୪ ଜିଲାବାସୀଙ୍କ ସାହାରା ବୋଟ୍ ଆମ୍ବୁଲାନ୍ସ

Above Post Content

ଭୁବନେଶ୍ୱର : ବିଚ୍ଛିନ୍ନାଞ୍ଚଳବାସୀଙ୍କ ସାହାରା ପାଲଟିଛି ବୋଟ୍ ଆମ୍ବୁଲାନ୍ସ । ନଦୀକୂଳିଆ ଓ ପାଣିଘେର ଗାଁରେ କେହି ଅସୁସ୍ଥ ହେଲେ ଠିକ୍ ସମୟରେ ନଦୀ ପାର କରାଇ ନିକଟସ୍ଥ ହସ୍ପିଟାଲରେ ପହଞ୍ଚାଇବା କ୍ଷେତ୍ରରେ ଏହା ନୂଆ ଦିଗନ୍ତ ଦେଖାଇଛି । ଏହାଦ୍ୱାରା ଅକାଳରେ ଝଡ଼ି ପଡ଼ୁଥିବା ଅନେକ ଜୀବନ ରକ୍ଷା ହୋଇପାରୁଛି । ବିଶେଷକରି ଗର୍ଭବତୀ ମହିଳା ଏବଂ ଦୁର୍ଘଟଣାଗସ୍ତ ରୋଗୀଙ୍କୁ ତ୍ୱରିତ ଚିକିତ୍ସା ସେବା ଯୋଗାଇବାରେ ଏହା ଏକ ପ୍ରମୁଖ ଭୂମିକା ନିଭାଇ ଆସୁଛି । ରାଜ୍ୟର ୪ ଜିଲ୍ଲାରେ ଚାଲିଥିବା ଏହି ୬ଟି ବୋଟ୍ ଆମ୍ବୁଲାନ୍ସ ସେବା ପାଇଁ ରାଜ୍ୟ ସରକାରଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

୩୮ ମାସରେ ୧୨୨୭ ରୋଗୀଙ୍କୁ ମିଳିଛି ଉତ୍କର୍ଷ ସେବା

After 2nd paragraph post ads
Middle post content

ଏହି ବୋଟ୍ ଆମ୍ବୁଲାନ୍ସ ଦ୍ୱାରା ଗତ ୩୮ ମାସରେ ୧୨୨୭ ରୋଗୀଙ୍କୁ ଉତ୍କର୍ଷ ଚିକିତ୍ସା ସେବା ମିଳିପାରିଛି । ୨୦୨୧ର ୧୯୬ ଜଣ, ୨୦୨୨ରେ ୫୩୪, ୨୦୨୩ରେ ୪୩୮ ଓ ଚଳିତବର୍ଷ ପ୍ରଥମ ଦୁଇମାସର ୫୯ ରୋଗୀଙ୍କୁ ଅତି ଯତ୍ନଶୀଳ ଭାବେ ସ୍ଥାନାନ୍ତର କରାଯାଇଛି । ସେହିପରି ସ୍ୱାଭିମାନ ଅଞ୍ଚଳରେ ରୋଗୀଙ୍କ ଜୀବନରକ୍ଷା ସହ କେନ୍ଦ୍ରାପଡ଼ା, କଳାହାଣ୍ଡି ଓ କୋରାପୁଟ୍‌ବାସୀଙ୍କୁ ତତ୍କାଳ ସ୍ୱାସ୍ଥ୍ୟଗତ ସେବା ଯୋଗାଇ ଦିଆଯାଇଛି । ୧୦୮କୁ କଲ୍ କରି ସ୍ଥାନୀୟ ଲୋକେ ବୋଟ୍ ଆମ୍ବୁଲାନ୍ସର ସହାୟତା ଲୋଡ଼ିବା ପରେ ସେମାନଙ୍କୁ ତୁରନ୍ତ ଦୁଇଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଉଛି । ପାଣିଘେରରେ ରହୁଥିବା ସ୍ଥାନରେ ପ୍ରଥମେ ବୋଟ୍ ଆମ୍ବୁଲାନ୍ସ ସମ୍ପୃକ୍ତ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଜଳପଥରେ ଆଣି ସେଠାରେ ଥିବା ଆଉ ଏକ ଆମ୍ବୁଲାନ୍ସ ରୋଗୀଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଉଛି ।

ଚିତ୍ରକୋଣ୍ଡାରେ ମାଇଲ ମାଇଲ ବାଟ ଡେଇଁ ସ୍ୱାସ୍ଥ୍ୟସେବା ଯୋଗାଉଛି

ଦିନେ ଲାଲଗଡ଼ ଭାବେ ପରିଚିତ ମାଲକାନାଗିରି ସ୍ୱାଭିମାନ ଅଞ୍ଚଳରେ ପରିଣତ ହେବା ପରେ ସେଠାକାର ଲୋକଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିଛି । ଗୁରୁପ୍ରିୟା ସେତୁ ହେବା ପରେ ଗମନାଗମନ ସହଜ ହୋଇଛି । ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳିବାରେ ବିଶେଷ ଅସୁବିଧା ହେଉନାହିଁ । କିନ୍ତୁ କିଛି ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚିବା କାଠିକର ପାଠ ହେଉଛି । ତେଣୁ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଇଲ ମାଇଲ ବାଟ ଡେଇଁ ଏହି ବୋଟ୍ ଆମ୍ବୁଲାନ୍ସ ପହଞ୍ଚୁଛି ଓ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛି । ମାଲକାନାଗିରିରେ ଦୁଇଟ୍ ବୋଟ୍ ଆମ୍ବୁଲାନ୍ସ ରୋଗୀଙ୍କୁ ସେବା ଯୋଗାଉଛି । ଅନୁରୂପ ଭାବେ ଅନ୍ୟ ୩ ଜିଲ୍ଲାରେ ଚଳାଚଳ କରୁଥିବା ବୋଟ୍ ଆମ୍ବୁଲାନ୍ସ ମଧ୍ୟ ଦୁର୍ଗମ ଓ ପାଣିଘେରରେ ଥିବା ଲୋକଙ୍କୁ ହାତପାହାନ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି । ଏହି ସମସ୍ତ ଅଞ୍ଚଳରେ ୧୦୦ରୁ ଅଧିକ ଗାଁରେ ଲକ୍ଷାଧିକ ଲୋକ ଉପକୃତ ହୋଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami