ଉଦାହରଣ ସାଜିଛନ୍ତି ଲୌରା

Above Post Content

ଆମେରିକାରେ ରହୁଛନ୍ତି, ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି । ହେଲେ ଭାରତ ତଥା ଓଡ଼ିଶାରେ କରୋନା ସ୍ଥିତିକୁ ନେଇ ତାଙ୍କ ମନରେ ଉଦ୍‌ବେଗ । ନିଜ ଉଦ୍ୟମରେ ଓଡ଼ିଶାକୁ ସହାୟତା ଦେବା ପାଇଁ ଘରକୁ ଘର ବୁଲି ବିକୁଛନ୍ତି ସ୍ନାକ୍ସ । ଭାରତୀୟ ବଜାରରେ ମିଳୁଥିବା ସ୍ନାକ୍ସର ସ୍ୱାଦ ଆମେରିକୀୟଙ୍କୁ ଦେବା ସହ ଲକ୍ଷ୍ୟ ରଖିଛନ୍ତି ସଂଗ୍ରହ କରିବେ ୨ ହଜାର ଡଲାର । ଏହାକୁ କୋଭିଡ୍ ପରିଚାଳନା ପାଇଁ ଓଡ଼ିଶାକୁ ପଠାଇବେ । ଓଡ଼ିଶାଠାରୁ ୧୩ ହଜାର କିମି ଦୂର ଥାଇ ବି ଜନ୍ମମାଟି ପ୍ରତି ଏକ ଛୋଟ ପ୍ରତିଦାନ ଦେଇ ଅନ୍ୟମାନଙ୍କ ପାଇଁ  ଉଦାହରଣ ସାଜିଛନ୍ତି ୧୨ ବର୍ଷୀୟ ଲୌରା ମହାପାତ୍ର । କାହାଠାରୁ ମାଗିଯାଚି ନୁହେଁ, ଆମେରିକାରେ ବିଦେଶୀଙ୍କୁ ଭାରତୀୟ ଖାଦ୍ୟ ଯୋଗାଇ ଏହି ଫଣ୍ଡ୍ ସୃଷ୍ଟି କରିଛନ୍ତି ସେ । ଓଡ଼ିଶା ସୋସାଇଟି ଅଫ୍ ଆମେରିକା ଜରିଆରେ ସହାୟତା ରାଶି ପଠାଇବା ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି ।

Middle post content

କଟକ ତେଲେଙ୍ଗାବଜାରର ଡାକ୍ତର ରାମପ୍ରସାଦ ମହାପାତ୍ର ଓ ଡାକ୍ତର ସୁଚିସ୍ମିତା ସ୍ୱାଇଁଙ୍କ ଝିଅ ଲୌରା ।  ଆମେରିକାରେ ଶ୍ରୀ ମହାପାତ୍ରଙ୍କ ଚାକିରି ଯୋଗୁଁ ସପରିବାର ମଙ୍କାଟୋ ସହରରେ ରହୁଛନ୍ତି । ଲୌରା ସ୍ଥାନୀୟ ସ୍କୁଲରେ ଷ୍ଟାଣ୍ଡାର୍ଡ ୬ରେ ପାଠ ପଢ଼ୁଛନ୍ତି । ଛୋଟବେଳୁ ତାଙ୍କ ଭିତରେ ପରୋପକାର ମନୋଭାବ ଦେଖିବାକୁ ପାଇଥିଲେ ଅଭିଭାବକ । ସ୍କୁଲ ପଢ଼ା ସହ ସେ ନିକଟସ୍ଥ ଏକ ସେବା ଯୋଗାଣକାରୀ ଅନୁଷ୍ଠାନ ସହ ଜଡ଼ିତ ହେଲେ । ଗତବର୍ଷ କରୋନା ସମୟରେ ସେ ନିଜର ପିଗି ବ୍ୟାଙ୍କରୁ ନ୍ୟୁୟର୍କରେ କୋଭିଡ୍ ପରିଚାଳନା ପାଇଁ ସାହାଯ୍ୟ କରିଥିଲେ । କଟକର ଏହି ଓଡ଼ିଆ ଝିଅଙ୍କ ପଦକ୍ଷେପକୁ ଗତବର୍ଷ ନ୍ୟୁୟର୍କରେ ବହୁତ ପ୍ରଶଂସା ମିଳିଥିଲା । ଆମେରିକାର ଏକ ଟିଭି ଚ୍ୟାନେଲରେ ମଧ୍ୟ ଲୌରାଙ୍କୁ ନେଇ ରିପୋର୍ଟ ପ୍ରଦର୍ଶିତ ହୋଇଥିଲା । ହଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀ ଟିନା ଫେ’ ମଧ୍ୟ ଲୌରାଙ୍କ ଏହି ଉଦ୍ୟମକୁ  ପ୍ରଶଂସା କରିଥିଲେ । ଚଳିତ ବର୍ଷ କରୋନା ଦ୍ୱିତୀୟ ଲହରିରେ ସେ ଓଡ଼ିଶା ପାଇଁ କିଛି ସହଯୋଗ ଦେବାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାରେ ରହୁଥିବା ତାଙ୍କର ଅନ୍ୟ ପରିବାର ସଦସ୍ୟ, ବନ୍ଧୁବାନ୍ଧବ କରୋନା ସଂକ୍ରମଣର ଶିକାର ହୋଇଥିବାବେଳେ ଡା. ରାମପ୍ରସାଦ ମହାପାତ୍ର ଓ ସୁଚିସ୍ମିତା ସ୍ୱାଇଁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରୁଛନ୍ତି । ଏକ୍ଷେତ୍ରରେ ଲୌରା ମଧ୍ୟ ବ୍ୟକ୍ତିଗତ ଉଦ୍ୟମରେ କିଛି ଅନୁଦାନ ଓଡ଼ିଶାର କୋଭିଡ୍ ପରିଚାଳନା ପାଇଁ ପଠାଇବାକୁ ସ୍ଥିର କରି କିଛି ମାସ ପୂର୍ବରୁ ଏକ ଯୋଜନା କରିଥିଲେ । ପିଗି ବ୍ୟାଙ୍କ୍‌ରେ ସଂଚୟ ରାଶି ନୁହେଁ ବରଂ ନିଜସ୍ୱ କଷ୍ଟ ଉପାର୍ଜିତ କିଛି  ଟଙ୍କା ସେ ଓଡ଼ିଶା ପଠାଇବାକୁ ଚାହିଁଥିଲେ ।

After 2nd paragraph post ads

ମା’ଙ୍କ ସହିତ ଆଲୋଚନା କରି ଆମେରିକାରେ ଭାରତୀୟ ଖାଦ୍ୟ (ସ୍ନାକ୍ସ)ର ହୋମ୍ ଡେଲିଭରି କରିବା ଆରମ୍ଭ କରିଥିଲେ ଲୌରା । ସିଙ୍ଗଡ଼ା, ଡାଲି କଚୁଡ଼ି, ଆଳୁ ଭୁଜିଆ, ଗୁଲାବ୍‌ଜାମୁ, ମିଲ୍‌କ୍ କେକ୍ ଆଦି ଡୋର ଟୁ ଡୋର ହୋମ ଡେଲିଭରି କରି ଗତ କିଛି ମାସରେ ୧୨୫୦ ଡଲାର ଯୋଗାଡ଼ କରିବାକୁ ସକ୍ଷମ ହୋଇଛନ୍ତି ସେ । ଏହି ଟଙ୍କାକୁ ସେ ‘ଓଡ଼ିଶା ସୋସାଇଟି ଅଫ୍ ଆମେରିକା ହେଲ୍‌ଥ ଆଣ୍ଡ୍ ୱେଲ୍‌ନେସ୍ ଗ୍ରୁପ୍‌’ରେ ଡିପୋଜିଟ୍ କରିସାରିଛନ୍ତି । ବାକି ଟଙ୍କା ସଂଗ୍ରହ ପାଇଁ ନିଜ କାମ ଜାରି ରଖିଛନ୍ତି । ଆମେରିକାରେ ରହୁଥିବା ଓଡ଼ିଆ ଡାକ୍ତରଙ୍କ ଏହି ଗ୍ରୁପ୍ ଓଡ଼ିଶା କୋଭିଡ୍ ପରିଚାଳନା ପାଇଁ ସହଯୋଗ କରିବାକୁ ଯୋଜନା କରିଛି । ଲୌରାଙ୍କ ଏଭଳି ସେବା ମନୋଭାବ ଅନେକଙ୍କୁ ପ୍ରେରଣା ଯୋଗାଇବ ବୋଲି କୁହାଯାଉଛି । ଇ-ମେଲ ଜରିଆରେ ନିଜ ମତାମତ ରଖି ଲୌରା କହିଛନ୍ତି, ମୋ କ୍ଷେତ୍ରରେ ଯାହା ସମ୍ଭବ ମୁଁ ଓଡ଼ିଶା ପାଇଁ କରିପାରିଥିବାରୁ ଗର୍ବିତ ଅନୁଭବ କରୁଛି । କେବଳ କରୋନା ପରିଚାଳନା କରିବା ପାଇଁ ଟଙ୍କା ଏକଜୁଟ୍ କରିବା ନୁହେଁ, ବରଂ ଆମେରିକାରେ ଭାରତୀୟ ଖାଦ୍ୟର ପ୍ରଚାର, ପ୍ରସାର କରିବା ସହ ଏହାର ଲୋକପ୍ରିୟତା ବୃ୍‌ଦ୍ଧି ପାଇଁ ମୋର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଲୌରା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami