ରାଜ୍ୟରେ ପ୍ରତିଷ୍ଠା ହେବ ଅକ୍ଷୟ ଊର୍ଜା ଗବେଷଣା କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ପ୍ରତିଷ୍ଠା ହେବ ଅକ୍ଷୟ ଊର୍ଜା ଗବେଷଣା କେନ୍ଦ୍ର । ଆଇଆଇଟି ଭୁବନେଶ୍ୱର ଏନେଇ ପ୍ରସ୍ତାବ ଦେଇଥିବା ବେଳେ ଆଜି ଶକ୍ତି ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ଯେପରି ଅଧିକରୁ ଅଧିକ ଅକ୍ଷୟ ଶକ୍ତିର ଉତ୍ପାଦନ ସହ ବ୍ୟବହାର ହୋଇପାରିବ, ସେନେଇ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ମଧ୍ୟ ପ୍ରଣୟନ କରିଛନ୍ତି । ଏହି ନୀତି ଅଧୀନରେ ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୧୦୦୦ ମେଗାୱାଟ୍ ସବୁଜଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି କ୍ରମରେ ରାଜ୍ୟରେ ଅକ୍ଷୟ ଉର୍ଜା ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ସରକାର ବିଚାର କରୁଛନ୍ତି ।

ପୂର୍ବାପେକ୍ଷା ସହଜସାଧ୍ୟ ହେବ ସବୁଜ ଶକ୍ତି ଉତ୍ପାଦନ

ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଇଆଇଟି ଭୁବନେଶ୍ୱରର ପ୍ରସ୍ତାବ ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଏ ଧରଣର ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେଲେ, ଅକ୍ଷୟ ଉର୍ଜା ଗବେଷଣା ଅଧିକ ହେବା ସହ ଏ କ୍ଷେତ୍ରର ଆହ୍ୱାନକୁ ସଫଳତାର ସହ ମୁକାବିଲା କରାଯାଇପାରିବ । ସେହିପରି ସବୁଜଶକ୍ତି ଉତ୍ପାଦନ, ପରିବହନ, ସଂରକ୍ଷଣ ମଧ୍ୟ ପୂର୍ବାପେକ୍ଷା ବେଶ୍ ସହଜସାଧ୍ୟ ହୋଇପାରିବ ବୋଲି ଆଶା କରାଯାଉଛି । ସେହିପରି ସବୁଜଶକ୍ତି ଗବେଷଣା କ୍ଷେତ୍ରରେ କିପରି ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇ ସହଭାଗିତା ଭିତ୍ତିରେ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରିବ ସେନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।

କମିବ ପ୍ରଦୂଷଣ ମାତ୍ରା

ରାଜ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍ ଶକ୍ତିଚାଳିତ ବସ୍ ସେବା ଆରମ୍ଭ କରିବାକୁ ମଧ୍ୟ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଉପରେ ଶକ୍ତି ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏପରି ବସ୍ ଚଳାଚଳ ରାଜ୍ୟରେ ହେଲେ ପ୍ରଦୂଷଣର ମାତ୍ରା କମ୍ ହେବା ସହ ଏହା ଅଧିକ ପରିବେଶ ଉପଯୋଗୀ ହୋଇପାରିବ । ଏନ୍‌ଟିପିସିର ଆରଇଏଲ୍ (ରିନ୍ୟୁଏବୁଲ୍ ଏନର୍ଜି ଲିମିଟେଡ୍‌) ପକ୍ଷରୁ ରାଜ୍ୟରେ ଏଥିପାଇଁ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଣ୍ଟ ଲଗାଇବାକୁ ଶକ୍ତି ବିଭାଗ ନିକଟରେ ପ୍ରସ୍ତାବ ଦିଆଯାଇଛି । ଏହି ପ୍ଲାଣ୍ଟରୁ ବସ୍‌ଗୁଡ଼ିକ ପାଇଁ ଆବଶ୍ୟକ ଗ୍ରୀନ୍ ହାଇଡ୍ରୋଜେନ୍ ଉପଲବ୍ଧ କରାଯାଇପାରିବ ।

energy research center established in the staterenewable energy research center
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami