ଓଡ଼ିଶା ଜଙ୍ଗଲରେ କଳାବାଘ: ସୂଚନା ଦେଲେ ପିସିସିଏଫ୍‌

ଭୁବନେଶ୍ୱର: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର । ରାଜ୍ୟ ଜଙ୍ଗଲରେ ପୁଣି ଦେଖିବାକୁ ମିଳିଛି କଳା ବାଘ । କ୍ୟାମେରା ଟ୍ରାପ୍‌ରେ କଏଦ୍ ହେଲା କଳା ରଙ୍ଗର କଲରା ପତରିଆ ବାଘ । ପୂର୍ବରୁ ଶିମିଳିପାଳରେ କଳା ଦାଗ ଥିବା ମହାବଳ ଦେଖିବାକୁ ମିଳିଥିଲା । ତେବେ ଏଥର ବାଘ କେଉଁଠି ଦେଖିବାକୁ ମିଳିଛି ସେନେଇ କୌଣସି ସୂଚନା ମିଳିନାହିଁ ବୋଲି ଟୁଇଟ୍ କରିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । କିନ୍ତୁ କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଦେଖାଯାଇଥିବା ସୂଚନା ରହିଛି । ପିସିସିଏଫ୍ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଓଡିଶାରେ ଚାଲିଥିବା ବାଘ ଗଣନା ବେଳେ ଏହା ଦେଖିବାକୁ ମିଳିଛି । ୨୦୧୮ରେ ସୁନ୍ଦରଗଡ଼ ବନଖଣ୍ଡ ହେମଗିର ବନାଞ୍ଚଳ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୃଷ୍ଟିଗୋଚର ହୋଇଥିଲା ବିରଳ କଳା ବାଘ ।

କଳା ବାଘଙ୍କ ସଂଖ୍ୟା କେତେ ସ୍ପଷ୍ଟ ହୋଇନି

ଜାନୁଆରି ୧୫ ସୁଦ୍ଧା ରାଜ୍ୟ ସରକାରଙ୍କ ବାଘ ଗଣନା ରିପୋର୍ଟ ଆସିବାକୁ ଥିବାରୁ ତା’ପୂର୍ବରୁ ଏଭଳି ଖବର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମଧ୍ୟରେ ଉତ୍ସାହ ଭରିଛି । କେନ୍ଦ୍ରୀୟ ଓଡ଼ିଶାର ଜଙ୍ଗଲ ସୀମା ବହୁତ ଅଧିକ ରହିଛି । ସମ୍ଭବତଃ ନୟାଗଡ଼, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଜିଲ୍ଲାର କୌଣସି ଏକ ଜଙ୍ଗଲରେ କଳାବାଘଟି ଥିବା ଅନୁମାନ କରାଯାଉଛି । ଏମାନଙ୍କ ସଂଖ୍ୟା କେତେ ତାହା ମଧ୍ୟ ଜଣାପଡ଼ି ନାହିଁ । ପିସିସିଏଫ୍‌ଙ୍କ ସୂଚନା ପରେ ‘ଏକ୍ସ’ରେ ଭିନ୍ନ ଭିନ୍ନ ମତପ୍ରକାଶ ପାଇଛି ।

କଳାବାଘଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ

ଜଣେ କହିଛନ୍ତି ଯେ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ବନୀଗୋଚ୍ଛାଠାରେ ଦୁଇ ବର୍ଷ ତଳେ କଳା କଲରାପତରିଆ ବାଘ ଦେଖିବାକୁ ମିଳିଥିଲା । ତେଣୁ ନୂଆ କଥା କିଛି ନାହିଁ । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସମେତ କଳାହାଣ୍ଡି ଜିଲ୍ଲାରେ ମଧ୍ୟ କଳା ରଙ୍ଗର ବାଘ ଠାବ କରାଯାଇଥିଲା । କଳାବାଘକୁ ନେଇ ଉତ୍ସାହିତ ହେବା ବଦଳରେ ସେମାନଙ୍କ ଭବିଷ୍ୟତ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଛି । ୨୦୧୮ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ କଲରାପତରିଆଙ୍କ ସଂଖ୍ୟା ୭୬୦ ରହିଥିଲା । ଦେଶରେ ଏହି ପ୍ରଜାତିର ବାଘଙ୍କ ସଂଖ୍ୟା ୧୨ ହଜାର ୮୫୨ ରହିଥିଲା, ଯାହାକି ୨୦୧୪ ତୁଳନାରେ ୬୦% ବୃଦ୍ଧି ହୋଇଥିଲା । ମଧ୍ୟପ୍ରଦେଶରେ ସର୍ବାଧିକ ୩,୪୨୧ କଲରାପତରିଆ ରହିଥିବା ବେଳେ କର୍ଣ୍ଣାଟକରେ ୧,୭୮୩ ଓ ମହାରାଷ୍ଟ୍ରରେ ୧,୬୯୦ ରହିଥିବା ରିପୋର୍ଟରେ ଦର୍ଶାଯାଇଥିଲା ।

black tigerblack tiger in odisha forest
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami