ଆଉ ଏମିତି ହେଲା ଜ୍ୟାକ୍ ମା’ଙ୍କ ପତନ..

ଅଦୃଶ୍ୟ ବିଲିୟନେୟାର: ଜ୍ୟାକ୍ ମା

ଜ୍ୟାକ୍ ମା’ କାଲି ପର୍ଯ୍ୟନ୍ତ ସେ ଥିଲେ ବିଜନେସ ଦୁନିଆର ଚମକୁଥିବା ତାରା । ଦୁନିଆ ସାରା ଜ୍ୟାକ୍ ମା’ଙ୍କୁ ନେଇଥିଲା ଚର୍ଚ୍ଚା । କେମିତି ଜଣେ ସାଧାରଣ ବ୍ୟକ୍ତି ରାସ୍ତାରୁ ଉଠି ସଫଳତାର ଶୀର୍ଷରେ ପହଂଚିପାରେ, ତା’ର ଉଦାହରଣ ଥିଲେ ଜ୍ୟାକ୍ । ବିଶ୍ୱର ଅନେକ ଯୁବକ ଜ୍ୟାକଙ୍କ କମ୍ପାନୀରେ ଚାକିରି କରିବାର ସ୍ୱପ୍ନ ଦେଖୁଥିଲେ । କିନ୍ତୁ ଏବେ ଜ୍ୟାକ୍ ଓ ତାଙ୍କ କମ୍ପାନୀ ଅତିତ ପାଲଟି ଯାଇଛନ୍ତି । ତା’ପୁଣି ମାତ୍ର ମାସ କେଇଟାରେ । କେବଳ କଥା ଏତିକିରେ ସରୁନାହିଁ । ଜ୍ୟାକ୍ ସମ୍ପୂର୍ଣ୍ଣ ଭାବେ ଗାଏବ ହୋଇଯାଇଛନ୍ତି । କିଛି ବର୍ଷ ତଳେ ଯେଉଁ ଚୀନ ଜ୍ୟାକଙ୍କ ନାମକୁ ନେଇ ଗର୍ବ କରୁଥିଲା, ବାହାର ବିଶ୍ୱରେ ଜ୍ୟାକଙ୍କ ନାମକୁ ଏନକ୍ୟାସ କରୁଥିଲା ଏବେ ସେହି ଚୀନ୍ ଜ୍ୟାକଙ୍କ ଅସ୍ଥିତ୍ୱ ଓ ତାଙ୍କ ଅତିତକୁ ଇତିହାସରୁ ପୋଛି ଦେବାକୁ ଉଦ୍ୟମ କରୁଛି । ଜ୍ୟାକ୍ ଓ ତାଙ୍କ କମ୍ପାନୀ ଜ୍ୟାକ୍ ମା’ ଇଙ୍କର ଅନ୍ତ ଏତେ ହୃଦୟବିଦାରକ ହେବ ବୋଲି ସମ୍ଭବତଃ କେହି ମଧ୍ୟ କଳ୍ପନା କରିନଥିବେ । ମାତ୍ର ଗୋଟିଏ ବର୍ଷ ଭିତରେ ଜ୍ୟାକ୍ ଓ ତାଙ୍କ କମ୍ପାନୀ ଆକାଶରୁ ଖସି ମାଟି କାମୁଡିଛି । ଆଉ ଏସବୁ ହୋଇଛି ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଅହଂ ପାଇଁ । ଆସନ୍ତୁ ଜାଣିବା କେମିତି ବିଶ୍ୱର ଚର୍ଚ୍ଚିତ ଧନୀ ବ୍ୟକ୍ତି ସି ଜିନ୍ ପିଙ୍ଗଙ୍କ ଆକ୍ରୋଶର ଶିକାର ହେଲେ । କେମିତି ଡୁବିଗଲା ତାଙ୍କର ଲକ୍ଷ ଲକ୍ଷ କୋଟିର ସାମ୍ରାଜ୍ୟ

ଜ୍ୟାକ୍ ମା’ କିଏ ?

ଜ୍ୟାକ୍ ହେଉଛନ୍ତି ସଫଳତାର କାହାଣୀ । ଆଉ ମଧ୍ୟ ଜ୍ୟାକ୍ ହେଉଛନ୍ତି ନିରଙ୍କୁଶ କ୍ଷମତାର ଶିକାର ହୋଇଥିବା ଜଣେ ବ୍ୟକ୍ତି । ଯିଏ ଗୋଟିଏ ସ୍ୱପ୍ନରୁ ଯାତ୍ରା ଆରମ୍ଭ କରି ସଫଳତାର ଏମିତି ଉଦାହରଣ ପେସ୍ କରିଥିଲେ ଯାହା ଆଗକୁ ଇତିହାସର ଲିପିବଦ୍ଧ ହୋଇ ରହିବ । ଜ୍ୟାକ୍ ଚୀନର ସବୁଠାରୁ ବଡ଼ ଟେକ୍ କମ୍ପାନୀ ଅଲ୍ଲିବାବା ଓ ଦୁନିଆର ସବୁଠାରୁ ବଡ଼ ଫିନଟେକ୍ କମ୍ପାନୀ ଏଣ୍ଟ୍ ଗ୍ରୁପର ପ୍ରତିଷ୍ଠାତା । ତାଙ୍କ ବ୍ୟବସାୟ ପୁରା ବିଶ୍ୱରେ ଦୃତଗତିରେ ପ୍ରସାରିତ ହେଉଥିଲା । ସେ ପାଲଟି ଯାଇଥିଲେ ଦୁନିଆର ସବୁଠୁ ଚର୍ଚ୍ଚିତ ଟାଇକୁନ୍ । ଆମାଜନ, ଆପଲ ଓ ଗୁଗଲକୁ ଛାଡି କେବଳ ଜ୍ୟାକଙ୍କ କମ୍ପାନୀ ଅଲ୍ଲିବାବାର ମୂଲ୍ୟ କୌଣସି ଆମେରିକୀୟ କମ୍ପାନୀଠାରୁ ଅଧିକ ଥିଲା । କେବଳ ଏତିକି ନୁହେଁ ସେ ମଧ୍ୟ ଥିଲେ ଚୀନର ସବୁଠାରୁ ପ୍ରଶିଦ୍ଧ ବ୍ୟକ୍ତି । ଏକ ସର୍ଭେ ଅନୁସାରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କୁ ଚୀନ ବାହାରେ ଯେତିକି ଲୋକ ଜାଣନ୍ତି ତା’ଠାରୁ ଅଧିକ ଜ୍ୟାକଙ୍କୁ ଜାଣନ୍ତି । ଜେଫ୍ ବେଜୋସ,ଏଲନ ମସ୍କ ଓ ବିଲ ଗେଟସଙ୍କ ପୂର୍ବରୁ ମଧ୍ୟ ତାଙ୍କ ନାମ ଆସୁଥିଲା । ତେଣିକି ତାହା ସମ୍ପତ୍ତି ହେଉ କି ପ୍ରସିଦ୍ଧି ।

ଇନୋଭେସନ୍ ଯୁଗରେ ‘ମା’ ଯୁଗ

ଚୀନ ମିଡିଆରେ ଜ୍ୟାକ୍ ମା’ଙ୍କ ସମୟକୁ ଇନୋଭେସନ୍ କ୍ଷେତ୍ରରେ ମ’ ଯୁଗ ବୋଲି କହୁଥିଲା । କିନ୍ତୁ ଗୋଟିଏ ବର୍ଷ ଭିତରେ ସବୁକିଛି ବଦଳିଯାଇଥିଲା । ଯେଉଁ ମିଡିଆ ଜ୍ୟାକଙ୍କ ଗୁଣଗାନ କରିବାରେ ହେଳା କରୁନଥିଲା ସେହି ମିଡିଆ ଏବେ ତାଙ୍କୁ ନେଇ ନିରବ । କିମ୍ବା ଜ୍ୟାକଙ୍କୁ ଖଳନାୟକ ଭାବେ ଚିତ୍ରିତ କରିବାର କୌଣସି ସୁଯୋଗ ଛାଡୁନାହିଁ । ଆଜି ଜ୍ୟାକ୍ ଧନୀକ ତାଲିକାରୁ ଅଦୃଷ୍ୟ ହୋଇଯାଇଛନ୍ତି । ଚୀନ୍ ମିଡିଆରେ ତାଙ୍କ ନାମକୁ ନେଇ କୌଣସି ଚର୍ଚ୍ଚା ନାହିଁ କି ତାଙ୍କ କମ୍ପାନୀର କୌଣସି ଉଲ୍ଲେଖ । ଯଦି କିଛି ବି ଉଲ୍ଲେଖ ହେଉଛି ତେବେ ତାହା ହେଲା ଜ୍ୟାକ୍ ଇଙ୍କର ପତନର କାହାଣୀ

ଜ୍ୟାକ୍ ମା’ ଇଙ୍କ୍, ଅଲ୍ଲିବାବା ଓ ଏଣ୍ଟ୍ ଗ୍ରୁପର କ୍ଷତି

ଜ୍ୟାକ ଓ ତାଙ୍କପତନର କାହାଣୀ ଆରମ୍ଭ ହୋଇଥିଲା ତାଙ୍କର ଏକ ବିବାଦୀୟ ଟିପ୍ପଣୀରୁଜ୍ୟାକ୍ ଏକ ସଭାରେ ଖୋଲାଖୋଲି ଭାବେ କମ୍ୟୁନିଷ୍ଟ ସରକାର ବିଶେଷକରରୀ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କ ଆର୍ଥିକ ନୀତିକୁ ସମାଲୋଚନା କରିଥିଲେ । ବିରୋଧକୁ କେବେ ମଧ୍ୟ ବରଦାସ୍ତ କରୁନଥିବା ଚୀନର କମ୍ୟୁନିଷ୍ଟ୍ ସରକାର, ଯେଉଁଠି ଦଳ ଓ ଦେଶ ମଧ୍ୟରେ ବିଭାଜନର ରେଖା ହିଁ ନାହିଁ, ସେଠାରେ ଏହାକୁ କେମିତି ବରଦାସ୍ତ କରାଯାଇଥାନ୍ତା । ଜ୍ୟାକଙ୍କ ଟିପ୍ପଣୀ ପରେ ସି ଜିନ୍ ପିଙ୍ଗଙ୍କ ଆଦେଶରେ ଅଲ୍ଲିବାବା ଓ ଏଣ୍ଟ୍ ଗ୍ରୁପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଖୋଦ୍ ଜ୍ୟାକ୍ ଅଚାନକ ଗାଏବ ହୋଇ ଯାଇଥିଲେ । ଗୋଟିଏ ଟିଭି ପ୍ରୋଗ୍ରାମ ଯାହାକୁ ଜ୍ୟାକ୍ ହୋଷ୍ଟ କରୁଥିଲେ ତାର ସୁଟିଂ ମଧ୍ୟ ବାତିଲ ହୋଇଥିଲା । କାରଣ ଜ୍ୟାକ୍ ଗାଏବ ଥିଲେ । ସରକାରଙ୍କ ପ୍ରତିଶୋଧାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ଅଲ୍ଲିବାବାର ମୂଲ୍ୟ 857 ବିଲିୟନ ଡଲାରରୁ ଖସି 588 ଡଲାର ହୋଇଥିଲା । ସେହିଭଳି ଆଣ୍ଟ ଗ୍ରୁପର ମୂଲ୍ୟ 470 ବିଲିୟନ ଡଲାରରୁ ଖସି 108 ବିଲିୟନ ଡଲାରରେ ପହଂଚିଥିଲା । ଏହି ଦୁଇ କମ୍ପାନୀର ଅବମୁଲ୍ୟାୟନ ଏବେ ମଧ୍ୟ ଜାରି ରହିଛି । ଲାଗୁଛି ଚୀନ୍ ସରକାର ଜ୍ୟାକ୍ ଓ ତାଙ୍କର ସବୁ ଚିହ୍ନକୁ ସବୁଦିନ ପାଇଁ ଲୋପ କରିଦେବାକୁ ଚାହାନ୍ତି ।

ତେବେ ଜ୍ୟାକ୍ ମା’ ଏମିତି କ’ଣ କହିଥିଲେ ?

ଜ୍ୟାକ୍ ଗତବର୍ଷ ଅକ୍ଟୋବର 24 ତାରିଖ ଦିନ ଦେଶର ବାବୁରାଜକୁ ସମାଲୋଚନା କରିଥିଲେ । ସେ ଚୀନର ଆର୍ଥିକ ନିୟନ୍ତ୍ରକ (ଫାଇନାନସିଆଲ ରେଗୁଲେଟର)ସରକାରୀ ବ୍ୟାଙ୍କକୁ କଠୋର ଶବ୍ଦରେ ନିନ୍ଦା କରିଥିଲେ । ଜ୍ୟାକ୍ ସରକାରୀ ବ୍ୟାଙ୍କଙ୍କୁ ସୁଧଖୋର କହିଥିଲେ । ସେ ସରକାରଙ୍କୁ ଏଭଳି ସିଷ୍ଟମକୁ ବଦଳାଇବାକୁ ଆହ୍ୱାନ କରିଥିଲେ ଯାହା ଯୁବା ଓ ନୂଆ ଉଦ୍ୟମୀଙ୍କୁ ଦବାଇବାର ଉଦ୍ୟମ କରେ । ଜ୍ୟାକଙ୍କ ଏହି ମନ୍ତବ୍ୟ ଚୀନ କମ୍ୟୁନିଷ୍ଟ ପାର୍ଟିକୁ ପସନ୍ଦ ଆସିନଥିଲା । କାରଣ ତାଙ୍କର ଏହି ବୟାନ ଚୀନ୍ ରାଷ୍ଟ୍ରପତିଙ୍କୁ ସିଧାସଳଖ ଚ୍ୟାଲେଂଜ୍ ବୋଲି ଗ୍ରହଣ କରାଯାଇଥିଲା । ଏହା ପରେ ଚୀନ୍ ସରକାର ଆରମ୍ଭ କରିଥିଲେ ମା’ ଦମନ ଅଭିଯାନଜ୍ୟାଙ୍କ ଆଣ୍ଟଗ୍ରୁପର ଆଇପିଓ ଜାରିକୁ ବନ୍ଦ କରି ଦିଆଯିବା ସହ ତାଙ୍କ ବିରୋଧରେ ଅନ୍ୟ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଆଉ ଏଇମିତି ଆରମ୍ଭ ହୋଇଥିଲା ଜ୍ୟାକଙ୍କ ସାମ୍ରାଜ୍ୟର ପତନ କାହାଣୀ ।

AlibabaAnt Groupchina communist governmentChina’s regulatory systemChina’s richest manDownfall of Jack MaJack Majack ma speech on october 24thlevel-2 mental disabledvanishing billionaire jack maxi jinpingଅଦୃଶ୍ୟ ବିଲିୟନେୟାରଅଲ୍ଲିବାବାଆଣ୍ଟ ଗ୍ରୁପଇନୋଭେସନ୍ଚୀନର ଆର୍ଥିକ ନିୟନ୍ତ୍ରକଚୀନର କମ୍ୟୁନିଷ୍ଟ୍ ସରକାରଜ୍ୟାକଙ୍କ ସାମ୍ରାଜ୍ୟର ପତନ କାହାଣୀଜ୍ୟାକ୍ ମା’ନିରଙ୍କୁଶ କ୍ଷମତାଫାଇନାନସିଆଲ ରେଗୁଲେଟରବିଶ୍ୱର ଚର୍ଚ୍ଚିତ ଧନୀ ବ୍ୟକ୍ତି ସି ଜିନ୍ ପିଙ୍ଗ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami