ଜୟପୁରରେ ସ୍ପୋର୍ଟସ କମ୍ପେ୍ଲକ୍ସ , ଇନ୍‌ଡୋର ଷ୍ଟାଡିୟମ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପେ୍ଲକ୍ସର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି । ୧୧ ଏକର ପରିମିତ ଏହି ଜୟପୁରର ସ୍ପୋର୍ଟସ କମ୍ପେ୍ଲକ୍ସରେ ଏକ ପ୍ରାକୃତିକ ଫୁଟବଲ ପଡ଼ିଆ ଓ ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ରହିଛି । ୫୦୦ ଦର୍ଶକ ବସିବାର କ୍ଷମତା ରହିଛି । ଏଠାରେ ଅନ୍ତର୍ଜାତୀୟ ମାନର ଉପକରଣ ସହିତ ଏକ ଜିମ୍ନାଷ୍ଟିକ୍ ସେଣ୍ଟର, ଅଲିମ୍ପିକ୍ ଆକାରର ସୁଇମିଂ ପୁଲ୍‌, ଦୁଇଟି ସିନ୍ଥେଟିକ୍ ଟେନିସ୍ କୋର୍ଟ ଏବଂ ଗୋଟିଏ ବାସ୍କେଟବଲ୍ କୋର୍ଟ ରହିଛି ।

ଯୁବ ପ୍ରତିଭାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍ସାହିତ କରିବ ସ୍ପୋର୍ଟସ କମ୍ପେ୍ଲକ୍ସ

କ୍ରୀଡ଼ା ପରିବେଶ ସୃଷ୍ଟି ଦିଗରେ ଓଡ଼ିଶା ନିଜର ପ୍ରୟାସକୁ ଅଧିକ ସୁଦୃଢ଼ କରିବା ସହିତ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି । ଯେଉଁଥିରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଯୋଗ, ଚେସ୍‌, ଭାରୋତ୍ତୋଳନ ଓ ଜିମ୍ ଆଦି କ୍ରୀଡ଼ା ପାଇଁ ସୁବିଧା ରହିଛି । ଗାଁଠାରୁ ସହର ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍ଥାନରେ ବୃତ୍ତିଗତ କ୍ରୀଡାର ବିକାଶ ପାଇଁ ୫ଟି ଉପକ୍ରମ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି । ଏହି ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୟପୁରର ସ୍ପୋର୍ଟସ କମ୍ପେ୍ଲକ୍ସ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍ସାହିତ କରିବ । ଦକ୍ଷିଣ ଓଡିଶାରେ କ୍ରୀଡାର ବିକାଶ ପାଇଁ ଏହି କମ୍ପେ୍ଲକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏକ ଦକ୍ଷ ଯୁବ ସମାଜ ଗଠନ ପାଇଁ ଆମେ କ୍ରୀଡା ଉପରେ ଅଧିକ ଗୁରୁତ୍ୱ ଦେଉଛୁ । ଏହା ଦ୍ୱାରା ଓଡିଶା ଆଜି ସାରା ବିଶ୍ୱରେ କ୍ରୀଡା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । କ୍ରୀଡା କ୍ଷେତ୍ରରେ ଆଜି ସବୁ ରାଜ୍ୟ ଓଡିଶା ମଡେଲକୁ ଅନୁସରଣ କରୁଛନ୍ତି ।

କ୍ରୀଡା କ୍ଷେତ୍ରରେ ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ

ଇନ୍‌ଡୋର ଷ୍ଟାଡିୟମ ଉଦ୍‌ଘାଟନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ସବୁ ଇନ୍‌ଡୋର ଷ୍ଟାଡିୟମ ରାଜ୍ୟରେ କ୍ରୀଡା ସଂସ୍କୃତିକୁ ଆହୁରି ଆଗକୁ ନେବ । ବିଶେଷ କରି ବୃତ୍ତିଗତ କ୍ରୀଡା କ୍ଷେତ୍ରରେ ଏହା ଆମ ପିଲାମାନଙ୍କ ପାଇଁ ବହୁ ସୁଯୋଗ ସୃଷ୍ଟି କରିବ । ଗାଁ ଓ ଛୋଟ ସହରର ପିଲାମାନେ ବହୁ ସଂଖ୍ୟାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ଓଡ଼ିଶାରେ କ୍ରୀଡ଼ା ସଂସ୍କୃତିର ବିକାଶ ପାଇଁ ଆମର ପ୍ରୟାସଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ । ଏହି ଅବସରରେ ୫ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ସବୁ ସ୍ପୋର୍ଟସ୍ କମ୍ପେ୍ଲକ୍ସ ଗୁଡିକ ଓଡିଶାବାସୀଙ୍କ ଟଙ୍କାରେ ତିଆରି ହୋଇଛି । ଏହା ରାଜ୍ୟବାସୀଙ୍କ ସମ୍ପତ୍ତି । ଆପଣମାନଙ୍କ ସମ୍ପତ୍ତି । ଏଗୁଡିକୁ ସଠିକ୍ ଭାବେ ଉପଯୋଗ କରିବେ ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବେ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । କ୍ରୀଡା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Cm inaugurated indoor stadiumsCm inaugurated sports complexjaipur sports complex
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami