‘ଗଛ ସାର୍‌’ଙ୍କ ରାସ୍ତାରେ ଯୁବପିଢ଼ି

ବର୍ଷାଦିନ ଆରମ୍ଭ ହୋଇଛି, ଏବେ ଗଛ ଲଗାଇବାର ପ୍ରକୃଷ୍ଟ ସମୟ । ଆଗାମୀ ପିଢ଼ି ପାଇଁ ଏକ ସନ୍ତୁଳିତ ପୃଥିବୀକୁ ଛାଡ଼ିଯିବାଠାରୁ ଅଧିକ ବଡ଼ ଉପହାର କିଛି ନାହିଁ । ଏ କଥାକୁ ବୁଝନ୍ତିି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ କଂଟିଲୋ ଥୋଡ଼ିଆ ସାହିର ଅନ୍ତର୍ଯ୍ୟାମୀ ସାହୁ । ତାଙ୍କର ଏ ନାଁ ବଦଳରେ ଗଛ ସାର୍‌ ଭାବେ ସେ ଲୋକଙ୍କ ପାଖରେ ଅଧିକ ପରିଚିତ । ଗଛ ସାର୍ କେବଳ ତାଙ୍କ ଜିଲ୍ଲା ନହେଁ, ସାରା ଓଡ଼ିଶାରେ ପରିଚିତ । ତେବେ ଏହି ଗଛ ଲଗାଇବା ଆଉ ଭଲ ଗଛ ପାଇଁ ଭଲ ମଞ୍ଜି ସଂଗ୍ରହ କରିବାର ନିଶା ତାଙ୍କ ଶିକ୍ଷକତାକୁ ଛଡ଼ାଇ ନେଇଥିଲା । ସେ ଶିକ୍ଷକ ଚାକିରି ଛାଡ଼ି ଏଥିରେ ମାତିଥିଲେ । ଏବେ ତାଙ୍କର ଏହି କାମ ଧୀରେ ଧୀରେ ଏକ ଅଭିଯାନରେ ପରିଣତ ହେବାରେ ଲାଗିଛି । ତାଙ୍କ ଆହ୍ୱାନରେ ନୟାଗଡ଼ଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଅଂଚଳରେ ଗଛ ଲଗାଇବା କାର୍ଯ୍ୟକ୍ରମ ଚାଲିଛି ।

ଗଛ ସାର୍‌ଙ୍କ କହିବା କଥା, ପଳାଶ, ଶିମିଳି ବୃକ୍ଷରୋପଣ କରାଗଲେ ମହୁମାଛି ସଂଖ୍ୟା ବଢ଼ିବ । ଏହା ଆଖପାଖ ଅଂଚଳରେ ଚାଷବାସକୁ ବଢ଼ାଇବାରେ ସାହାଯ୍ୟ କରିବ । କୋଚିଲା ଗଛ ଦ୍ୱାରା କୋଚିଲାଖାଇ ପକ୍ଷୀ ଏବଂ ମାଙ୍କଡ଼ମାନେ ଖାଦ୍ୟ ପାଇପାରିବେ ବୋଲି ସେ କହିଛନ୍ତି । ଅଡ଼ଙ୍ଗା ଗଛର କନ୍ଧାକୁ ତାଡ଼ି ଲୋକେ ବାହାରକୁ ଚାଲାଣ କରୁଥିବାରୁ ଏହି ଗଛ ଏବେ ଜଙ୍ଗଲଗୁଡ଼ିକରୁ ନଷ୍ଟ ହୋଇଯାଉଛି । ତେଣୁ ଏସବୁ ଗଛର ମଞ୍ଜି ସଂଗ୍ରହ କରି ଲଗାଇବାକୁ ବି ସେ ଆହ୍ୱାନ ଦେଇଛନ୍ତି । ଗଛ ଲଗାଇବା ନିଶା ତାଙ୍କର ପିଲାବେଳୁ ଥିଲା । ଗାଁ ପୋଖରୀ ହୁଡ଼ାରେ ସେତେବେଳେ ଗଛ ଲଗାଇଥିଲେ ଯେ, ଆଜି ସେ ସବୁ ବିଶାଳ ବୃକ୍ଷରେ ପରିଣତ ହୋଇସାରିଛିି । ମାଟ୍ରିକ ପରେ ସିଟି ଓ ତା’ ପରେ ସେ କନ୍ଧମାଳ ଜିଲ୍ଲା କଂଟାମାଳ ବ୍ଲକ୍‌ର ସିଲେଟପଡ଼ା ଉଚ୍ଚପ୍ରାଥମିକ ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ । ପରେ ବୌଦ୍ଧ ଜିଲ୍ଲା ଝାଡ଼କାଶ ସ୍କୁଲକୁ ବଦଳି ହେବା ପରେ ପୁଣି ପିଲାବେଳର ଗଛ ଲଗାଇବା ସ୍ୱପ୍ନକୁ ସାକାର କରିବା ଆରମ୍ଭ କରିଥିଲେ । ସେହ ଗାଁରେ ଗ୍ରାମଲକ୍ଷ୍ମୀ ଉଦ୍ୟାନ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶହ ଶହ ଶାଗୁଆନ ବୃକ୍ଷରୋପଣ କରି ଗ୍ରାମଲକ୍ଷ୍ମୀ ଉଦ୍ୟାନକୁ ସବୁଜ ସୁନ୍ଦର କରିଥିଲେ । ଯାହାର ସୁଫଳ ଆଜି ଗ୍ରାମବାସୀ ପାଉଥିବା ବେଳେ ବନ ବିଭାଗ କିନ୍ତୁ ଗଛ ସାର୍‌ଙ୍କ ଏହି ଆହ୍ୱାନକୁ ଗ୍ରହଣ କରୁ ନଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି । ଗଛସାର୍ ସୋସିଆଲ ମିଡିଆରେ ମଞ୍ଜି ସଂଗ୍ରହ କରିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ । ଯେଉଁଥିରେ ସେ ନିଜେ ବାବୁଲ, ପଳାଶ, ବଡ଼ ଚାକୁଣ୍ଡା, ଖଜୁରୀ, ମଞ୍ଜାରୀ ଓ ବେଲ ଗଛର ମଞ୍ଜି ସଂଗ୍ରହ କରିଥିବାବେଳେ ମଞ୍ଜିଦାନ କରିବାକୁ ସମସ୍ତଙ୍କୁ ଆଗେଇ ଆସିବାକୁ କହିଥିଲେ । ଗଛସାର୍‌ଙ୍କ ଏହି ଆହ୍ୱାନରେ ଏବେ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ପୁରୀରୁ ସୁମନ, ସାକ୍ଷୀଗୋପାଳର ଶିବପ୍ରସାଦ, ପ୍ରଭାକର ଓ ନମାପଡ଼ାର ରାହୁଲ ଏବେ ଏହି କାମରେ ନିମଗ୍ନ । ଆଜି ନୁହେଁ, ଗତ କିଛି ବର୍ଷ ହେବ ସେମାନେ ଅନବରତ ଭବେ ମୌସୁମୀ ଆରମ୍ଭରୁ ମଞ୍ଜି ସଂଗ୍ରହ କରିବାରେ ମାତିଛନ୍ତିି । ନିଜ ଅଂଚଳରେ ଥିବା ପୁରୁଣା ଗଛ, ରାସ୍ତାକଡ଼ରେ ଉଠିଥିବା କରଞ୍ଜ, ନିମ୍ବ, ତେନ୍ତୁଳି ଆଦି ଗଛରୁ ମଞ୍ଜି ସଂଗ୍ରହ କରି ପରବର୍ତୀ ସମୟରେ ରାସ୍ତାକଡ଼ ଓ ଖୋଲାସ୍ଥାନରେ ଲଗାନ୍ତି । ନିଜସ୍ୱ ଉଦ୍ୟମରେ ଗତି କିଛି ବର୍ଷ ହେବ ଏହି କାମ ଚାଲିିଥିବାବେଳେ ସଂଗୃହୀତ ମଞ୍ଜିକୁ ବ୍ରହ୍ମଗିରି, ପୁରୀ, ସାକ୍ଷୀଗୋପାଳ, ଅସ୍ତରଙ୍ଗ ଆଦି ଅଂଚଳରେ ଲଗାଯାଉଛି

କୋରାପୁଟର ଦାମନଯୋଡ଼ି ଅଂଚଳର ସନ୍ତୋଷ କୁମାର ନନ୍ଦ ବି ଏମିତି ଜଣେ ମଞ୍ଜି ସଂଗ୍ରହକାରୀ । ଯିଏ କି ପ୍ରତିବର୍ଷ ମୌସୁମୀ ପୂର୍ବରୁ ମଞ୍ଜି ସଂଗ୍ରହ କରି ଏଥିରୁ ଅଳ୍ପ କିଛି ଚାରା ବନାନ୍ତି ଓ ବାକି ମଞ୍ଜିକୁ ଏମିତି ନେଇ ଖାଲି ଜାଗା ଓ ରାସ୍ତାକଡ଼ରେ ବୁଣିଦେଇ ଆସନ୍ତି । ସନ୍ତୋଷ କହନ୍ତି ଆମ ଅଂଚଳରେ ଆମ୍ବ, ଜାମୁକୋଳି, ତେନ୍ତୁଳି, ଅଁଳା, ପଣସ, ଲିଚୁ ମିଳୁଥିବାରୁ ଏହାକୁ ସଂଗ୍ରହ କରିଥାଏ । ଏଥିରୁ ଅଳ୍ପ କିଛିକୁ ଆଣି ଚାରା ତିଆରି କରି ବର୍ଷା ଦିନେ ଲଗାଏ । ବାକି ମଞ୍ଜିକୁ ଫାଙ୍କା ଜାଗାରେ ବିଂଚି ଦିଏ । ମଞ୍ଜି ସଂଗ୍ରହ ପାଇଁ ଆମେ ପଲ୍ଲୀ ଗାଁଗୁଡ଼ିକକୁ ଯାଇ ଲୋକଙ୍କୁ ଏ ବାବଦରେ ସଚେତନ କରି ମଞ୍ଜି ସଂଗ୍ରହ କରିଥାଉ ।

‘ଗଛ ସାର୍‌’ଙ୍କ ଏହି ଆହ୍ୱାନରେ ସାମିଲ ହୋଇ ଅନେକ ଯୁବକ ଆଜି ନିଜ ଅଂଚଳରେ ଗଛ ଲଗାଇବା, ପରିବେଶ ବଂଚାଇବାର ଦୃଢ଼ ଶପଥ ନେଇ ଆଗେଇ ଚାଲିଛନ୍ତି ।

animal protectionantaryami sahuenvironment conservationEnvironment Protectiongachha sirgachha sir odishakoraput damanjodinayagarh districtplantation of treessantosh kumar nandasocial media awarenessspreads awarenesstree man of nayagarhtree plantationଅଡ଼ଙ୍ଗା ଗଛଅନ୍ତର୍ଯ୍ୟାମୀ ସାହୁଓଡ଼ିଶାକଂଟିଲୋ ଥୋଡ଼ିଆ ସାହିକୋଚିଲା ଗଛକୋରାପୁଟର ଦାମନଯୋଡ଼ିଗଛ ଲଗାଇବା କାର୍ଯ୍ୟକ୍ରମଗଛ ସାର୍‌ଗ୍ରାମଲକ୍ଷ୍ମୀ ଉଦ୍ୟାନଚାରା ତିଆରିନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ପଳାଶବୃକ୍ଷରୋପଣମଞ୍ଜି ସଂଗ୍ରହକାରୀମହୁମାଛିଯୁବପିଢ଼ିଙ୍କୁ ଆହ୍ୱାନଶିକ୍ଷକ ଚାକିରିଶିମିଳିସନ୍ତୁଳିତ ପୃଥିବୀସନ୍ତୋଷ କୁମାର ନନ୍ଦସିଲେଟପଡ଼ା ଉଚ୍ଚପ୍ରାଥମିକ ସ୍କୁଲରେ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami