ଦୋକାନରେ ବିଭିନ୍ନ ରକମର ସ୍ୱାଦିଷ୍ଟ ମିଠାର ପସରା

ଭୁବନେଶ୍ୱର: ଆଉ ଦିନକ ପରେ ଆଲୋକର ପର୍ବ ଦିପାବଳୀ । ଦୀପାବଳିରେ ଆଲୋକର ପ୍ରତୀକ ଦୀପ, ରଙ୍ଗୋଲି ଓ ବାଣ ଯେତିକି ଜରୁରି ମିଠା ବି ସେତିକି ଆବଶ୍ୟକ । ଏହି ପର୍ବରେ ପ୍ରିୟଜନକୁ ଉପହାରସ୍ୱରୂପ ହେଉ, କର୍ପୋରେଟ୍ ଗିଫ୍ଟ ଭାବେ ହେଉ ବା ଅତିଥି ଅଭ୍ୟାଗତଙ୍କୁ ଆପ୍ୟାୟିତ କରିବା ପାଇଁ ଦୀପାବଳିରେ ଖୋଜାପଡ଼େ ସୁସ୍ୱାଦୁ ମିଠା । ସେ ପୁଣି ଖାଲି ମିଠା ନୁହେଁ, ରଙ୍ଗବେରଙ୍ଗ ଓ ନିଆରା ମିଠା । ଏଥର ଭୁବନେଶ୍ୱରରେ ଭିନ୍ନ ଭିନ୍ନ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ମିଠା କାରିଗରମାନେ ଗଢ଼ି ଚାଲିଛନ୍ତି ଭିନ୍ନଭିନ୍ନ ରକମର ସ୍ୱାଦିଷ୍ଟ ମିଠା । ଏଥିପାଇଁ ମିଠା ବ୍ୟବସାୟୀଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ବି ଆରମ୍ଭ ହୋଇଯାଇଛି । କିଏ ଛେନା, କ୍ଷୀରକୁ ଅସ୍ତ୍ର କରିଛି ତ’ ପୁଣି କେହି ଫଳ ଓ ଡ୍ରାଏ ଫ୍ରୁଟ୍‌କୁ ନେଇ ମିଠାର ପସରା ଖୋଲିଲାଣି । ପ୍ରତିବର୍ଷ କେବଳ ଦୀପାବଳି ଓ ଏହାର ପୂର୍ବ ୨ ଦିନ ରାଜଧାନୀର ମିଠା ବ୍ୟବସାୟୀ ଭଲ କାରବାର କରିଥା’ନ୍ତି ।

କାଜୁ ବା ଡ୍ରାଏ ଫ୍ୟୁଟ୍‌ସ୍ ତିଆରି ମିଠାର ଚାହିଦା ବେଶୀ

ମିଠା ବଜାରକୁ ଆସିଛି ବିଭିନ୍ନ ପ୍ରକାରର ମିଠା । କାନ୍‌ପୁରୀ ଲଡ଼ୁ, ସାହି ଲଡ଼ୁ, ଦେଶୀ ଘିଅ ଲଡ଼ୁ, କେଶର ଲଡ଼ୁ, ଗୋନ୍ଦ ଲଡ଼ୁ , ଗୁଡ଼ ପେଡ଼ା ସହ ମସୁର, କେଶର ଓ ମଲାଇ ପେଡ଼ା । ଏବେ ଲୋକେ ଅଧିକ ଡ୍ରାଏ ଫ୍ରୁଟ୍‌ସ୍ ମିଠା ପସନ୍ଦ କରୁଛନ୍ତି । ଏଣୁ କାଜୁ ବା ଡ୍ରାଏ ଫ୍ୟୁଟ୍‌ସ୍ ତିଆରି ମିଠାର ଚାହିଦା ବେଶୀ । ଖୋୟା ଫ୍ୟାନ୍ସିଂ, କାଜୁ ଚକୋ ଚିପ୍‌ସ୍‌, କାଜୁ କଟୋରି, ଖର୍ଜୁ ଡ୍ରାଏ ଫ୍ରୁଟ୍‌ସ୍ ଲଡ଼ୁ, ସ୍ପେସାଲ୍ ଡ୍ରାଏଫ୍ରୁଟ୍‌ସ ଲଡ଼ୁ, କାଜୁ ଭୁଜିଆ, କାଜୁ ଦୀପ୍‌, କାଜୁ ପାନ୍‌, ଖୋୟା ଆପଲ୍‌, ଖୋୟା ମ୍ୟାଙ୍ଗୋ, ପିସ୍ତା ସଫ୍ଟି, ଫ୍ୟାନ୍ସି ରଥ, କାଜୁ ହନି, କାଜୁ ସ୍ଲାଇସ୍‌, ଶଙ୍ଖୁଲି, ଆଶା ଡ୍ରାଏ ଫ୍ରୁଡ୍‌ସ୍‌, ଖୁଆ ପୁରୀ ଓ ମାଓବାଟି ଆଦି ମିଠା ରାଜଧାନୀବାସୀଙ୍କୁ ନୂଆ ଫ୍ଲେବର ଦେବ । ମଧୁମେହ ରୋଗୀଙ୍କ ପାଇଁ ସୁଗାର ଫ୍ରି ଲଡ଼ୁ ଓ ମିଠା ମଧ୍ୟ ଆସିଛି । ଏସବୁ ମିଠାର ଦାମ୍ ୩୦୦ ଟଙ୍କାରୁ ଆରମ୍ଭ କରି ୭୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ।

ନିଆରା ମିଠା ଡବା , ବାସ୍କେଟ ଦୋକାନର ଶୋଭା ବଢ଼ାଉଛି

ଦୀପାବଳିରେ ଉପହାର ଦେବା ବେଳେ ପ୍ୟାକେଟ୍ ଅଧିକ ଆକର୍ଷଣୀୟ ହେବା ଜରୁରୀ ହୋଇଥାଏ, ଏଥିସହ ଉପହାରଦାତା କିମ୍ବା ଗ୍ରହୀତାଙ୍କ ନାମ ଥିଲେ, ଏହା ଅଧିକ ସମ୍ଭ୍ରାନ୍ତ ଲାଗେ । ମିଠା ହେଉ ବା ଚକୋଲେଟ୍‌, କିମ୍ବା କୁକିଜ୍ ବା ଡ୍ରାଏ ଫ୍ୟୁଟ୍‌ସ୍ ସବୁ କିଛିକୁ ନିଆରା ପ୍ୟାକେଜିଂ କରିବାକୁ ଚାହାନ୍ତି ଗ୍ରାହକମାନେ । ଏଣୁ ବ୍ୟବସାୟୀମାନେ ବି ନୂଆନୂଆ ମନଲୋଭା ପ୍ୟାକେଜିଂ ପ୍ରସ୍ତୁତ କରିଛନ୍ତି । ନିଆରା ମିଠା ଡବା ଓ ବାସ୍କେଟ ଏବେ ମିଠା ଦୋକାନର ଶୋଭା ବଢ଼ାଉଛି । କାଠ ଓ ଲେଦର ତିଆରି ବାକ୍ସ ବା ଡବାରେ ବିଭିନ୍ନ ରାଜକୀୟ ଶୈଳୀର ଚିତ୍ରକଳା ସାଙ୍ଗକୁ କଳସ, ହାତୀ, ଘୋଡ଼ା ଭଳି ପାରମ୍ପରିକ ଖୋଦେଇ ସହ ଏବେ ନାଁ ବି ଖୋଦିତ ହେଉଛି । ଯାହା ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରୁଛି । ପୁଣି ରହିଛି ମୋଟା ସୂତା ତିଆରି ବାସ୍କେଟ୍‌, ହାତ ତିଆରି ବକ୍ସ, ହ୍ୟାର୍ମ୍ପସ୍ ଓ ଫ୍ୟାନ୍ସି ୱାଲେଟ୍ ଇତ୍ୟାଦି । ତେବେ ଏବେ ମାର୍କେଟରେ ନାମ ଲେଖା ବା ଫଟୋ ଥିବା କଷ୍ଟମାଇଜ୍‌ଡ୍ ପ୍ୟାକେଜିଂ ସହ ଫ୍ୟାନ୍ସି ୱାଲେଟ୍‌ର ଚାହିଦା ବଢ଼ିଛି । ଚକୋଲେଟ୍ ସହ କାଜୁ, କିସ୍‌ମିସ୍ ଓ ପିସ୍ତା ବାଦାମ୍‌, ମିଠା, ସୁନ୍ଦର ସୁନ୍ଦର ମିଠା ପ୍ୟାକେଜିଂ ଏବେ ପ୍ରାୟ ୪୧୦ ଟଙ୍କାରୁ ଆରମ୍ଭ କରି ୯୯୯୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ।

diwali celebrationsdiwali specialVarious amounts of delicious sweets in the shop
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami