ଡେଙ୍ଗୁରା ପିଟି ନିଶ୍ଚିତ କଲା : ରାଜଧାନୀରେ ପରିବା ବିକ୍ରି ବନ୍ଦ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ପୁଣି ଭୁବନେଶ୍ୱରରେ ପରିବା ବିକ୍ରି ବନ୍ଦ ରହିବ । ଡ଼େଙ୍ଗୁରା ପିଟି ନିଶ୍ଚିତ କଲା ରାଜଧାନୀ କଞ୍ଚା ପରିବା ମହାସଂଘ । ୟୁନିଟ୍‌-୧ ହାଟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ୟବସାୟ ବନ୍ଦ ହେବାକୁ ଚେତାବନୀ ଦିଆଯାଇଥିବାରୁ ଛୋଟ ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି । ଏହାକୁ ନେଇ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ।

୨୦ରୁ ଊର୍ଦ୍ଧ୍ୱ ହାଟରେ ମିଳିବନି ପରିବା

ଆସନ୍ତା ଶୁକ୍ରବାର ଠାରୁ ଭୁବନେଶ୍ୱରରେ ପରିବା ବିକ୍ରି ବନ୍ଦ ରହିବା ନେଇ ରାଜଧାନୀ କଞ୍ଚା ପରିବା ମହାସଂଘ ଚେତାବନୀ ଦେଇଛି । ଏହାକୁ ନେଇ ଛୋଟ ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି । ପ୍ରତ୍ୟେକ ଦିନ ଗ୍ରାହକ ଏହି ପରିବା କିଣୁଥିବା ବେଳେ ଛୋଟ ଛୋଟ ବ୍ୟବସାୟୀ ଏହି ବେପାରରୁ ପରିବାର ଚଳାନ୍ତି । ଛୋଟ ବ୍ୟବସାୟୀ ୟୁନିଟ୍‌-୧ ହାଟରୁ ପରିବା ନେଇ ବିଭିନ୍ନ ହାଟ ଓ ରାସ୍ତାକଡ଼ରେ ବିକ୍ରି କରିଥାନ୍ତି । ୟୁନିଟ୍‌-୧ ହାଟ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ଯାଉଥିବାରୁ ରାଜଧାନୀରେ ଥିବା ୨୦ରୁ ଊର୍ଦ୍ଧ୍ୱ ହାଟରେ ପରିବା ଉପଲବ୍ଧ ହେବନାହିଁ । ଫଳରେ ଲୋକେ ଅସୁବିଧାର ଭୋଗିବେ । କାରଣ ଦଶହରା ଥିବାରୁ ପରିବାର ଆବଶ୍ୟକତା ଅଧିକ ରହିଛି । ଆଳୁ ପିଆଜ କିଛି ଦିନ ରହିବା ଆଶା ଥିଲେ ମଧ୍ୟ କଞ୍ଚା ପରିବା ଉପଲବ୍ଧ ହେବାର କୌଣସି ସମ୍ଭାବନା ନାହିଁ । ଦୁଇଦିନ ତଳୁ ବିଏମ୍‌ସି ଓ କମିସନରେଟ୍ ପୋଲିସକୁ ଅବଗତ କରାଯାଇଥିଲେ ମଧ୍ୟ କେହି ହସ୍ତକ୍ଷେପ ନେଇ ନ ଥିବାରୁ ବ୍ୟବସାୟ ବନ୍ଦ ରଖିବା ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି । ଏନେଇ ମହାସଂଘ ପକ୍ଷରୁ ଡ଼େଙ୍ଗୁରା ପିଟାଯାଇ ୨୦ ତାରିଖରୁ ବନ୍ଦ ନେଇ ସୂଚନା ଦିଆଯାଇଛି ।

unit 1 vegetable market closedunit1 market news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami