ଧନୀଙ୍କଠାରୁ ଜବରଦସ୍ତ ଦାନ ନେଇ ଗରିବଙ୍କୁ ଦେଉଛି ଚୀନ୍

Above Post Content

ଚୀନର ସରକାରୀ ମିଡିଆ କିଛି ମାସ ତଳେ ଦେଶରେ ଗରିବଙ୍କ ସଂଖ୍ୟା କମିଛି ବୋଲି ଦାବି କରିଥିଲା । କିନ୍ତୁ ଏବେ ଚୀନରୁ ଯେଉଁ ଖବର ଆସୁଛି ତାହା ଲାଲ ଶାସନର କଳା କାରନାମାକୁ ପଦାରେ ପକାଉଛି । ଚୀନ ସରକାର ଦେଶର ଧନୀ ଶିଳ୍ପପତିଙ୍କ ଉପରେ ଚାପ ପକାଇ ଜୋରଜବରଦସ୍ତ ଚାନ୍ଦା ନେଉଥିବା ଖବର ଆସୁଛି । ଶିଳ୍ପପତିଙ୍କୁ ଧମକ ଦେଇ ଯେଉଁ ଦାନ ଆଦାୟ ହେଉଛି ସେହି ଅର୍ଥକୁ ଗରିବ କଲ୍ୟାଣ ପାଇଁ ଚୀନ ସରକାର କୁଆଡେ ବ୍ୟୟ କରୁଛନ୍ତି । ଦେଶରେ ଆର୍ଥିକ ଅସମାନତାକୁ ହଟାଇବା ପାଇଁ ଚୀନ ସରକାରଙ୍କ ଏହା ନୂଆ ନୀତି ବୋଲି କୁହାଯାଉଛି ।

ଚୀନରେ ଗତ କେଇ ବର୍ଷ ମଧ୍ୟରେ କୋଟିପତିଙ୍କ ସଂଖ୍ୟା ବଢିଛି । କିନ୍ତୁ ସେହି ଅନୁପାତରେ ଗରିବଙ୍କ ସଂଖ୍ୟା କମିନାହିଁ । ଦେଶରେ ଆର୍ଥିକ ଅସମାନତା କାରଣରୁ ଅସନ୍ତୋଷ ଦାନା ବାନ୍ଧୁଛି । ସରକାର ମଧ୍ୟ ଏହାକୁ ନେଇ ଚିନ୍ତିତ ଅଛନ୍ତି । ତେଣୁ ଗତ କେଇ ମାସ ଧରି ଚୀନରେ ଜବରଦସ୍ତିଆ ଦାନ ସଂଗ୍ରହ ଚାଲିଛି । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ଚୀନର କୋଟିପତିଙ୍କୁ ଧମକ ଦେଇ ଦାନ ନେବାର ଏହି ଧାରା ଗଲା କେଇ ମାସ ଧରି ଆରମ୍ଭ ହୋଇଛି ।

After 2nd paragraph post ads

ଖାଦ୍ୟ ବିତରଣ କରୁଥିବା ଚୀନର ନାମି କମ୍ପାନୀ ମିଟୁଆନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ବାଙ୍ଗ ଜିଙ୍ଗ୍ ନିକଟରେ ନିଜ କମ୍ପାନୀ ଶେୟାରରୁ ପ୍ରାୟ ୨୦୧ କୋଟି ଟଙ୍କା ଦାନ ଦେଇଛନ୍ତି । ଏହି ଅର୍ଥ ଦେଶରେ ବୈଜ୍ଞାନିକ ଅନୁସଂଧାନ ଓ ଶିକ୍ଷାର ପ୍ରସାର ପାଇଁ ବ୍ୟବହୃତ ହେବ ବୋଲି ସେ କହିଥିଲେ । ସେହିଭଳି ଇ-କମର୍ସ କମ୍ପାନୀ ପିଣ୍ଡୁଓଡୁଓର ପ୍ରତିଷ୍ଠାତା କଲିନ୍ ହୁଆଙ୍ଗ କମ୍ପାନୀର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଏକ ଶିକ୍ଷା କୋଷକୁ ୧୩୮ କୋଟି ଟଙ୍କା ଦାନ ଦେଇଥିଲେ । ସେହିଭଳି ଅନ୍ୟ ଦୁଇ ଜଣ ଶିଳ୍ପପତି ଚଳିତ ବର୍ଷ ଆରମ୍ଭରେ ୧୩୪ କୋଟି ଟଙ୍କା ଦାନ ଦେଇଥିଲେ ।

ଟିକଟକର ପ୍ୟାରେଣ୍ଟ୍ କମ୍ପାନୀ ବାଇଟଡ୍ୟାନ୍ସର ପ୍ରତିଷ୍ଠାତା ଝାଙ୍ଗ୍ ୟିମିଙ୍ଗ ମଧ୍ୟ ଫୁଜିଆନ ପ୍ରଦେଶରେ ନିଜ ଗୃହ ନଗର ଲୋଙ୍ଗୟାନରେ ଶିକ୍ଷାର ବିକାଶ ପାଇଁ ୫ଶହ ୭୪ କୋଟି ଟଙ୍କା ଦାନ ଦେଇଥିଲେ ।

Middle post content

ବିଶ୍ଲେଷକଙ୍କ ଅନୁସାରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ଓ କ୍ଷମତାରେ ଥିବା ବ୍ୟକ୍ତି ଦେଶରେ ଆର୍ଥିକ ଅସୁନ୍ତଳତାକୁ ନିଜ ପାଇଁ ବିପଦର ଘଣ୍ଟି ଭାବେ ଦେଖୁଛନ୍ତି । ଅଷ୍ଟ୍ରେଲିଆର ଜାତୀୟ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଟମ୍ କ୍ଲିଫଙ୍କ ଅନୁସାରେ ଆୟରେ ଅସୁନ୍ତଳତା ଆଭିଜାତ୍ୟ ବର୍ଗ ପାଇଁ ବଡ ଚିନ୍ତାର ବିଷୟ । ରାଜନୈତିକ ନେତୃତ୍ୱ ପାଇଁ ସବୁଠାରୁ ବଡ ଚିନ୍ତା ହେଉଛି ଆୟରେ ଅସମାନତାଧନୀ ଓ ଦରିଦ୍ରଙ୍କ ମଧ୍ୟରେ ବଢୁଥିବା ପାର୍ଥକ୍ୟକୁ ନେଇ ଡରିଯାଇଛି ଚୀନ । ଏହି ସବୁ କାରଣ ପାଇଁ ଚୀନ ସରକାର ଏଭଳି ପଦକ୍ଷେପ ନେଉଛନ୍ତି ।

ବିଶ୍ୱ ଧନୀ ତାଲିକାରେ ଚୀନ ଆଗରେ

ଚଳିତ ବର୍ଷ ଆରମ୍ଭରେ ଜାରି କରାଯାଇଥଇବା ହୁରୁନ ଗ୍ଲୋବାଲ ରିଚ୍ ଲିଷ୍ଟ-୨୦୨୧ର ତଥ୍ୟ ଅନୁସାରେ ଚୀନରେ ଏଭଳି ୧ ହଜାର ୫୮ ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ସମ୍ପତ୍ତିର ମୂଲ୍ୟ ଶହେ କୋଟିରୁ ଅଧିକ । ଏହି ହିସାବ ଅନୁସାରେ ବିଶ୍ୱର ସବୁଠାରୁ ଅଧିକ ଧନୀ ଚୀନରେ ଅଛନ୍ତି । ଏହି ମାମଲାରେ ଚୀନ୍ ପୁଞ୍ଜିବାଦୀ ରାଷ୍ଟ୍ର ଆମେରିକାକୁ ମଧ୍ୟ ପଛରେ ଛାଡି ଦେଇଛି ।

ଆମେରିକାର କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଏସିଆ ପ୍ରଶାନ୍ତ ସେଣ୍ଟରର ନିର୍ଦ୍ଦେଶକ ମିନ୍ ଝୋଉଙ୍କ ଅନୁସାରେ ପାଶ୍ଚାତ୍ୟ ଶୈଳୀର ପରୋପକାର ପ୍ରଥା ଏକ ଦଶକ ତଳେ ଚୀନରେ ଆରମ୍ଭ ହୋଇଥିଲା । ତାଙ୍କ ଅନୁସାରେ ୨୦୧୦ରେ ଆମେରିକାର ଧନୀ ୱାରେନ୍ ବଫେଟ୍ ଓ ବିଲ ଗେଟ୍ସ ଚୀନ ଗସ୍ତରେ ଯାଇଥିଲେ । ସେଠାରେ ସେମାନେ ଚୀନର ଧନାଢ୍ୟଙ୍କୁ ନିଜ ସମ୍ପତ୍ତିର କିଛି ଅଂଶ ଦାନ କରିବାକୁ ଆହ୍ୱାନ କରିଥିଲେ । ତେବେ କଥା ହେଲା ଚୀନରେ କେତେ ଧନୀ ନିଜ ଇଛାରେ ଦାନ କରିବାକୁ ଆଗେଇ ଆସିଛନ୍ତି ତାହା ତ’ ଜଣାନାହିଁ କିନ୍ତୁ ଚୀନ ସରକାର ଧମକ ଦେଇ ଦାନ ଆଦୟ କରୁଛି, ଏଥିରେ ନିଶ୍ଚିତ ଭାବେ କିଛିଟା ସତ୍ୟତା ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami