କୁଆଡେ ଗଲା ବର୍ଷକୁ ଦୁଇ କୋଟି ଚାକିରି: ପାଣ୍ଡିଆନ

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ଓଡ଼ିଶାକୁ ଜାତୀୟସ୍ତର ବିଜେପି ନେତାଙ୍କ ସୁଅ ଛୁଟିଛି । ନିର୍ବାଚନ ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ପୂରଣ ହେଉନାହିଁ । ୨୦୧୪ରେ ବିଜେପି ଦେଶରେ ସରକାରକୁ ଆସିବା ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ଏଯାଏଁ ପୂରଣ ହୋଇନି । କିନ୍ତୁ ପୁଣିଥରେ ମିଛ ସଂକଳ୍ପ ପତ୍ର ଆଣି ସବୁ କରିଦେବୁ ବୋଲି କହିବାରେ ଲାଗିଛନ୍ତି । ଯାହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ ।

୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ପୂରଣ ହେଲାକି ବୋଲି ପ୍ରଶ୍ନ କଲେ ପାଣ୍ଡିଆନ

ନୟାଗଡ଼ରେ ଆୟୋଜିତ ନିର୍ବାଚନୀ ସଭାରେ ବିଜେପିକୁ ଏପରି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି ୨୦୧୪ ନିର୍ବାଚନ ସମୟରେ ଓଡ଼ିଶାକୁ ଜାତୀୟସ୍ତର ବିଜେପି ନେତାଙ୍କ ସୁଅ ଛୁଟିଥିଲା । ସେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଥିଲା । ବିଜେପିକୁ ଭୋଟ ଦେବାକୁ ନିବେଦନ ସହ କେନ୍ଦ୍ରରେ ବିଜେପି ସରକାର ଗଠନ କଲେ ଓଡ଼ିଶାକୁ ଘିଅମହୁରେ ଭସାଇ ଦେବେ ବୋଲି ବିଜେପିର ଜାତୀୟ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ । କେବଳ ସେତିକି ନୁହେଁ ବିଜେପି ସରକାର ଦେଶରେ ଆସିଲେ ବର୍ଷକୁ ଦୁଇ କୋଟି ଚାକିରି ଦେବୁ କହିଥିଲେ । ହେଲେ ତାହା ହେଲା ନାହିଁ । ୨୦୧୪ରେ ଦରଦାମ କମାଇବେ ବୋଲି କହିଥିଲେ । ପେଟ୍ରୋଲ, ଡିଜେଲ,ଗ୍ୟାସ ଦର କମିଲା କି ? ଚାଷୀଙ୍କ ଏମଏସ୍‌ପି ଦୁଇଗୁଣା କରିବା ନେଇ ଗ୍ୟାରେଣ୍ଟି ଦେଇଥିଲେ, ତାହା ବି ହୋଇପାରିଲା ନାହିଁ ।

ଓଡ଼ିଶାବାସୀଙ୍କୁ ଭୁଆ ବୁଲାଉଛି ବିଜେପି

ଏବେ ରାଜ୍ୟରେ ବିଜେପି ସରକାର ଆସିଲେ ଧାନର ୩୦୦୦ ଟଙ୍କା କରିବେ, ଭତ୍ତା ୩୦୦୦ ଟଙ୍କା କରିବେ ବୋଲି ସଂକଳ୍ପ ପତ୍ର ଜାରି କରୁଛନ୍ତି । ବିଜେପି ନେତାମାନେ ଦଶ ବର୍ଷ କଣ ଶୋଇଥିଲ କି? କେନ୍ଦ୍ରରେ ସେମାନଙ୍କ ସରକାର ରହିଛି, କଣ ପାଇଁ ଆଗରୁ କଲେନି । ନିର୍ବାଚନ ଆସିଲେ ଚାଷୀଙ୍କ କଥା ମନେ ପଡିଲା । ଆଉ ଯେଉଁ ବିଜେପି କହୁଛି ଓଡ଼ିଶାରେ ସରକାରକୁ ଆସିଲେ ଭତ୍ତା ୩୦୦୦ ଟଙ୍କା ଦେବେ, ସେହି ବିଜେପିର ଡବଲ ଇଞ୍ଜିନ ସରକାର ଅନ୍ୟ ରାଜ୍ୟରେ ୩୦୦ ଟଙ୍କା ଭତ୍ତା ଦେଉଛି । ଓଡିଶାରେ ନବୀନ ପଟ୍ଟନାୟକ ୧୦୦୦ ଟଙ୍କା ଭତ୍ତା ଦେଉଛନ୍ତି । ବିଜେପି ରାଜ୍ୟର ଲୋକଙ୍କୁ ବୋକା ଭାବୁଛି, ସେଥି ପାଇଁ ବୋକା ବନାଇବା ପାଇଁ ଚେଷ୍ଠା କରୁଛି । ହେଲେ ଓଡ଼ିଶା ବାସୀ ସତ କଣ ଜାଣନ୍ତି ଏବଂ ସେମାନଙ୍କୁ ଲୋକ ଉଚିତ ଜବାବ ଦେବେ ବୋଲି ପାଣ୍ଡିଆନ କହିଛନ୍ତି ।

5T Secretary VK Pandiankartik pandian targets bjps
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami