କାବୁ ହେଲା ମଣିଷଖିଆ ବାଘ, ଟ୍ରାଙ୍କୁଲାଇଜ୍ କରି ଯନ୍ତାରେ ରଖିଲା ବନ ବିଭାଗ

Above Post Content

ନୂଆପଡ଼ା: ଶେଷର କାବୁ ହେଲା ମଣିଷଖିଆ ବାଘ । ନୂଆପଡ଼ା ବ୍ଲକ୍ ଅଞ୍ଚଳରେ ମାତିଥିବା ମଣିଷଖିଆ ବାଘକୁ ବନ ବିଭାଗ କାବୁ କରିଛି । ଶନିବାର ବିଳମ୍ବିତ ରାତିରେ ବାଘଟି କାଦୋପାଲି ଗାଁର ଏକ ପରିତ୍ୟକ୍ତ ଘରେ ଲୁଚି ରହିଥିବା ବେଳେ ବନ ବିଭାଗ ଅଧିକାରୀମାନେ ତାଙ୍କୁ ଟ୍ରାଙ୍କୁଲାଇଜ୍ କରି ଧରିଛନ୍ତି । ବାଘଟିକୁ ଏକ ଯନ୍ତାରେ ରଖାଯାଇଛି । । ଏହି ବାଘକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଥିଲେ ।

ଭଙ୍ଗା ଘରେ ରହିଥିଲା  ଲୁଚି 

After 2nd paragraph post ads
Middle post content

ଶନିବାର ସଂଧ୍ୟାରେ ବାଘଟି କାଦୋପାଲି ଗାଁରେ ପଶିଥିଲା । ଘର ଅଗଣାରେ ବଳରାମ ବରିହାଙ୍କର ପୁଅ ନୀଳକଣ୍ଠ ଖେଳୁଥିବା ବେଳେ ବାଘ ତା’ ଉପରକୁ ଝାମ୍ପ ମାରିଥିଲା । କିନ୍ତୁ ଏହା ଦେଖି ସ୍ଥାନୀୟ ଲୋକ ଚିତ୍କାର କରି ଗୋଡ଼ାଇବାରୁ ସେ ଛୁଆଟିକୁ ଛାଡ଼ି ପଳାଇଥିଲା । କିନ୍ତୁ ବାଘଟି ଦୂରକୁ ନ ଯାଇ ଶିକାର ଅପେକ୍ଷାରେ ସେଠାରେ ଥିବା ଏକ ଭଙ୍ଗା ଘର ନିକଟରେ ଲୁଚି ରହିଥିଲା । ପରେ ଗାଁ ଲୋକ ତାକୁ ଦେଖି ବାଘଟିକୁ ଘେରି ଯାଇଥିଲେ । ତେବେ ଖବରପାଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଲୋକଙ୍କ କବଳରୁ ବର୍ତ୍ତିବା ପାଇଁ ବାଘଟି ଗ୍ରାମର ଜିରାଖନ ସାହୁଙ୍କ ଘର ଛାତ ଉପରକୁ ଲମ୍ଫ ମାରିଥିଲା । ସେତିକିବେଳେ ବନ ବିଭାଗର କର୍ମଚାରୀମାନେ ତାଙ୍କୁ ଟ୍ରାଙ୍କୁଲାଇଜ୍ କରିଥିଲେ । ପରେ ତାକୁ ଏକ ଯନ୍ତା ଭିତରେ ରଖାଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ସୁବାଷ ଚନ୍ଦ୍ର ରାଇତା, ନୂଆପଡ଼ା ବିଡିଓ ବିପିନ କୁମାର ଦୀପ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ ।

୬ ମାସରେ ୩ ଜଣକୁ ଖାଇଥିଲା

ଶୁକ୍ରବାର ସଂଧ୍ୟାରେ ଏହି ମଣିଷଖିଆ ବାଘଟି ଜଣେ ମହିଳାଙ୍କୁ ମାରି ଖାଇଥିଲା । ମୃତ ମହିଳା ହେଲେ, ଧରମବନ୍ଧା ପଞ୍ଚାୟତର ସିଲିଆରିବାହାରା ଗାଁର ତୁଳାରାମ ମାଝୀଙ୍କ ସ୍ତ୍ରୀ ରାମେଶ୍ୱରୀ ବାଈ ମାଝୀ (୪୫) । ଶୁକ୍ରବାର ସଂଧ୍ୟାରେ ରାମେଶ୍ୱରୀ ଗାଁ ମୁଣ୍ଡକୁ ଶୌଚ ହେବାକୁ ଯାଇଥିବା ବେଳେ ବାଘଟି ତାଙ୍କୁ ଘୋଷାରି ନେଇଥିଲା । ପରିବାରଲୋକ ତାଙ୍କୁ ରାତିସାରା ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ । ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଜଙ୍ଗଲରେ ବାଘଟି ରାମେଶ୍ୱରୀଙ୍କ ମୃତଦେହକୁ ଖାଉଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ସେହିପରି କାଦୋପାଲି ଗାଁର ବାଳକରାମ ବରିହାଙ୍କ ୮ବର୍ଷର ପୁଅ ନୀଳକଣ୍ଠ ବରିହା ନାମକ ଜଣେ ଶିଶୁ ଗାଁ ମୁଣ୍ଡରେ ଖେଳୁଥିବା ସମୟରେ ବାଘଟି ତାକୁ ଆକ୍ରମଣ କରିଥିଲା । ଲୋକେ ଚିତ୍କାର କରି ଗୋଡ଼ାଇବାରୁ ବାଘ ତାକୁ ଛାଡ଼ି ଚାଲି ଯାଇଥିଲା । ଶିଶୁଟିର କାନ ଏବଂ ଗଳାରେ ଗଭୀର କ୍ଷତ ହୋଇଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବାଘଟି ସ୍ଥାନୀୟ ଅଞ୍ଚଳରେ ଲୁଚିଥିବା ଜାଣିବା ପରେ ତାକୁ ଧରିବା ପାଇଁ ଗ୍ରାମବାସୀମାନେ ଉଦ୍ୟମ କରିଥିଲେ । ଗତ ୬ ମାସ ମଧ୍ୟରେ ବାଘଟି ୩ଜଣ ମଣିଷକୁ ମାରି ଖାଇଥିବା ବେଳେ ୩୦ଟି ଗୋରୁଗାଈଙ୍କୁ ଶିକାର କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami