କାଠରେ ହନୁମାନ ଚାଳିଶା ପୁସ୍ତକ

କରୋନାର ଦ୍ୱିତୀୟ ଲହରକୁ ନେଇ ସମସ୍ତେ ଆତଙ୍କିତ ଓ ଶଙ୍କିତ । ଏହି ରୋଗ କବଳରୁ ମୁକ୍ତି ପାଇଁ ସମସ୍ତେ ଏବେ ତ୍ରାହି ତ୍ରାହି ଡାକ ଦେଉଛନ୍ତି । ଏହି ମହାମାରୀକୁ ଦୂରେଇ ଦେବା ପାଇଁ ଆମ ଦେଶର ଅନେକ ସ୍ଥାନରେ ପୂଜାପାଠ କରାଯାଉଥିବା ମଧ୍ୟ ନଜିର ରହିଛି । ଗଞ୍ଜାମ ଜିଲ୍ଲାର ଅରୁଣ ସାହୁ ନାମକ ଜଣେ ଯୁବକ କରୋନାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ହନୁମାନ ଚାଳିଶା ପାଠ କରୁଥିଲେ । ଏହି ସମୟରେ କାଠରେ ହନୁମାନ ଚାଳିଶା ପୁସ୍ତକ ପ୍ରସ୍ତୁତ କରିବା ପାଇଁ ତାଙ୍କ ମୁଣ୍ଡରେ ଏକ ବୁଦ୍ଧି ଜୁଟିଲା । ଭାବନା, ସାଧନା ଓ ଭକ୍ତିକୁ ଆୟୁଧ କରି ସେ କାଠରେ ହନୁମାନ ଚାଳିଶା ପ୍ରସ୍ତୁତ କଲେ । ଗୋସ୍ୱାମୀ ତୁଳସୀ ଦାସଙ୍କ ରଚିତ ହନୁମାନ ଚାଳିଶାର ପ୍ରତିଟି ଦୋହା ଏବଂ ଚୌପାଇକୁ କାଠରେ ସୁନ୍ଦର ଭାବେ ଖୋଦେଇ କରିବାରେ ସେ ସଫଳ ହେଲେ ।  ଗମ୍ଭାରୀ କାଠରେ ନିର୍ମିତ ଏହି ହନୁମାନ ଚାଳିଶାର ଦୈଘ୍ୟ ୧୦.୫ ଇଂଚ, ପ୍ରସ୍ଥ ୯.୦ମୋଟେଇ ୨.୫ ଇଂଚ ।  ଏଥିରେ ମୋଟ ୫ଟି ପୃଷ୍ଠା ରହିଥିବାବେଳେ ଦୁଇଟି ମଲାଟ ରହିଛି । ମଲାଟ ଉପରେ ବିରାଜିତ ହନୁମାନଙ୍କ ପ୍ରତିକୃତି ଏହାର ମୁଖ୍ୟ ଆକର୍ଷଣ ସାଜିଛି । କାଠ, ନିହାଣ ଓ ପତଳା ଆରିର (ବ୍ଲେଡ୍‌) ବ୍ୟବହାର କରି ସେ ଏହାକୁ ଅବିକଳ କାଗଜରେ ପ୍ରସ୍ତୁତ ହନୁମାନ ଚାଳିଶା ପୁସ୍ତକର ରୂପ ଦେଇଛନ୍ତି । ବର୍ତମାନ ସେ ଦୁଇଟି କାଠ ଖୋଦିତ ହନୁମାନ ଚାଳିଶା ତିଆରି କରିଛନ୍ତି । ପ୍ରଥମଟିକୁ ପ୍ରସ୍ତୁତ କରିବାକୁ ତାଙ୍କୁ ଏକ ମାସ ସମୟ ଲାଗିଥିବା ବେଳେ ଦ୍ୱିତୀୟଟି ପ୍ରସ୍ତୁତ କରିବାକୁ ୨୫ ଦିନ ସମୟ ଲାଗିଛି । ସେ ଏହି ଦୁଇଟି କାଠ ଖୋଦିତ ହନୁମାନ ଚାଳିଶାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି । ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡରେ ଏହାକୁ ସାମିଲ କରିବା ପାଇଁ ସେ ଆବେଦନ କରିଥିବା ଅରୁଣ କହିଛନ୍ତି ।

Arun Sahu Scripted Hanuman Chalisa on Wood

ଅରୁଣଙ୍କ ଘର ହିଞ୍ଜିଳିକାଟୁ ବ୍ଲକ୍ କଂଚୁଡୁ ପଂଚାୟତ କଂଟେଇକୋଳି ଗ୍ରାମରେ । ସେ ତାଙ୍କ ପିତା ଭାସ୍କର ସାହୁଙ୍କଠାରୁ କାଠକାମ ଶିଖିଥିଲେ । ଇତିମଧ୍ୟରେ ସେ କାଠରେ ଧଉଳି ଶାନ୍ତିସ୍ତୂପ, ତାଜମହଲ, ଇଫେଲ୍ ଟାୱାର, ଓଡ଼ିଶା ବିଧାନସଭାର ପ୍ରତିକୃତି ଆଦି ନିର୍ମାଣ କରିଛନ୍ତି । ଏଥିରୁ କିଛି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ମଧ୍ୟ ପାଇଛି । ତେବେ  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ୩୨ ବର୍ଷୀୟ ଅରୁଣଙ୍କୁ ପିଲାଟି ଦିନରୁ ଏଥିପ୍ରତି ଇଚ୍ଛା ନଥିଲା । ପ୍ରତିଦିନ ଅରୁଣଙ୍କ ପିତା ଏହି କାମ କରୁଥିବା ସମୟରେ ସେ ଏହାକୁ ଦେଖି ଖେଳନା ବୋଲି ଭାବୁଥିଲେ । ପିଲାଟି ଦିନରୁ  ରାଜ୍ୟ ତଥା ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଦର୍ଶନୀୟ ସ୍ଥାନ ବୁଲିବା ଏବଂ ସେହି ସବୁ ସ୍ଥାନ ବିଷୟରେ ଜାଣିବାକୁ ତାଙ୍କ ମନରେ ପ୍ରବଳ ଆଗ୍ରହ ଥିଲା । ହେଲେ ପରିବାରର ଆର୍ଥିକ ସ୍ଥିତି ତାଙ୍କୁ ବାପାଙ୍କ କାମରେ ସହଯୋଗ କରିବାକୁ ବାଧ୍ୟ କରିଥିଲା । ଯୁକ୍ତ ୨ ପାଠ ପଢ଼ି ସାରିବା ପରେ ସେ ଏହି କାମରେ ଲାଗି ପଡ଼ିଥିଲେ । ଯାହା ଦେଖିବାକୁ ଇଚ୍ଛା ହୁଏ ସେ କାଠରେ ତାହା ନିର୍ମାଣ କରନ୍ତି ଓ ନିଜ ପାଖରେ ସାଇତି ରଖନ୍ତି । ଏଭଳି କରି ନିଜର ଆଶା ଓ ଅଭିଳାଷକୁ ସେ ପୂରଣ କରିଥିବା କଥା କହନ୍ତି ଅରୁଣ । ଘରର ସେ ମଝିଆ ପୁଅ ହୋଇଥିବାବେଳେ ତାଙ୍କ ବଡ଼ ଭାଇ ମଧ୍ୟ କାଠକାମ କରନ୍ତି । ପୂରା ପରିବାରର ବେଉସା କହିଲେ କାଠକାମକୁ ହିଁ ବୁଝାଏ । ହନୁମାନ ଚାଳିଶା ପାଠ କରିବା ସମୟରେ ସେ ଦେଖିଥିବା ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ଆଜି ସକ୍ଷମ ହୋଇଛନ୍ତି । ତାଙ୍କର ଏଭଳି କଳାକୃତି ଦେଖି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ତାଙ୍କର ଏହି କଳାକୃତି କେବଳ ଗଞ୍ଜାମ ଜିଲ୍ଲାରେ ନୁହେଁ ସାରା ଓଡ଼ିଶା ପାଇଁ ଏହା ଗର୍ବ ଓ ଗୌରବର ବିଷୟ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

Arun SahuHanuman Chalisa scripted on woodଅରୁଣ ସାହୁଇଣ୍ଡିଆ ବୁକ୍ ଅଫ୍ ରେକର୍ଡଇଫେଲ୍ ଟାୱାରଓଡ଼ିଶା ବିଧାନସଭାର ପ୍ରତିକୃତିକଳାକୃତିକାଠ ଖୋଦିତ ହନୁମାନ ଚାଳିଶାକାଠରେ ହନୁମାନ ଚାଳିଶାଗଞ୍ଜାମ ଜିଲ୍ଲାଗମ୍ଭାରୀ କାଠଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡଗୋସ୍ୱାମୀ ତୁଳସୀ ଦାସତାଜମହଲଧଉଳି ଶାନ୍ତିସ୍ତୂପହନୁମାନଙ୍କ ପ୍ରତିକୃତିହିଞ୍ଜିଳିକାଟୁ ବ୍ଲକ୍ କଂଚୁଡୁ ପଂଚାୟତ କଂଟେଇକୋଳି ଗ୍ରାମ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami