କେମିତି କ୍ୟାପ୍ଟେନଙ୍କ ଉପରେ ଭାରି ପଡିଲେ ପୂର୍ବତନ ଓପନର ?

ପଂଜାବ ରାଜନୀତି ପାଇଁ ଶନିବାର ଥିଲା ବଡ଼ଦିନ । ଶନିବାର ଦିନ ପୂର୍ବତନ ଓପନର ନବଜ୍ୟୋତ୍ ସିଦ୍ଧୁ କ୍ୟାପ୍ଟେନଙ୍କ ଉପରେ ଭାରି ପଡିଥିଲେ । ସିଦ୍ଧୁ ପଂଜାବ କଂଗ୍ରେସ ର ମୁଖ୍ୟ ହେବାର ମାତ୍ର ଦୁଇ ମାସ ପରେ ଅମରିନ୍ଦର ସିଂହ ଙ୍କୁ ନିଜ ପଦ ହରାଇବାକୁ ପଡିଛି । ଜୁଲାଇ ମାସରେ କ୍ୟାପ୍ଟେନ ଓ ସିଦ୍ଧୁ ମୁହାଁମୁହିଁ ହେବା ପରେ କଂଗ୍ରେସର ପ୍ରାଦେଶିକ ଚେହେରା ବଦଳିଥିଲେ । କ୍ୟାପ୍ଟେନଙ୍କ ଇସ୍ତଫାର ମୁଖ୍ୟ କାରଣ ଦୁହିଁଙ୍କ ମଧ୍ୟରେ ଅହଂ ଓ ବର୍ଚ୍ଚସ୍ୱ ଲଢେଇ । ଦୁଇ ନେତା ପରସ୍ପର ସହିତ କାମ କରିବା ପାଇଁ ପ୍ରସ୍ତୁତ ନଥିଲେ । ଦୁଇ ଗୋଷ୍ଠୀ ପରସ୍ପର ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ଶେଷରେ ଯୁଦ୍ଧରେ କ୍ୟାପ୍ଟେନ ଇସ୍ତଫା ଦେଇ ନିଜ ପରାଜୟ ସ୍ୱୀକାର କରିଛନ୍ତି । ସିଦ୍ଧୁ ଓ ଅମରିନ୍ଦର ଲଢେଇର ପ୍ରଥମ ଇନିଂସରେ ଏବେ ପୂର୍ବତନ ଓପନିଂ ବ୍ୟାଟସମ୍ୟାନଙ୍କ ବିଜୟ ହୋଇଥିବା ଲାଗୁଛି । କିନ୍ତୁ ସିଦ୍ଧୁ ନିଜ ନୂଆ ରାଜନୈତିକ ଶକ୍ତିକୁ କେତେଦିନ ବଜାୟ ରଖିବେ ତାହା ସମୟ କହିବ ।

ହାଇକମାଣ୍ଡ୍ ସିଦ୍ଧୁଙ୍କୁ ଗୁରୁତ୍ୱ ଦେଲେ

କଂଗ୍ରେସ ହାଇକମାଣ୍ଡ୍ କ୍ୟାପ୍ଟେନଙ୍କ ଅପେକ୍ଷା ସିଦ୍ଧୁଙ୍କୁ କେତେ ଗୁରୁତ୍ୱ ଦେଉଛନ୍ତି ତାହା ଜୁଲାଇ ମାସରୁ ଜଣା ପଡିଥିଲା । ଜୁଲାଇ ମାସରେ କ୍ୟାପ୍ଟେନଙ୍କ ବିରୋଧ ସତ୍ୱେ ସିଦ୍ଧୁଙ୍କୁ ହାଇକମାଣ୍ଡ୍ କଂଗ୍ରେସ ପ୍ରଦେଶ କମିଟି ମୁଖ୍ୟ କରିଥିଲେ । କିନ୍ତୁ କଂଗ୍ରେସ ମଧ୍ୟରେ ଗୃହଯୁଦ୍ଧ ସରିନଥିଲା । ବରଂ ଅଧିକ ବଢିଥିଲା । ଦୁଇ ନେତା ପରସ୍ପର ବିରୋଧରେ ବୟାନବାଜିର କୌଣସି ମୌକା ହରାଇ ନଥିଲେ । ନିକଟରେ ଜମ୍ମୁକାଶ୍ମୀରକୁ ନେଇ ସିଦ୍ଧୁଙ୍କ ଜଣେ ପରାମର୍ଶଦାତ୍ତା ଦେଇଥିବା ଟିପ୍ପଣୀକୁ ନେଇ କ୍ୟାପ୍ଟେନ ତାଙ୍କୁ ଘେରିଥିଲେ । ଫଳରେ ଏହି ପରାମର୍ଶଦାତ୍ତାଙ୍କୁ ତାଙ୍କ ପଦ ହରାଇବାକୁ ପଡିଥିଲା । ଯାହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା ଅଧିକ ବଢିଥିଲା । ସିଦ୍ଧୁଏକ ସଭାରେ ଇଟ୍ ସେ ଇଟ୍ ବଜା ଦୁଙ୍ଗା ବୋଲି କହିବାକୁ ପଛାଇ ନଥିଲେ ।

କ୍ୟାପ୍ଟେନଙ୍କ ଉପରେ ନଥିଲା ଭରସା ?

ଇସ୍ତଫା ଦେବା ପରେ କ୍ୟାପ୍ଟେନ୍ ଯାହା କହିଛନ୍ତି ସେଥିରୁ ଲାଗୁଛି ଯେ, ହାଇକମାଣ୍ଡଙ୍କର ତାଙ୍କ ଉପରେ ଭରସା ନଥିଲା । ସେ କହିଥିଲେ ଯେ, ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଇଛି । ତାଙ୍କର ଯାହା ଉପରେ ବିଶ୍ୱାସ ଅଛି ସେ ତାକୁ ମୁଖ୍ୟମନ୍ତ୍ରୀ କରନ୍ତୁ । ଗତ କେଇ ମାସ ମଧ୍ୟରେ ତୃତୀୟ ଥର ପାଇଁ ସିଏଲପି ବୈଠକ ହୋଇଛି । ଏଥିରୁ ଲାଗୁଛି ଯେ ମୁଁ ସରକାର ଚଳାଇ ପାରିବି ବୋଲି ତାଙ୍କର ସନ୍ଦେହ ଅଛି । ମୁଁ ଭାବୁଛି ୟେ, ଯଦି ମୋ ଉପରେ ସନ୍ଦେହ ଅଛି, ମୁଁ ସରକାର ଚଳାଇ ପାରିଲି ନାହିଁ, ଯେଉଁଭଳି ଭାବେ ଏହା ହେଲା ସେଥିରେ ମୁଁ ଅପମାନିତ ଅନୁଭବ କଲି । କଂଗ୍ରେସ ହାଇକମାଣ୍ଡ୍ ଓ ତାଙ୍କ ମଧ୍ୟରେ ସମ୍ପର୍କ କେତେ ଖରାପ ହୋଇଯାଇଛି ,ତାହା ଏହି ବୟାନରୁ ଜଣା ପଡେ ।

ବିକଳ୍ପ କ’ଣ ବିଜେପି ?

ଇସ୍ତଫା ପରେ କ୍ୟାପ୍ଟେନ ଆଉ ଗୋଟିଏ ବଡ ସଂକେତ ଦେଇଛନ୍ତି । ସେ କହିଛନ୍ତି ଯେ , ରାଜନୀତିରେ ବିକଳ୍ପ ଖୋଲା ଥାଏ । ତେବେ ଏହି ବିକଳ୍ପ କ’ଣ ହେବ ତାହା ସମୟ କହିବ । କ୍ୟାପ୍ଟେନ ନୂଆ ଦଳ ଗଢିବେ କି ବିଜେପିରେ ଯୋଗ ଦେବେ ତାହା ଆଗକୁ ଜଣା ପଡିବ । କାରଣ ଅନେକ ପ୍ରସଙ୍ଗ ଉପରେ କ୍ୟାପ୍ଟେନ ବିଜେପିକୁ ସମର୍ଥନ ଦେଇଛନ୍ତି । ତାଙ୍କ ଦଳ ଲାଇନରୁ ହଟି ସେ ୩୭୦ ଧାରା ଉପରେ ସରକାରକୁ ସମର୍ଥନ ଦେଇଛନ୍ତି । ନିକଟରେ ଏକ ସଭାରେ ସେ ବିକ୍ଷୋଭକାରୀ କୃଷକଙ୍କୁ ପଂଜାବରେ ବିକ୍ଷୋଭ ନକରିବାକୁ କହିଥିଲେ । ଏମିତି କହି ସେ କୃଷକ ଆନ୍ଦୋଳନରୁ ନିଜକୁ ଦୁରେଇବାକୁ ସଂକେତ ଦେଉଥିଲେ । ଯାହାର ଅର୍ଥ ବିଜେପିର ନିକଟତର ହେବ । ସବୁଠାରୁ ବଡ କଥା ହେଲା ଇସ୍ତଫା ଦେବାର କେଇ ଘଣ୍ଟା ପୂର୍ବରୁ କ୍ୟାପ୍ଟେନ କହିଥିଲେ ଯଦି ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ କୁହାଯାଏ ତେବେ ଦଳ ଛାଡିବି । ନିକଟରେ ମଧ୍ୟ କ୍ୟାପଟେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ । ଏମିତିରେ ତାଙ୍କ ପାଇଁ ବିକଳ୍ପ ଯଦି ବିଜେପି ହୁଏ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କ୍ୟାପଟେନ୍ ମଧ୍ୟ ଇସ୍ତଫା ଦେବା ପରେ ରାହୁଲଙ୍କୁ ‘ଛୋଟ ପିଲା’ କହି ବାଣ ମାରିଛନ୍ତି । ଯାହାର ଅର୍ଥ ହେଉଛି କ୍ୟାପଟେନ୍ ଓ କଂଗ୍ରେସ ଏବେ ପରସ୍ପରଠାରୁ ଦୁରରେ ।

ସିଦ୍ଧୁଙ୍କ ମନୋବୈଜ୍ଞାନିକ ବିଜୟ

କ୍ୟାପଟେନଙ୍କ ଇସ୍ତଫା ନିଶ୍ଚିତ ଭାବେ ସିଦ୍ଧୁଙ୍କ ପାଇଁ ଗୋଟିଏ ବଡ ମନୋବୈଜ୍ଞାନିକ ବିଜୟ । ଏଥିରୁ ପ୍ରମାଣିତ ହେଉଛି ଯେ, କଂଗ୍ରେସ ହାଇକମାଣ୍ଡ୍ ସିଦ୍ଧୁଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଜୁଲାଇ ମାସରେ କ୍ୟାପଟେନଙ୍କ ଆପତି ସତ୍ୱେ ସିଦ୍ଧୁଙ୍କୁ ଦଳର ମୁଖ୍ୟ କରି ହାଇକମାଣ୍ଡ୍ ସ୍ପଷ୍ଟ ସଂକେତ ଦେଇଥିଲେ ଯେ, ସିଦ୍ଧୁ ମହତ୍ୱପୂର୍ଣ୍ଣ

ଏମିତି ହୋଇଥିଲା ଫିଲ୍ଡିଂ ସେଟ୍

କ୍ୟାପ୍ଟେନଙ୍କୁ ହଟାଇବା ପାଇଁ ସିଦ୍ଧୁ ତିନି ମାସ ଧରି ଫିଲ୍ଡି ସେଟ୍ କରୁଥିଲେ । ନିକଟରେ ୫୦ରୁ ଅଧିକ ବିଧାୟକ ସୁପ୍ରିମୋ ସୋନିଆଙ୍କୁ ପତ୍ର ଲେଖି କ୍ୟାପ୍ଟେନଙ୍କୁ ହଟାଇବା ପାଇଁ ନିବେଦନ କରିଥିଲେ । ଏହି ପତ୍ରରେ ସିଏଲପି ବୈଠକ ଡାକିବା ପାଇଁ ଅନୁରୋଧ କରାଯାଇଥିଲା । ପତ୍ର ପାଇବା ପରେ ହାଇକମାଣ୍ଡ୍ ସିଏଲପି ବୈଠକ ପାଇଁ ଆଦେଶ ଦେଇଥିଲେ । ଫଳରେ ବିଳମ୍ବିତ ରାତ୍ରିରେ ଶନିବାର ସିଏଲପି ବୈଠକ ହେବ ବୋଲି ଜଣାଇ ଦିଆଗଲା । ଏସବୁ କିଛି ଏକଦା ପଂଜାବ କଂଗ୍ରେସ ରାଜନୀତିରେ କେନ୍ଦ୍ରରେ ଥିବା ଅମରିନ୍ଦରଙ୍କ ଅଜାଣତରେ ହୋଇଥିଲା । ବୈଠକ ନିଷ୍ପତିର ମାତ୍ର କେଇ ଘଣ୍ଟା ମଧ୍ୟରେ କ୍ୟାପ୍ଟେନ ରାଜନୀତିରେ ରିଟାୟର୍ଡ୍ ହର୍ଟ ହୋଇ ନିଜ ବିକଳ୍ପ ଖୋଜୁଛନ୍ତି ।

୩୭୦ ଧାରା ଉପରେ ସରକାରକୁ ସମର୍ଥନarticle 370 supportcaptain amarinder singh may join BJPcaptain amarinder singh resignscongress crisis in punjabCongress highcommandformer opener batsman navjot sidhunavjot sidhu vs captain amarinder singhpunjab cm amarinder singhpunjab congress chiefsidhu vs captainଅମରିନ୍ଦର ସିଂହକଂଗ୍ରେସ ମଧ୍ୟରେ ଗୃହଯୁଦ୍ଧକଂଗ୍ରେସ ହାଇକମାଣ୍ଡ୍କ୍ୟାପ୍ଟେନଙ୍କ ଇସ୍ତଫାବିଜେପିରେ ଯୋଗ ଦେବେସିଦ୍ଧୁ ପଂଜାବ କଂଗ୍ରେସ ର ମୁଖ୍ୟ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami