ପ୍ରବାଦ ପୁରୁଷଙ୍କ ସ୍ମୃତିକୁ ମନେ ପକାଉଛି ସାରା ଓଡ଼ିଶା

ଭୁବନେଶ୍ୱର: ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ । ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ । ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ଓଡ଼ିଶାର ଗର୍ବ, ଗରିମା ଓ ସ୍ୱାଭିମାନର ସ୍ୱାକ୍ଷର ଆଙ୍କିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ । ଦୁର୍ଦ୍ଧର୍ଷ ପାଇଲଟ୍‌, ସଫଳ ଶିଳ୍ପପତି, ବିଚକ୍ଷଣ ରାଜନୀତିଜ୍ଞ, ଦୂରଦ୍ରଷ୍ଟା, ସ୍ୱାଭିମାନୀ, ସ୍ପଷ୍ଟବାଦୀ, ନିର୍ଭୀକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଏହି ସର୍ବମାନ୍ୟ ନେତା ।

ବିଜୁବାବୁଙ୍କୁ ମିଳିଥିଲା ଇଣ୍ଡୋନେସିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭୂମିପୁତ୍ର’

ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗବୀର, ଦ୍ୱିତୀୟ ଖାରବେଳ ଆଦି ଅନେକ ବିଶେଷଣରେ ଭୂଷିତ ବିଜୁବାବୁ ୧୯୧୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୈତୃକ ଗ୍ରାମ ଥିଲା ଗଞ୍ଜାମ ଜିଲ୍ଲାର ଜି-ନୂଆ ଗାଁ । ସ୍କୁଲ ଶିକ୍ଷା ସାରି ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ । ପାଇଲଟ୍ ହେବାର ଇଚ୍ଛା ଥିବାରୁ ସେ ବିମାନ ଚାଳନାରେ ତାଲିମ୍ ନେଲେ । ପ୍ରତ୍ୟେକ ଆହ୍ୱାନକୁ ସାମ୍ନା କରିବାର ଅଦମ୍ୟ ସାହସ ତାଙ୍କଠାରେ ଥିଲା । ୧୯୪୬ରେ ଜବାହରଲାଲ୍ ନେହେରୁଙ୍କ ପରାମର୍ଶକ୍ରମେ ଇଣ୍ଡୋନେସିଆ ସ୍ୱତନ୍ତ୍ରତା ସଂଗ୍ରାମର ଦୁଇ ତୁଙ୍ଗ ନେତାଙ୍କୁ ବିଜୁ ପଟ୍ଟନାୟକ ତାଙ୍କ ଡାକୋଟା ବିମାନରେ ଡଚ୍‌ମାନଙ୍କ କବଳରୁ ଉଦ୍ଧାର କରି ଦିଲ୍ଲୀ ନେଇ ଆସିଥିଲେ । ସେଥିପାଇଁ ବିଜୁବାବୁଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭୂମିପୁତ୍ର’ ପ୍ରଦାନ କରାଯାଇଥିଲା ।

ବିକାଶର ଦୃଢ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ ବିଜୁବାବୁ

ସ୍ୱାଧୀନତା ପରେ କାଶ୍ମୀର ଉପରେ ପାକ୍ ଆକ୍ରମଣ କାଳରେ ଦୁର୍ଗମ ଅଞ୍ଚଳରେ ଶ୍ରୀନଗରରେ ଭାରତୀୟ ସୈନ୍ୟମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ସେ ଦେଶବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ । ୧୯୬୧ରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ୱ ନେଇ ୧୪୦ ଆସନରୁ ୮୨ଟିରେ ବିଜୟ ହାସଲ କରିଥିଲେ । ଏହି ସମୟରେ ବିଜୁବାକୁ ମାତ୍ର ୨ବର୍ଷ ୩ ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହି ସ୍ୱଳ୍ପ ସମୟରେ ବି ସେ ରାଜ୍ୟ ବିକାଶର ଦୃଢ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ । ପାରାଦୀପ ବନ୍ଦର, ଏକ୍ସପ୍ରେସ୍ ହାଇୱେ , ମିଗ୍ ବିମାନ କାରଖାନା, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ସୈନିକ ସ୍କୁଲ, ଆଦି ଅନେକ କୀର୍ତ୍ତି ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ଅମଳରେ ଆରମ୍ଭ ହୋଇଥିଲା । ସତୁରୀ ଦଶକରେ ସେ ମୋରାରଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଇସ୍ପାତ, ଖଣି ଓ କୋଇଲା ବିଭାଗର ମନ୍ତ୍ରୀ ହୋଇଥିଲେ । ୧୯୯୦ରେ ତାଙ୍କ ନେତୃତ୍ୱରେ ଗଠିତ ଜନତାଦଳ ଓଡ଼ିଶା ବିଧାନସଭାରେ ରେକର୍ଡ ସଂଖ୍ୟକ ୧୨୩ଟି ଆସନ ଦଖଲ କରିଥିଲା । ସେ ଦ୍ୱିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୭ ଏପ୍ରିଲ୍ ୧୯୯୭ରେ ଏହି ମହାନ ଜନନେତାଙ୍କର ମହାପ୍ରୟାଣ ଘଟିଥିଲା ।

Biju Patnaik was the pride of Odishabiju pattanaikbjd celebrates 108th jayanti of biju patnaik
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami