ଝାରସୁଗୁଡ଼ାରୁ ବିମାନ ସେବା ଅପସାରଣ କରିନେଲା ସ୍ସାଇସ୍ ଜେଟ୍‌

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଜିଠୁ ଝାରସୁଗୁଡ଼ା-ଦିଲ୍ଲୀ ବିମାନସେବା ବନ୍ଦ । ଏହି ବିମାନବନ୍ଦରରୁ ତା’ର ସମ୍ପୂର୍ଣ୍ଣ ବିମାନ ସେବା ଅପସାରଣ କରିନେଇଛି ସ୍ସାଇସ୍ ଜେଟ୍ । କେବଳ ଦିଲ୍ଲୀ-ଝାରସୁଗୁଡ଼ା-ଦିଲ୍ଲୀ ଚଳାଚଳ କରୁଥିବା ବିମାନ ମାର୍ଚ୍ଚ ୩୧ରୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବ ବୋଲି ସଂସ୍ଥା ଘୋଷଣା କରିଛି । ଫଳରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଯିବା ଆସିବା କରୁଥିବା ଯାତ୍ରୀମାନେ ନିରାଶ ହୋଇଛନ୍ତି ।

ପୂର୍ବରୁ କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ମୁମ୍ୱାଇ ବିମାନସେବା ହୋଇଛି ବନ୍ଦ

ଗତ ୨୦୨୧ ମସିହାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଝାରସୁଗୁଡ଼ା ବିମାନବନ୍ଦରରେ ଜାତୀୟ ସ୍ତରର ଉଡାନ୍ ପର୍ବ ପାଳନ କରିଥିଲେ । କିନ୍ତୁ ଝାରସୁଗୁଡ଼ା ବିମାନବନ୍ଦରରରୁ ଉଡ଼ାନ ଯୋଜନା ଶେଷ ହେବା ପରେ ଧୀରେଧୀରେ ସ୍ପାଇସ୍ ଜେଟ୍ ଓ ଏଲାଏନ୍ସ ଏୟାର ତା’ର ବିମାନ ସେବା ବିଭିନ୍ନ ସେକ୍ଟରରୁ ବନ୍ଦ କରିବାରେ ଲାଗିଛି । ପ୍ରଥମେ ଏଲାଏନ୍ସ-ଏୟାର ରାୟପୁର, କୋଲକାତା ବିମାନସେବା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଥିଲା । ପରେ ଭୁବନେଶ୍ୱର ବିମାନ ଚଳାଚଳ ମଧ୍ୟ ବନ୍ଦ କରିଥିଲା । ଏବେ ପୁଣିଥରେ ଏଲାୟନ୍ସ ଏୟାର ଆସନ୍ତା ୧ତାରିଖରୁ କେବଳ ଝାରସୁଗୁଡ଼ା-ଭୁବନେଶ୍ୱର ସପ୍ତାହକୁ ତିନି ଦିନ ବିମାନସେବା ଯୋଗାଇବାକୁ ରାଜି ହୋଇଛି । ଅନ୍ୟପକ୍ଷରେ ସ୍ପାଇସ ଜେଟ୍ ପର୍ଯ୍ୟାୟକ୍ରମେ କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ମୁମ୍ୱାଇ ବନ୍ଦ କରିସାରିଥିବା ବେଳେ ଏବେ ଦିଲ୍ଲୀକୁ ବିମାନସେବା ବନ୍ଦ କରିଛି ।

କେବଳ କୋଲକାତା ଓ ବେଙ୍ଗାଲୁରୁ ବିମାନ କରୁଛି ଚଳାଚଳ

ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ୱଲପୁର ଓଡ଼ିଶାର ବୃହତ୍ତର ଶିଳ୍ପ କରିଡର ହୋଇଥିବାରୁ ପ୍ରତିଦିନ ଅନେକ କର୍ପୋରେଟ୍ ଯାତ୍ରୀ ଝାରସୁଗୁଡ଼ା-ଦିଲ୍ଲୀ ମଧ୍ୟରେ ଯାତାୟାତ କରନ୍ତି । ସମ୍ୱଲପୁରରେ ଆଇଆଇଏମ୍ ଓ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ, ରାଉରକେଲାରେ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନକୁ ପ୍ରାୟତଃ ଫାକଲ୍ଟି ଓ ଅନ୍ୟାନ୍ୟ ଅତିଥି ଦିଲ୍ଲୀରୁ ଆସିଥା’ନ୍ତି । ରାଉରକେଲାରେ ଥିବା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌କୁ ଝାରସୁଗୁଡ଼ା ବିମାନବନ୍ଦରରୁ ସଂଯୋଗ ରହିଛି, ଯାହା ମାଧ୍ୟମରେ ଦିଲ୍ଲୀରୁ ଖେଳାଳି ଓ ଅଫିସିଆଲ କର୍ମଚାରୀ ଆସିଥାନ୍ତି । ଇଣ୍ଡିଗୋ ବିମାନସେବା ଝାରସୁଗୁଡ଼ାରୁ କେବଳ କୋଲକାତା ଓ ବେଙ୍ଗାଲୁରୁ ବିମାନ ଚଳାଚଳ କରୁଛି । ଇଣ୍ଡିଗୋ ଆସନ୍ତା ସମର ସିଡ୍ୟୁଲରେ ଦିଲ୍ଲୀ ବିମାନସେବା ଆରମ୍ଭ କରିବ ବୋଲି ଶୁଣାଯାଉଥିଲା । କିନ୍ତୁ ତାହା ମଧ୍ୟ ହୋଇ ପାରିନାହିଁ । ଫଳରେ ଝାରସୁଗୁଡ଼ା-ଦିଲ୍ଲୀ ରୁଟ୍‌ରେ ବିମାନସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନ ସେବା ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି ।

jharsuguda airportjharsuguda-delhi flight service closed
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami