜିତିବା ପରେ କୋଠସାହି ଉତ୍ସବମୁଖର ହୋଇଥିଲା । ସ୍ଥାନୀୟ ଅଞ୍ଚଳର ଲୋକମାନେ କିଶୋରକୁ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ । ଏହାପରେ କିଶୋର ଆଉ ପଛକୁ ଫେରିନାହିଁ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତି ଗାଁ ପାଇଁ ଗୌରବ ଆଣିଛି ।

ଏବେ ଗାଁର ବହୁ ପିଲାଙ୍କ ହାତରେ ଜାଭ୍‌ଲିନ୍‌

ଏହା ମଧ୍ୟରେ ସିଆଇଏସ୍‌ଏଫ୍ (ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ)ରେ ଯୋଗ ଦେଇସାରିଥିଲେ କିଶୋର । ବାପାଙ୍କୁ ନିଜ ପ୍ରଥମ ଦରମା ୩୫ ହଜାର ଟଙ୍କା ପଠାଇଥିଲେ । ତା’ ସହିତ ନିଜ ଖେଳକୁ ବି ବଜାୟ ରଖିଥିଲେ । କିଶୋରଙ୍କଠୁ ଅନୁପ୍ରାଣିତ ହୋଇ ଆଖପାଖ ଗାଁ’ର ପ୍ରାୟ ୧୨-୧୫ ଜଣ ପିଲା ଜାଭ୍‌ଲିନ୍ କିଣି ଅଭ୍ୟାସ କରୁଛନ୍ତି । ଏବେ ଏସିଆନ୍ ଗେମ୍‌ସରେ ରୌପ୍ୟ ପଦକ ଜିତିବା ପରେ ତ ବହୁ ପିଲାଙ୍କ ହାତରେ ଏବେ ଜାଭ୍‌ଲିନ୍ ।’ ପୁଅର ସଫଳତାରେ ହରପ୍ରିୟା କୁହନ୍ତି, ମୋ ପୁଅ କୋଉଠିକି ଯାଇଛି ମୁଁ ଜାଣିନାହିଁ । କିନ୍ତୁ ସେ ଯେ ବଡ଼ ଖେଳ ଖେଳି ପୁରସ୍କାର ପାଇଛି ତାହା ମୋ ପାଇଁ ଢେର । ପୁଅ ହାରିଲେ କି ଜିତିଲେ ମୁଁ ଯେତିକି ଖୁସି ହୁଏନି, ତାକୁ ଥରୁଟିଏ ଦେଖିଦେଲେ ମୋତେ ସ୍ୱର୍ଗସୁଖ ମିଳିଯାଏ । କିଶୋରଙ୍କ କ୍ରୀଡ଼ା ପ୍ରତିଭା ପଛରେ ସଂଘର୍ଷର ଲମ୍ବା କାହାଣୀରେ ତାଙ୍କ ଭଉଣୀ ଓ ଦାଦାମାନଙ୍କର ବି ଢେର ଅବଦାନ ରହିଥିବା ସ୍ୱୀକାର କରନ୍ତି କେଶବ । କେଶବ କୁହନ୍ତି, ‘କିଶୋର ପଦକ ଜିତିନାହିଁ ଯେ ମୋର ସମ୍ମାନ ବଢ଼ିଯାଇଛି । ଏବେ ଯେଉଁଠିକି ଗଲେ, ଲୋକେ ମୋ ଆଡ଼କୁ ଆଙ୍ଗୁଳି ଦେଖେଇ କହୁଛନ୍ତି, ଏଇ ଦେଖ ଜାଭ୍‌ଲିନ୍ ମାଷ୍ଟର କିଶୋରର ବାପା ଯାଉଛନ୍ତି । ପଦକ ଅପେକ୍ଷା ଏହା ତ ମୋ ପାଇଁ ସବୁଠୁ ବଡ଼ ସମ୍ମାନ… ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami