ଚୀନର ରାଷ୍ଟ୍ରପତି କିଏ ? ସି ଜିନ୍ ପିଙ୍ଗଙ୍କୁ କାହିଁକି ରାଷ୍ଟ୍ରପତି ବୋଲି ମାନୁନି ଆମେରିକା ?

ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଛି ପ୍ରତିଦ୍ୱନ୍ଦ୍ୱିତା । ଆଗାମୀ ଦିନରେ କିଏ ବିଶ୍ୱ ମହାଶକ୍ତି ହେବ ତାକୁ ନେଇ ଏହି ପ୍ରତିଦ୍ୱନ୍ଦ୍ୱିତା । ଚୀନର ଅଭିଯୋଗ ଯେ, ପାଶ୍ଚାତ୍ୟ ଶକ୍ତି ଗତ ଦୁଇ ଶହ ବର୍ଷ ଧରି ଚୀନ ସହିତ ଅନ୍ୟାୟ କରିଛନ୍ତି । ଆଉ ବିଶ୍ୱଶକ୍ତି ଭାବେ ଉଭା ହୋଇ ଚୀନ୍ ଏହି ଅନ୍ୟାୟର ପ୍ରତିଶୋଧ ନେବାକୁ ଚାହୁଁଛି । କିନ୍ତୁ ବିଶ୍ୱର ଏକ ନମ୍ବର ଆର୍ଥିକ ଓ ସାମରିକ ଶକ୍ତି ଆମେରିକା ଏତେ ସହଜରେ ନିଜ ସ୍ଥାନ ଛାଡିବାକୁ ଚାହୁଁନାହିଁ । କରୋନା କାଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସର୍ବକାଳୀନ ନିମ୍ନକୁ ଯାଇଛି ଏଥିରେ ସନ୍ଦେହ ନାହିଁ । ପୂର୍ବତନ ରାଷ୍ଟ୍ରତି ଡୋନାଲ୍ଡ ଟ୍ରମ୍ପ୍ ତ’ କରୋନା ଭାଇରସକୁ ଚୀନ୍ ଭାଇରସ ବୋଲି ଶେଷ ପର୍ଯ୍ୟନ୍ତ କହୁଥିଲେ । ଚୀନ୍ ଏଭଳି ଭାଇରସ ତିଆରି କରି ବାକି ବିଶ୍ୱର ଅର୍ଥନୀତିକୁ ଆଣ୍ଢେଇ ନିଜେ ଅଣ୍ଟା ସଳଖିବାକୁ ଚାହୁଁଛି ବୋଲି ଆମେରିକୀୟ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତ । ଉହାନ ଲାବ୍ରୋଟୋରି ଉପରେ ଆମେରିକା ଗୁଇନ୍ଦା ଏଜେନ୍ସୀଙ୍କ ନଜର । ତେବେ ଏହି କରୋନା କାଳରେ ଆଉ ଗୋଟିଏ କଥା ମଧ୍ୟ ଘଟିଥିଲା କିନ୍ତୁ ସେଇ ଘଟଣାକୁ ନେଇ ଏତେଟା ଚର୍ଚ୍ଚା ହୋଇନଥିଲା । ସେହି ଘଟଣା ହେଉଛି ଯେ, ଆମେରିକା ଚୀନ୍ ଇତିହାସର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ସି ଜିନ୍ ପିଙ୍ଗଙ୍କୁ ରାଷ୍ଟ୍ରପତି ଭାବେ ମାନିବାକୁ ମନା କରିଦେଇଥିଲା

ସି ଜିନ୍ ପିଙ୍ଗ୍ କିଏ ?

ଏହି ପ୍ରଶ୍ନ ଆପଣଙ୍କୁ ଯଦି ପଚରାଯାଏ ଓ ଆପଣ ବିଶ୍ୱ ଘଟଣାକ୍ରମକୁ ନେଇ ରୁଚି ରଖନ୍ତି ତେବେ ତୁରନ୍ତ ଉତ୍ତର ଦେବେ ଯେ, ସେ ହେଉଛନ୍ତି ଚୀନ୍ ରାଷ୍ଟ୍ରପତି । କିନ୍ତୁ ଆମେରିକା ତାଙ୍କୁ ଚୀନ ରାଷ୍ଟ୍ରପତି ଭାବେ ମାନିବାକୁ ପ୍ରସ୍ତୁତ ନୁହେଁ ।

ଚୀନରେ ନାହାନ୍ତି କୌଣସି ରାଷ୍ଟ୍ରପତି

ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହାହିଁ ସତ । ଚୀନରେ କୌଣସି ରାଷ୍ଟ୍ରପତି ନାହାନ୍ତି । ଏଥିପାଇଁ ନୁହେଁ ଯେ, କେହି ରାଷ୍ଟ୍ରପତି ଏବେ ନାହାନ୍ତି । ଏଥିପାଇଁ ଯେ, ଚୀନରେ ରାଷ୍ଟ୍ରପତି ବୋଲି ଗୋଟିଏ ପଦବୀ ହିଁ ନାହିଁ । 2020ରେ ଯେତେବେଳ ଆମେରିକା ଓ ଚୀନ୍ କରୋନା ଭୂତାଣୁକୁ ନେଇ ମୁହାଁମୁହିଁ ହେଲେ ସେତେବେଳେ ପ୍ରଥମଥର ପାଇଁ ଆମେରିକା ଖୋଲାଖୋଲି ଏହି ପ୍ରସଙ୍ଗ ଉପରେ ମୁହଁ ଖୋଲିଥିଲା । ସେହି ସମୟରେ ଆମେରିକା ରାଷ୍ଟ୍ରପତି ଥିଲେ ଡୋନାଲ୍ଡ୍ ଟ୍ରମ୍ପ । ଟ୍ରମ୍ପ ପ୍ରଶାସନ କରୋନା ଭୂତାଣୁ ସଂକ୍ରମଣ ଦ୍ୱାରା ନାକେଦମ ହୋଇସାରିଥିଲା । ଟ୍ରମ୍ପଙ୍କ ପୁରା ରାଗ ଚୀନ ଉପରେ ଥିଲା । ସେ କେବଳ କରୋନାକୁ ଚୀନ୍ ଭାଇରସ କହିନଥିଲେ । ତତ୍କାଳନୀ ଟ୍ରମ୍ପ ପ୍ରଶାସନ ମଧ୍ୟ ଏହା କହିଥିଲେ ଯେ, ଜିନ୍ ପିଙ୍ଗ୍ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ଜେନରାଲ ସେକ୍ରେଟେରି । ତେଣୁ ତାଙ୍କୁ ରାଷ୍ଟ୍ରପତି ବୋଲି କହିବା ବନ୍ଦ ହେଉ ।

ଆମେରିକା ଜିନପିଙ୍ଗଙ୍କୁ ଜେନରାଲ ସେକ୍ରେଟେରି ବୋଲି କହିଥିଲା

ସେତେବେଳ ଆମେରିକାର ରିପବ୍ଲିକାନ ପାର୍ଟିର ସାଂସଦ ସ୍କଟ୍ ପେରୀ କହିଥିଲେ ଯେ, ଜିନ୍ ପିଙ୍ଗଙ୍କୁ ଚୀନ୍ ଜନତା ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ କରି ନାହିଁ । ତେଣୁ ସେ ରାଷ୍ଟ୍ରପତି ନୁହନ୍ତି । ଏମିତି ଦେଖିବାକୁ ଗଲେ ଏହା ସତ ମଧ୍ୟ । ବର୍ତ୍ତମାନ ଜିନପିଙ୍ଗଙ୍କ ପାଖେ ତିନୋଟି ଉପାଧି ରହିଛି । ତାହା ମଧ୍ୟରୁ ଗୋଟିଏ ହେଉଛି ଷ୍ଟେଟ୍ ଚେୟାରମ୍ୟାନ୍ ପଦ । ସେ ମଧ୍ୟ କେନ୍ଦ୍ରିୟ ସେନା କମିଶନର ଅଧ୍ୟକ୍ଷ । ତାଙ୍କର ତୃତୀୟ ଉପାଧି ହେଉଛି ସେ ହେଉଛନ୍ତି ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ଜେନରାଲ ସେକ୍ରେଟେରୀ ବା ମହାସଚିବ । ଏହି ତିନି ଉପାଧି ମଧ୍ୟରୁ ଗୋଟିଏ ମଧ୍ୟ ରାଷ୍ଟ୍ରପତି ପଦବୀର ସମକକ୍ଷ ନୁହେଁ । ଏପରିକି ଚୀନ୍ ମିଡିଆ ମଧ୍ୟ ଜିନପିଙ୍ଗଙ୍କୁ ପାର୍ଟି ନେତା ଭାବେ ସମ୍ବୋଧିତ କରିଥାଏ । ତାଙ୍କୁ ଦେଶର ରାଷ୍ଟ୍ରପତି ଭାବେ ମିଡିଆ କେବେ ମଧ୍ୟ ସମ୍ବୋଧିତ କରେନାହିଁ । କିନ୍ତୁ ଆମେରିକା ସମେତ ଅନ୍ୟ ସବୁ ଦେଶ ତାଙ୍କୁ ରାଷ୍ଟ୍ରପତି ଭାବେ ସମ୍ବୋଧିତ କରନ୍ତି । ନିଜ ଦେଶରେ ତାଙ୍କୁ ରାଷ୍ଟ୍ରପତି ଭାବେ ସମ୍ବୋଧିତ କରାଯାଏ ନାହିଁ କିନ୍ତୁ ବାହାରେ ତାଙ୍କ ପରିଚୟ ହେଉଛି ଚୀନର ରାଷ୍ଟ୍ରପତି । କେବଳ ଜିନ୍ ପିଙ୍ଗ୍ ନୁହନ୍ତି ତାଙ୍କ ପୂର୍ବରୁ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ପ୍ରତିଷ୍ଠାତା ମାଓ ସେ ତୁଙ୍ଗଙ୍କ ପଦବୀ ପାର୍ଟି ମହାସଚିବ ଥିଲା । ତାଙ୍କୁ ମଧ୍ୟ ଚୀନରେ ରାଷ୍ଟ୍ରପତି ବୋଲି ସମ୍ବୋଧିତ କରାଯାଉ ନଥିଲା କିନ୍ତୁ ବାହାର ଦେଶରେ ସେ ରାଷ୍ଟ୍ରପତି ଭାବେ ପରିଚିତ ଥିଲେ । ତେବେ ଏବେ ଜିନ୍ ପିଙ୍ଗଙ୍କୁ ରାଷ୍ଟ୍ରପତି ଭାବେ ଆମେରିକା ଗ୍ରହଣ ନକରିବାର କାରଣ ହେଉଛି କରୋନ ପରେ ଚୀନ୍ ଉପରେ ଚାପ ପକାଇବା ।

ଏମିତି ଆସିଥିଲେ ରାଜନୀତିକୁ

ଜିନପିଙ୍ଗଙ୍କ ପିତା କମ୍ୟୁନିଷ୍ଟ୍ ପାର୍ଟିର ସଦସ୍ୟ ଥିଲେ । କିନ୍ତୁ ମାଓଙ୍କ ସାଂସ୍କୃତିକ ବିପ୍ଲବ କାଳରେ ତାଙ୍କୁ ବିପ୍ଲବ ବିରୋଧୀ କାମ ଅଭିଯୋଗରେ ଦଣ୍ଡିତ କରାଯାଇଥିଲା । ଜିନ୍ ପିଙ୍ଗ୍ କିନ୍ତୁ ନିଜ ପିତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ନେଇ କେବେ ମଧ୍ୟ ପ୍ରକିକ୍ରିୟାଶୀଳ ହୋଇନଥିଲେ । ସେ ସହରରୁ ଗାଁକୁ ଯାଇ ପାର୍ଟି ପାଇଁ କାମ କରିଥିଲେ । 1974 ମସିହାରେ 8ଥର ବିଫଳ ପ୍ରୟାସ ପରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା । ଏହାପରେ ସେ ଦଳରେ ବିଭିନ୍ନ ପଦବୀରେ କାମ କରିଥିଲେ । 2008ରେ ସେ ଦଳରେ ଉପ ମହାସଚିବ ହୋଇଥିଲେ । 2012ରେ ସେ ଦେଶର ସବୁଠାରୁ ଶକ୍ତିଶାଳୀ ପଦବୀ ପାର୍ଟି ଜେନରାଲ ସେକ୍ରେଟେରି ଭାବେ ମନୋନିତ ହୋଇଥିଲେ ।

ନିଜ ପ୍ରଚାରରେ ମାହିର

ଜିନ୍ ପିଙ୍ଗ ନିଜ ପ୍ରଚାର କରିବାରେ ମାହିର ବୋଲି କୁହାଯାଏ । ଗାଉଁଳି ଭାଷା କହୁଥିବା ଜିନ୍ ପିଙ୍ଗ୍ ସ୍ଥାନୀୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ସେ ତାଙ୍କ ଚାରିପଟେ କିମ୍ବଦନ୍ତୀର ପାହାଡ ସୃଷ୍ଟି କରିପାରିଛନ୍ତି । ତାଙ୍କୁ ନେଇ ଚୀନ୍ ମିଡିଆରେ ଏମିତି ପ୍ରଚାର ଚାଲେ ଯେ, କେଉଁଟା ସତ କେଉଁଟା ମିଛ ତାହା ବାରିବା କଷ୍ଟସାଧ୍ୟ ହୋଇପଡେ ।

american republic partyChairman of the Central Army Commissionchinese mediachinese virusdonald trumpformer president donald trumpgeneral secretary of china communist partyscott perrystate chairman xi jinpingUSA lawmakerswho is xi jinpingwuhan laboratoryxi jinpingଆମେରିକାଆମେରିକାର ରିପବ୍ଲିକାନ ପାର୍ଟିର ସାଂସଦଉହାନ ଲାବ୍ରୋଟୋରିଚୀନର ରାଷ୍ଟ୍ରପତି କିଏଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ଜେନରାଲ ସେକ୍ରେଟେରିଚୀନ୍ ଭାଇରସଚୀନ୍ ମିଡିଆପୂର୍ବତନ ରାଷ୍ଟ୍ରତି ଡୋନାଲ୍ଡ ଟ୍ରମ୍ପ୍ସି ଜିନ୍ ପିଙ୍ଗ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami