ଅକ୍ଷୟ ମହାନ୍ତିଙ୍କ ଜୀବନୀ ନୁହେଁ, ଗୀତକୁ ନେଇ ଆସୁଛି ଫିଲ୍ମ

ଭୁବନେଶ୍ୱର : ଅକ୍ଷୟ ମହାନ୍ତି …କେବଳ ଜଣେ ବ୍ୟକ୍ତିତ୍ୱ ନୁହନ୍ତି…. ଜଣେ ଅନୁଷ୍ଠାନ । ଓଡ଼ିଆ ଗୀତ ଓ ସଙ୍ଗୀତ ଦୁନିଆର ଏକ ଚିର ସବୁଜ.. ଚିର ଜୀବନ୍ତ ଇତିହାସ । ‘ଯା’ରେ ଭାସି ଭାସି ଯା’’ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି । ସେହି ଇତିହାସ ଆଜି ମଧ୍ୟ ଜୀବିତ ଆମମାନଙ୍କ ଭିତରେ ତାଙ୍କ ସଙ୍ଗୀତ ମାଧ୍ୟମରେ ଆଉ ତା’ର ପ୍ରମାଣ ନେଇ ଆସୁଛି କୁହୁ ସିନେ ଫ୍ଲିକ୍ସ ଭଦ୍ର ମୋସନ ଷ୍ଟୂଡିଓ ମିଳିତ ଉଦ୍ୟମ । ଏକ ନିଆରା ଫିଲ୍ମ ଯାହାର ଟାଇଟଲ ନିକଟରେ ଘୋଷଣା ହୋଇଛି । ତାହା ହେଲା ଖୋକାଭାଇ ତମପାଇଁ ।

ସାଧାରଣ ଲୋକଙ୍କ କଥା କହୁଥିଲା ଅକ୍ଷୟଙ୍କ ଗୀତ

ଏହି ଫିଲ୍ମର ନିର୍ଦ୍ଦେଶନା ଦାୟୀତ୍ୱରେ ଗିରିଶ ମହାନ୍ତି ଓ ତାଙ୍କ ଟିମ୍ । ସିନେମାର କାହାଣୀ ଲେଖିଛନ୍ତି ଭରଦ୍ୱାଜ ପଣ୍ଡା ଓ ଅକ୍ଷୟ ମହାନ୍ତିଙ୍କ ପୁଅ ମିତ୍ରଭାନୁ ମହାନ୍ତି । ତେବେ କାହିଁକି ଏହି ଫିଲ୍ମ ନିଆରା ତା’ ଉପରେ ଆଲୋକପାତ କରଛି ଫିଲ୍ମର ଟିମ୍ । ଆକାଶବାଣୀର ସୁଗମ ସଙ୍ଗୀତଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଯାଏଁ ସବୁଠି ଖୋକା ଭାଇ ରାଜ୍ କରିଥିଲେ । ତାଙ୍କ ଶବ୍ଦରେ ଓ ସୁରରେ ଥିଲା ଖାଣ୍ଟି ଓଡ଼ିଆତ୍ୱ । ସମାଜର ସାଧାରଣ ଲୋକର କଥା କହୁଥିଲା ତାଙ୍କ ଗୀତ । ତାଙ୍କର ସମସ୍ତ ଗୀତରେ ରହିଥିଲା ଏକ କାହାଣୀ କେତେବେଳେ ପ୍ରେମ, କେତେବେଳେ ବିରହ ତ କେତେବେଳେ ଖୁସି । ତାଙ୍କ ସଙ୍ଗୀତରେ ଏମିତି ଯାଦୁ ଥିଲା ଓ ନିଆରାପଣ ଥିଲା ଯେ, ସେଥିପାଇଁ ଓଡ଼ିଶାର ବଦ୍‌ମାସ୍ ଟୋକାଙ୍କଠାରୁ ଘର କୋଣର ନୂଆବୋହୂ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣଉ ଥିଲେ ତାଙ୍କ ଗୀତ । ଖୋକା ଭାଇ ଥିଲା ବେଳେ ଯେତିକି, ସେ ଗଲା ପରେ ତା’ଠୁ ବେଶି । ଆଉ ଆଜି ଆମ କର୍ମମୟ ଜୀବନରେ ତାଙ୍କର ସେହି ଗୀତ ଗୁଡିକ ଖାପ ଖାଉଛି । ସେହି ସମ୍ପର୍କକୁ ନେଇ ତିଆରି ହେବାକୁ ଯାଉଛି ଆମ ଫିଲ୍ମ ‘ଖୋକା ଭାଇ ତମପାଇଁ’ ବୋଲି ମତ ରଖିଛି ପ୍ରଯୋଜନା ସଂସ୍ଥା ।

ଏବେର ଯୁବପିଢିକୁ ଦେବ ଅପ୍ରତ୍ୟାଶିତ ଛୁଆଁ

କାହାଣୀର ନାୟକ ଏକବିଂଶ ଶତାବ୍ଦୀରେ ବଞ୍ଚୁଥିବା ବେଳେ ଅକ୍ଷୟ ସଙ୍ଗୀତ ଶୁଣି ନିଜକୁ ସେଥିରେ ମଗ୍ନ କରିଦେଇଛି । ନାୟକର ଜୀବନ ମଧ୍ୟ ଅକ୍ଷୟ ସଙ୍ଗୀତ ପରି ଗଡି ଚାଲିଛି ଓ ତାକୁ ପ୍ରେମ ହୋଇଯାଇଛି ହେଲେ ନାୟିକାକୁ କହିବ କେମିତି ? ତେଣୁ ସେ ନିଜକୁ ହଜାଇ ଦେଇଛି ଅକ୍ଷୟ ସଙ୍ଗୀତରେ ଓ ତାର ଉତ୍ତର ମଧ୍ୟ ପାଇଛି ସେହି ସଙ୍ଗୀତରୁ । କିନ୍ତୁ ତାପରେ ସେଇ ଅକ୍ଷୟ ସଙ୍ଗୀତ ପାଇଁ ହରେଇ ବସିଛି ନିଜ ପ୍ରେମିକାକୁ ଓ ଦୋଷ ଦେଇଛି ଖୋକା ଭାଇଙ୍କ ଗୀତକୁ । ହେଲେ ପ୍ରେମିକାକୁ ଫେରିପାଇବା ପାଇଁ ମଧ୍ୟ ସେ ପୁଣି ଭରସା କରିଛି ସେହି ଅକ୍ଷୟ ସଙ୍ଗୀତକୁ ଓ ସଫଳ ମଧ୍ୟ ହୋଇଛି । ଏହି ପରି ଜୀବନର ପ୍ରତ୍ୟକ ମୁହୂର୍ତ୍ତ ରେ ନାୟକର ଆଧୁନିକ ଜୀବନରେ ପ୍ରାସଙ୍ଗିକତା ହୋଇଛି ଅକ୍ଷୟ ସଙ୍ଗୀତ ଓ ଫିଲ୍ମଟିକୁ ଅତ୍ୟନ୍ତ ରୁଚି ପୂର୍ଣ୍ଣ କରିଛି ବୋଲି କହିଛନ୍ତି କାହାଣୀର ଲେଖକ ଭରଦ୍ୱାଜ ପଣ୍ଡା । ସେ ଆହୁରି କହିଛନ୍ତି ଏହି ଫିଲ୍ମଟି ଅକ୍ଷୟ ମହାନ୍ତିଙ୍କ ଜୀବନୀ ନୁହେଁ ବରଂ ତାଙ୍କ ସଙ୍ଗୀତରୁ ତିଆରି ଏକ ଆଧୁନିକ କାହାଣୀ , ଯାହା ବର୍ତ୍ତମାନର ଯୁବପିଢିକୁ ଅକ୍ଷୟ ସଙ୍ଗୀତର ଏକ ଅପ୍ରତ୍ୟାଶିତ ଛୁଆଁ ଦେବା ସହ ପୁରୁଣା ପିଢୀର ମନରେ ଥିବା ଅକ୍ଷୟ ସଙ୍ଗୀତକୁ ଉଜାଗର କରିବ ନିଶ୍ଚୟ । ଏହି ଫିଲ୍ମଟିକୁ ଏକା ସାଙ୍ଗରେ ତିନିପୀଢି ଦେଖି ଉତ୍ସାହିତ ହେବେ ବୋଲି ସେ ଆଶା କରିଛନ୍ତି ।

khoka bhai tama pain new filmodia film newsodia movieThe film is based on Akshay Mohanty's song and not his biography
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami