‘ରାମ’ ଯିଏ ‘କୃଷ୍ଣ’ ସିଏ କିନ୍ତୁ ବିଜେପି ନଜରରେ ରାମ-କୃଷ୍ଣ-ଜଗନ୍ନାଥ ଅଲଗା

ଅଯୋଧ୍ୟାରେ ସ୍ୱାଗତ, ପୁରୀରେ ବିରୋଧ !

*ପୁରୀରେ ବିଜେପିର ‘ସଂସ୍କାରୀ’ ଛାଡଖାଇ

*ପୁରୀ ନାଁ ବଦଳାଇବାକୁ ଚାହୁଁଥିବା ଦଳର ଅସଲ ଚରିତ୍ର ପଦାରେ ପଡିଲା

*ଜଗନ୍ନାଥ ମିଛ, କ୍ଷମତା ହାସଲ ଲୋଭ ସତ

*ସଂସ୍କାର ସାର୍ଟିଫିକେଟ ବାଣ୍ଟୁଥିବା ଦଳର ସଂସ୍କାରୀ କାମ

କାର୍ତ୍ତିକ ମାସରେ ଆମିଷ ନିଶେଦ୍ଧ। ଅନେକ ବାଧ୍ୟବାଧକତାରେ ଏହି ମାସରେ ଶାକାହାରୀ ପାଲଟିଯାନ୍ତି । କିନ୍ତୁ ଅପେକ୍ଷା ଛାଡଖାଇ କୁ ଥାଏ । ଛାଡଖାଇ ଦିନ ଏଭଳି ମାସିକିଆ ଭକ୍ତମାନେ ମାସକ ଯାକର ଭୋକ ମେଣ୍ଟାନ୍ତି । ବିଜେପି ମଧ୍ୟ ବୁଧବାର ଦିନ ଛାଡଖାଇ ପୁରୀରେ ପାଳିଛି । ଧର୍ମନଗରୀରେ ଯେଉଁଭଳି ଅଣ୍ଡାମାଡ ଏହାର ସୈନିକ କରିଛନ୍ତି ସେଥିରୁ ଏହା ଜଣାପଡୁଛି । ଏହାମଧ୍ୟ ଜଣାପଡୁଛି ଯେ, ସଂସ୍କାର-ସଂସ୍କୃତିର ସାର୍ଟିଫିକେଟ ବାଣ୍ଟୁଥିବା ଦଳର ସଂସ୍କାର କେତେ ଅଧିକ ! ମଝିରେ ମଝିରେ ପୁରୀରୈ ଆମିଷ ବ୍ୟାନ ଦାବି କରୁଥିବା ଦଳର ଆମିଷ ପ୍ରେମକୁ ପୁରା ରାଜ୍ୟ ଦେଖିଲା । ନିଜକୁ ହିନ୍ଦୁ ଧର୍ମର ଠିକାଦାର ଭାବୁଥିବା ଦଳ କେଉଁଭଳି ଭ୍ରମରେ ଅଛି ତାହା ଜଳଜଳ ଦିଶୁଛି । ସେମିତି ନହୋଇଥିଲେ ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜାକୁ ସ୍ବାଗତ କରୁଥିବା ଦଳ ଶ୍ରୀମନ୍ଦିର ପରିକ୍ରମା ଶିଳାନ୍ୟାସ ବେଳେ ଅଣ୍ଡାମାଡ କରି ନିଜ ସଂସ୍କାର ର ପରିଚୟ ଦେଇନଥାନ୍ତା

ରାମ ନାମ ଜପି ଜପି ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଛି । ୧୯୮୦ ଦଶକରେ ଜନ୍ମ ନେଇଥିବା ଗୈରିକ ଦଳ ୮୦ରୁ ୮୪ ପର୍ଯ୍ୟନ୍ତ ଭାରତୀୟ ରାଜନୀତିରେ ପାଦ ଥାପିବାକୁ ଭୂମି ଖୋଜୁଥିଲା । ୧୯୮୪ ଆସିବା ବେଳକୁ ଭାରତୀୟ ରାଜନୀତିରେ ଏହି ଦଳର କୌଣସି ପ୍ରଭାବ ବା ଭୂମିକା ଥିଲା ଭଳି ଲାଗୁନଥିଲା । ହିନ୍ଦୁ ଓ ହିନ୍ଦୁତ୍ୱ କଥା କହୁଥିବା ଦଳ ୧୯୮୪ରେ ସବୁଠାରୁ ବଡ଼ ଝଟକା ଖାଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ସହାନୁଭୁତି ଲହରରେ ବିଜେପିର ଡଙ୍ଗା ଡୁବି ଯାଇଥିଲା । ଏହାର ଛାମୁଆଁ ନେତା ଯେମିତିକି ଅଟଳ ବିହାରୀ ବାଜପାୟୀ ମଧ୍ୟ ନିର୍ବାଚନୀ ଆଖଡାରେ ମାଟି କାମୁଡିଥିଲେ । ଏସବୁ ଭିତରେ ବିଜେପିଙ୍କୁ ପ୍ରଭୁ ଶ୍ରୀରାମଙ୍କ ମଧ୍ୟରେ ଭୋଟ୍ ମୋକ୍ଷ ନଜର ଆସିଥିଲା । ୧୯୪୮ ମସିହାରୁ ତାଲବନ୍ଦ ଥିବା ବାବ୍ରି ମସଜିଦରେ ବିଜେପିର ଓରିଜିନାଲ ହିନ୍ଦୁ ହୃଦୟ ସମ୍ରାଟ ଲାଲକୃଷ୍ଣ ଆଡଭାନୀ ଦେଖିଥିଲେ ହିନ୍ଦୁ ଭୋଟ୍ ଧୃବୀକରଣର ସମ୍ଭାବନା । ଆଡଭାନୀଙ୍କ କାଳଖଣ୍ଡରେ ଉତ୍ତର ଭାରତର ଲୋକପ୍ରୀୟ ସମ୍ବୋଧନ ‘ରାମ ରାମ୍’ ଓ ଜୟ ସିୟା ରାମ’ ବଦଳି ଯାଇ ହୋଇଥିଲା ଜୟ ଶ୍ରୀରାମ । ଉଗ୍ର ହିନ୍ଦୁତ୍ୱର ଯୁଦ୍ଧଂଦେହି ନାରା ଜୟ ଶ୍ରୀରାମ ବିଜେପିକୁ ୪ ଆସନରୁ ୯୧ରେ ପହଂଚାଇଥିଲା । ୨୦୧୪ରେ ବିଜେପିର ଏକକ ସଂଖ୍ୟାଗରିଷ୍ଠତା ସହିତ କେନ୍ଦ୍ରରେ କ୍ଷମତା ଦଖଲ ପଛରେ ଥିଲା ପ୍ରଭୁ ଶ୍ରୀରାମଙ୍କ ଆର୍ଶିବାଦ ଓ ଭକ୍ତଙ୍କ ଭୋଟ୍ । କିନ୍ତୁ ବିଜେପି ପାଇଁ ଲାଗୁଛି ରାଜ୍ୟ ବଦଳିବା ସହିତ ଭଗବାନ ମଧ୍ୟ ବଦଳିଯାନ୍ତି । ଯାହା ବୁଧବାର ଦିନ ଓଡ଼ିଶାରେ ଦେଖିବାକୁ ମିଳିଥିଲା ଶ୍ରୀମନ୍ଦିର ପରିକ୍ରମା ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ଉପରକୁ ଯେଉଁଭଳି ଅଣ୍ଡାମାଡ କରାଯାଇଛି ତାହାକୁ ଦେଖି ଓଡ଼ିଶାର ସାଧାରଣ ଲୋକଙ୍କ ମଧ୍ୟରେ ଏଭଳି ଆଲୋଚନା ହେଉଛି ।

ରାମ ଯିଏ ସିଏ କୃଷ୍ଣ, ଯିଏ କୃଷ୍ଣ ସିଏ ଜଗନ୍ନାଥ କିନ୍ତୁ…

ହିନ୍ଦୁ ମାନ୍ୟତା ଅନୁସାରେ ରାମ, କୃଷ୍ଣ ଓ ଜଗନ୍ନାଥ ବିଷ୍ଣୁଙ୍କ ଅବତାର । ଅବତାରରେ ବିଶ୍ୱାସ କରୁଥିବା ହିନ୍ଦୁଙ୍କ ପାଇଁ କୃଷ୍ଣ ଓ ଜଗନ୍ନାଥଙ୍କ ମଧ୍ୟରେ ଫରକ ନଥାଏ । କିନ୍ତୁ ରାଜନୀତିର ମାୟା ଅଲଗା । ଧର୍ମୀୟ ରାଜନୀତିରେ ରୁଟି ସେକି ଯେଣତେଣ କ୍ଷମତା ଦଖଲ କରିବାକୁ ଚାହୁଁଥିବା ବିଜେପି ପାଇଁ ରାମଙ୍କଠାରୁ ଜଗନ୍ନାଥଙ୍କ କାର୍ଯ୍ୟ ଗୌଣ । ତେଣୁ ଯେତେବେଳେ ଜଗନ୍ନାଥ ମନ୍ଦିର ପରିକ୍ରମା କାର୍ଯ୍ୟର ଶିଳାନ୍ୟାସ ପାଇଁ ମୁଖ୍ୟମନ୍ତ୍ରୀ ଯାଆନ୍ତି ସେତେବେଳେ ବିଜେପି ଏହାକୁ ବିରୋଧ କରେ । ତୁଛା ରାଜନୈତିକ ଚର୍ଚ୍ଚା ସାଉଁଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଏ । ତାଙ୍କ ଗାଡି ଉପରକୁ ଅଣ୍ଡା ଫୋପାଡେ ।

ଅହମ୍ମଦାବାଦରେ ଆଇଁଷ ଦୋକାନ ବନ୍ଦ କିନ୍ତୁ ପୁରୀରେ ଅଣ୍ଡା ମାଡ଼

ହିନ୍ଦୁ ଧର୍ମୀୟ ମାନ୍ୟତା ଅନୁସାରେ ଦେବାଦେବୀଙ୍କ ପୀଠରେ ଆମିଷ ନିଶେଧ ଏହାକୁ ବିଜେପିଠାରୁ ଅଧିକ କେହି ବୁଝେନା । ତେଣୁ ବିଜେପି ଶାସିତ ରାଜ୍ୟ ଗୁଜୁରାଟର ଅହମ୍ମଦାବାଦରେ ରାସ୍ତାକଡ ନନଭେଜ୍ ଫାଷ୍ଟଫୁଡ୍ ଦୋକାନ ସବୁ ବନ୍ଦ କରିଦିଆଯାଇଛି । ଏହି ଦୋକାନକୁ ଆଶ୍ରା କରି ଚଳୁଥିବା ପରିବାର ଏବେ ହତାଶ । କିନ୍ତୁ ନିଜକୁ ଅଧିକ ‘ହିନ୍ଦୁ’ ଦେଖାଇ ହେବା ଚକ୍କରରେ ରାସ୍ତାକଡରୁ ନନ୍ ଭେଜ୍ ଦୋକାନ ଉଠାଇ ନେଇଥିବା ବିଜେପିର ଓଡ଼ିଶା ଶାଖା ପାଇଁ ଚାରିଧାମରୁ ଗୋଟିଏ ପୁରୀରେ ରାସ୍ତାକଡରେ ଅଣ୍ଡାମାଡ଼ କରୁଛି । ଆଉ ଏହାକୁ ନେଇ ବାହାଦୁରି ମଧ୍ୟ ନେଉଛି । ଏହାଠାରୁ ଅଧିକ ବିଡମ୍ବନାର ବିଷୟ କ’ଣ ହୋଇପାରେ ।

ଅଯୋଧ୍ୟାରେ ମୋଦିଙ୍କ ସ୍ୱାଗତ, ପୁରୀରେ ନବୀନଙ୍କୁ ବିରୋଧ ?

ରାମଙ୍କୁ ଅସ୍ତ୍ର କରି ବିଜେପି ପାଖାପଖି ୩୦ ବର୍ଷ ଧରି ରାଜନୀତି କରିଛି । ଏବେବି କରୁଛି । ୨୦୨୦ ଅଗଷ୍ଟ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଯାଇ ରାମମନ୍ଦିର ପାଇଁ ଭୂମିପୂଜନ କରିଥିଲେ । ଯାହାକୁ ପ୍ରଚାରରେ ମାହିର ବିଜେପି ବଢେଇ ଚଢେଇ ପ୍ରଚାର କରିଥିଲା । ନରେନ୍ଦ୍ର ମୋଦି ଯେଉଁଦିନ ଅଯୋଧ୍ୟା ଯାଇଥିଲେ ସେଦିନ ତାଙ୍କୁ ବିରୋଧ ହୋଇଥିଲା କି ? କ’ଣ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ମତବାଦକୁ ବିରୋଧ କରୁଥିବା ଦଳ କିମ୍ବା କର୍ମୀ ଅଯୋଧ୍ୟାରେ ନଥିଲେ ? ନିଶ୍ଚୟ ଥିଲେ । କିନ୍ତୁ ଗୋଟିଏ ଧର୍ମୀୟ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ଜଣେ ଶାସନମୁଖ୍ୟଙ୍କୁ କେହି ବିରୋଧ କରିନଥିଲେ । ତାଙ୍କ ଗାଡି ଉପରକୁ ଅଣ୍ଡା ମାଡ ହୋଇନଥଇଲା । କିନ୍ତୁ ଓଡ଼ିଶାରେ ଅଜବ ଘଟଣା ଦେଖିବାକୁ ମିଳିଛି । ହିନ୍ଦୁ ଧର୍ମ ବିପଦରେ ବୋଲି ଏଜେଣ୍ଡା ଚଳାଉଥିବା ଦଳ ପାଇଁ ଧାର୍ମିକ ସହର ପୁରୀରେ ଲୋକଙ୍କ ଧର୍ମୀୟ ଭାବନାକୁ କୁଠାରଘାତ କରିବାରେ ଟିକିଏ ମଧ୍ୟ ସଂକୋଚ ଆସିଲା ନାହିଁ । କଳ୍ପନା କରନ୍ତୁ ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଯୋଧ୍ୟା କାର୍ଯ୍ୟକ୍ରମ ବେଳେ କିମ୍ବା ନିକଟରେ ଅଯୋଧ୍ୟାରେ ଦିପାବଳୀ ଅବସରରେ ଦୀପଦାନ କାର୍ଯ୍ୟକ୍ରମ ବେଳେ ଯଦି କେହି ଯୋଗୀ ଆଦିତ୍ୟନାଥଙ୍କ ଉପରକୁ ଅଣ୍ଡାମାଡ଼ କରିଥାନ୍ତା ତେବେ ଗୈରିକ ଦଳର ପ୍ରତିକ୍ରିୟା କ’ଣ ହୋଇଥାନ୍ତା ? ଗୈରିକ ଦଳର ନେତାଙ୍କ ମୁହଁରୁ ଅଗ୍ନୀବର୍ଷା ହୋଇଥାନ୍ତା । ସେମାନେ କହିଥାନ୍ତେ ଅଣ୍ଡାମାଡ କରିଥିବା ବ୍ୟକ୍ତି ଓ ଦଳ ହିନ୍ଦୁ ବିରୋଧୀ ହିନ୍ଦୁ ଅସ୍ମିତା ଓ ଆତ୍ମସମ୍ମାନ କଥା ଉଠାଇ ଗେରୁଆ ଦଳର ନେତା ଢେର ବୟାନବାଜୀ ହୋଇଥାନ୍ତା ।

କ’ଣ ବିଜେପି ପାଇଁ ଜଗନ୍ନାଥ ଗୌଣ ?

ଏଇଠି ପ୍ରଶ୍ନ ଉଠୁଛି ବିଜେପିର ରାଜ୍ୟ ଶାଖା ନଜରରେ କ’ଣ ଜଗନ୍ନାଥ ଓ ଜଗନ୍ନାଥ ଧାମର ଧାର୍ମିକ ମହତ୍ୱ ନାହିଁ ? ହିନ୍ଦୁ ଧର୍ମ କଥା କହୁଥିବା ଦଳ କେମିତି ଗୋଟିଏ ଧାର୍ମିକ କାର୍ଯ୍ୟକୁ ବିରୋଧ କରିପାରେ ? ବିଜେପି ପାଇଁ ତେବେ କ’ଣ ପ୍ରଭୁ ଶ୍ରୀରାମ ବଡ, ଜଗନ୍ନାଥ ଛୋଟ ? ଓଡ଼ିଶାର ଗଣଦେବତା ଜଗନ୍ନାଥଙ୍କ କାର୍ଯ୍ୟରେ ବିଘ୍ନ ସୃଷ୍ଟି କରି ବିଜେପି ଏହା ପ୍ରମାଣିତ କରିବାକୁ ଚେଷ୍ଟା କରିନାହିଁ କି ?

bada danda puriBharatiya Janata Yuva Morchabiju janata dalbjp supporters protests in puriBJP vs BJDeggs hurled in purieggs hurled on naveen patnaiks convoyhinduHindu agenda of bjphindutvajagannath dhamjay jagannathjay siya ramLord Jagannathlord jagannath purilord ramNarendra Modinaveen patnaiknaveen patnaik puri visitodisha CMpuripuri jagannathstone laying ceremonyଓଡ଼ିଶାର ଗଣଦେବତା ଜଗନ୍ନାଥକୃଷ୍ଣ ଓ ଜଗନ୍ନାଥଜଗନ୍ନାଥ ଛୋଟଜଗନ୍ନାଥ ମନ୍ଦିର ପରିକ୍ରମା କାର୍ଯ୍ୟର ଶିଳାନ୍ୟାସପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିପ୍ରଭୁ ଶ୍ରୀରାମ ବଡରାମ ରାମ୍’ ଓ ଜୟ ସିୟା ରାମରାମମନ୍ଦିର ପାଇଁ ଭୂମିପୂଜନହିନ୍ଦୁ ଓ ହିନ୍ଦୁତ୍ୱହିନ୍ଦୁ ବିରୋଧୀ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami