୧୬ ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିଥିବା ୪୧ ଶ୍ରମିକ କେମିତି ଅଛନ୍ତି, ଜାଣନ୍ତୁ

Above Post Content

ନୂଆଦିଲ୍ଲୀ: ଉତ୍ତରକାଶୀର ଟନେଲ ତଳେ ଦୀର୍ଘ ୧୬ ଦିନ ହେଲା ଫସିଥିବା ୪୧ ଶ୍ରମିକ ମରଣ ସହ ସଂଘର୍ଷ କରୁଛନ୍ତି । ଏମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରାଣମୂର୍ଛା ଉଦ୍ୟମ । ତଥାପି ଶ୍ରମିକଙ୍କ ପାଖରେ ପହଞ୍ଚିି ପାରୁନି ରେସ୍କ୍ୟୁ ଟିମ । ରେସ୍କ୍ୟୁ ଅପରେସନ୍‌ରେ ଉପୁଜିଛି ବାଧା । କେତେବେଳେ ମେସିନ ଭାଙ୍ଗିଯାଇଛି ତ ଆଉ କେତେବେଳେ ଅଧାରେ ଅଟକି ଯାଇଛି ଅଗର ମେସିନ୍ । ଫଳରେ ଉଦ୍ଧାରକାରୀ ଦଳକୁ ନାକେଦମ୍ ହେବାକୁ ପଡ଼ିଛି । ଏବେ ହାତରେ ଖୋଳା ଚାଲିଛି । ଅଗର ମେସିନ ସାହାଯ୍ୟରେ ଧସିଥିବା ମାଟିକୁ ଡ୍ରିଲ କରି ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ଧାରକାରୀ ଦଳ ଉଦ୍ୟମ ଚଳାଇ ଥିବା ବେଳେ ପୁଣି ବାଧକ ସାଜିଛି ଲୁହା ଛଡ଼ । ଅଗର ମେସିନ ଆଗରେ ଲୁହାଛଡ଼ ପଡ଼ିବାରୁ ରେସ୍କୁ ଅପରେସନରେ ବାଧା ସୃଷ୍ଟି ହୋଇଛି । କେବଳ ଲୁହା ଛଡ଼ ନୁହେଁ, କିଛି ଧାତବ ପଦାର୍ଥ ପଡ଼ିବାରୁ ଅଗର ମେସିନଟି ଅଧାରେ ଅଟକି ରହିଛି । ବାରମ୍ବାର ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ହେଲେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ଏତେଦିନ ଶ୍ରମିକମାନେ ଟନେଲ ଭିତରେ ଅଛନ୍ତି କେମିତି ? କ’ଣ ଖାଉଛନ୍ତି ? କ’ଣ କରୁଛନ୍ତି ? ଜାଣନ୍ତୁ ଏତେଦିନ ହେଲା ସେମାନେ କେମିତି ସୁରକ୍ଷିତ ଅଛନ୍ତି ।

ନିୟମିତ କରାଯାଉଛି ସ୍ୱାସ୍ଥ୍ୟ ପରୀକ୍ଷା

After 2nd paragraph post ads

ଉତ୍ତରକାଶୀର ସିଲ୍‌କିୟାରା ଟନେଲର ଭୁଶୁଡ଼ି ପଡ଼ିଥିବା ଏକ ଅଂଶରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉତ୍ସାହିତ କରି ରଖିବା ପାଇଁ ଡାକ୍ତର ଓ ମାନସିକ ରୋଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଶ୍ରମିକମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ‘ପ୍ରଥମେ ସେମାନଙ୍କୁ ଜୁସ୍ ଏବଂ ଏନର୍ଜି ଡ୍ରିଙ୍କ୍ ଦିଆଯାଉଥିଲା । କିନ୍ତୁ ଏବେ ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଉଛି । ସକାଳେ ସେମାନଙ୍କୁ ସିଝା ଅଣ୍ଡା, କ୍ଷୀର, ଚା’ ଓ ଦଲିଆ ଦିଆଯାଉଛି । ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ପାଇଁ ସେମାନଙ୍କୁ ଡାଲି, ଭାତ, ରୁଟିି ଓ ପରିବା ତରକାରୀ ଦିଆଯାଉଛି । ବାଢ଼ିକି ଖାଇବା ପାଇଁ ସେମାନଙ୍କୁ ପ୍ଲେଟ୍ ମଧ୍ୟ ଦିଆଯାଇଛି ।

Middle post content

ଦିଆଯାଇଛି ସିନେମା ଓ ଭିଡ଼ିଓ ଗେମ୍ ଥିବା ଫୋନ

ସେମାନଙ୍କୁ ହାଇଡ୍ରେଟେଡ୍ କରି ରଖିବା ପାଇଁ, ଓଆରଏସ୍ ପାଉଡର୍ ପିଇବାକୁ କୁହାଯାଉଛି । ଯାହା ସେମାନଙ୍କ ନିକଟକୁ ପୂର୍ବରୁ ପଠାଯାଇଛି । ସେମାନଙ୍କୁ ଆଇ ଡ୍ରପ୍‌, ଭିଟାମିନ୍ ବଟିକା ଏବଂ ଅନ୍ୟାନ୍ୟ ପାନୀୟ ମଧ୍ୟ ଦିଆଯାଉଛି । ପ୍ରଚୁର ଶୁଖିଲା ଫଳ (ଡ୍ରାଇ ଫ୍ରୁଟ୍‌) ଏବଂ ବିସ୍କୁଟ୍ ମଧ୍ୟ ସେମାନଙ୍କ ପାଖରେ ମହଜୁଦ୍ ରଖାଯାଇଛି । ସେମାନଙ୍କୁ ଟୁଥ୍ ପେଷ୍ଟ, ବ୍ରସ୍‌, ଗାମୁଛା, ପୋଷାକ ଇତ୍ୟାଦି ଯୋଗାଇ ଦିଆଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି । ସେମାନଙ୍କୁ ସିନେମା ଓ ଭିଡିଓ ଗେମ୍‌ଥିବା ମୋବାଇଲ୍ ଫୋନ୍ ମଧ୍ୟ ଦିଆଯାଇଛି, ଯାହା ଫଳରେ ସେମାନେ ଚାପଗ୍ରସ୍ତ ନହୋଇ ଉତ୍ସାହିତ ହୋଇ ରହିବେ ।

ଯୋଗ,ବ୍ୟାୟାମ ସହ ନିୟମିତ ଚାଲୁଛନ୍ତି ଶ୍ରମିକ

ଶୋଇବା ପାଇଁ ସେଠାରେ ଜିଓଟେକ୍ସଟାଇଲ ଚାଦର ଗଦା ହୋଇଥିଲା, ଯାହା ସୁଡ଼ଙ୍ଗ ଭିତରେ ପୂର୍ବରୁ ରହିଥିଲା । ସେମାନେ ଏବେ ଏହାକୁ ଶୋଇବା ପାଇଁ ବ୍ୟବହାର କରୁଛନ୍ତି । ଫସିଥିବା ଶ୍ରମିକମାନେ ସକାଳେ ଓ ସନ୍ଧ୍ୟାରେ ଯୋଗ ଓ ବ୍ୟାୟାମ କରିବା ସହ ଟନେଲ ଭିତରେ ଚାଲୁଛନ୍ତି । ଯେଉଁ ଅଂଶରେ ଶ୍ରମିକମାନେ ଫସି ରହିଛନ୍ତି ସେଠାରେ ସୁଡ଼ଙ୍ଗର ଲମ୍ବ ପ୍ରାୟ ଦୁଇ କିଲୋମିଟର ଏବଂ ତାପମାତ୍ରା ୨୨ ଡିଗ୍ରି ସେଲସିୟସରୁ ୨୪ ଡିଗ୍ରି ସେଲସିୟସ ମଧ୍ୟରେ ରହିଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଗରମ ପୋଷାକର ଆବଶ୍ୟକତା ପଡ଼ିନାହିଁ । ସେମାନଙ୍କ ପାଖରେ ୨୪ ଘଣ୍ଟିଆ ବିଜୁଳି ଯୋଗାଣ ଜାରି ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami