ସାନଘାଗରାରେ ଟ୍ରି ହାଉସ, ଝୁଲାପୋଲ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ରହିଛି ସାନଘାଗରା ଜଳପ୍ରପାତ । ଏହା କେନ୍ଦୁଝର ସହରଠାରୁ ମାତ୍ର ୮ କି:ମି ଦୂରରେ ରହିଛି । ୪୮୮ ହେକ୍ଟର ପରିବ୍ୟାପ୍ତ ଏହି ଅଞ୍ଚଳ । ସମୁଦ୍ର ପତନଠାରୁ ୧୬୫୦ ଫୁଟ ଉଚ୍ଚରେ ଏହାର ଅବସ୍ଥିତ । ଗ୍ରୀଷ୍ମଦିନେ ତୁଳନାତ୍ମକ ଶୀତଳ,ଶୀତଦିନେ ଥଣ୍ଡା ଅନୁଭୂତ ହୁଏ । ପ୍ରକୃତିର ବରଦାନ ସାନଘାଗରା କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସାନଘାଗରା ଜଳପ୍ରପାତ । ଏଠାକୁ ଯିଏ ଥରେ ଆସିଛି ସେ ଏହାର ମନୋରମ ଦୃଶ୍ୟ କେବେ ଭୂଲିପାରିନାହିଁ । ପ୍ରାୟତଃ ଶୀତ ଦିନ ଆସିଲେ କେନ୍ଦୁଝର ଜିଲାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଜିଲାର ପ୍ରାକୃତିକ ପରିବେଶ ଓ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । ପ୍ରତିବର୍ଷ ଏଠାକୁ ଲକ୍ଷାଧିକ ପର୍ଯ୍ୟଟକ ରାଜ୍ୟ ତଥା ଦେଶରୁ ଆସିଥାନ୍ତି । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ କେନ୍ଦ୍ରକୁ ଭୋଜିଭାତ କରିବା ସହ ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟକମାନେ ଆସିଥାନ୍ତି । ସାନମାଛକାନ୍ଦଣା ନଦୀର ଜଳ ଏହି ଠାରେ ଏକ ବିଶାଳକାୟ ପ୍ରସ୍ତର ଉପରୁ ଖସି ଏକ ପଥର ଚଟାଣରେ ପଡୁଛି ଏବଂ ଏହି ଜଳ ତଳକୁ ଦୁଇଟି ପାହାଡ ମଧ୍ୟରେ ବୋହିଯାଇ ଏକ ଭିନ୍ନ ରୋମାଞ୍ଚକର ଦୃଶ୍ୟ ସମସ୍ତଙ୍କୁ ସୃଷ୍ଟି କରୁଛି, ଯାହାକୁ ଅନେକଙ୍କୁ ମତୁଆଲା କରିଥାଏ । ଜଳପ୍ରପାତର ଘର ଘର ଶବ୍ଦ ଓ ତଳକୁ ବିଛୁଡିତ ହୋଇ ପଡୁଥିବା ଜଳର ମନୋରମ ଦୃଶ୍ୟ ଅତ୍ୟନ୍ତ ରୋମାଞ୍ଚକର । ଏବେ ସଜେଇ ହେଉଛି ସାନଘାଗରା । ବନ ବିଭାଗ ଏଠାରେ ନିର୍ମାଣ କରୁଛି ଝୁଲାପୋଲ ସାଙ୍ଗକୁ ଟ୍ରି ହାଉସ୍ ବା ଗଛ ଘର । ସାନଘାଗରା ପ୍ରକୃତି ନିବାସକୁ ଆସୁଥିବା ପର୍ଯ୍ୟଟକମାନେ ଏହି ଝୁଲାପୋଲ ଓ ଟ୍ରି ହାଉସ୍‌ର ଭରପୂର ମଜା ଉଠାଇ ପାରିବେ ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଟ୍ରି ହାଉସ, ଝୁଲାପୋଲ

କେନ୍ଦୁଝର ସହର ଉପକଣ୍ଠ ସାନଘାଗରାରେ ରହିଛି ପ୍ରକୃତି ନିବାସ । ବନ ବିଭାଗ ପକ୍ଷରୁ ନିର୍ମିତ ଏହି ପ୍ରକୃତି ନିବାସରେ ରହିଛି ୫ଟି କଟେଜ୍ । ଏଥିସହ ଗୋଟିଏ ଡରମିଟୋରି ଓ ଡ୍ରାଇଭରଙ୍କ ପାଇଁ ଏକ ବିଶ୍ରାମ ଗୃହ । ଏହି ପ୍ରକୃତି ନିବାସରେ ରହିବା ପାଇଁ ବନ ବିଭାଗ ପକ୍ଷରୁ ଅନ୍‌ଲାଇନ୍ ବୁକିଂ ବ୍ୟବସ୍ଥା କରାଯାଇଛି । ଏଠାରେ ପର୍ଯ୍ୟଟକଙ୍କ ପାଇଁ ଏବେ ନୂଆ ଝୁଲାପୋଲ ଓ ଟ୍ରି ହାଉସ୍ ନିର୍ମାଣ କରାଯାଉଛି । ଏହି ଝୁଲାପୋଲ ଧାଡ଼ି ହୋଇ ରହିଥିବା ଗଛଗୁଡ଼ିକୁ ସଂଯୋଗ କରି ନିର୍ମାଣ କରାଯାଉଛି । ଭୂମିଠାରୁ ଏହାର ଉଚ୍ଚତା ୨୦ ଫୁଟ ରହିଛି । ଏହି ଝୁଲା ପୋଲର ଲମ୍ବ ପ୍ରାୟ ୨୭୦ ଫୁଟ । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ପ୍ରକୃତି ନିବାସର କଟେଜ୍‌ରେ ରହିବା ସହ ଝୁଲାପୋଲରେ ଚାଲିଚାଲି ବୁଲିପାରିବେ । ଝୁଲାପୋଲରେ ଚାଲିବା ସମୟରେ ଥକା ଲାଗିଲେ ମଝିରେ ମଝିରେ ଟ୍ରି ହାଉସ୍ ରହିଛି । ଏଠାରେ ପର୍ଯ୍ୟଟକମାନେ ବିଶ୍ରାମ ନେଇ ପାରିବେ । ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ଝୁଲାପୋଲ ଓ ଟ୍ରି ହାଉସ୍ ନିର୍ମାଣ ହେଉଥିବା ବେଳେ ଖୁବ୍‌ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲାଯିବ ବୋଲି ବନ ବିଭାଗ ସୂଚନା ଦେଇଛି । ଏ ସମ୍ପର୍କରେ ଡିଏଫ୍‌ଓ ଏଚ୍‌ଡି ଧନରାଜ କହିଛନ୍ତି, ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରକୃତିକୁ ଭଲ ପାଉଥିବା ପର୍ଯ୍ୟଟକମାନେ ନିୟମିତ ଆସିଥାନ୍ତି । ସେମାନଙ୍କ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।

sanaghagara rainfallTree House and hanging bridge at Sanghagaraturist place sanaghagara
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami