ଦୁର୍ଗମ ଅଂଚଳର ସାଥୀ ସରୋଜିନୀ

ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଜଉଁରାଭଉଁରା ପଂଚାୟତର ଏଏନ୍‌ଏମ୍ ଦିଦି ସରୋଜିନୀ କୁଅଁର । ଏ ପଂଚାୟତର ଅଧିକାଂଶ ଗାଁ ଜଙ୍ଗଲ ଅଂଚଳରେ । ଚାଲିଚାଲି ଯିବାକୁ ପଡ଼େ । ତଥାପି ସେ ଦିନେ ଥକିନାହାନ୍ତି । ଏମିତି ଦିନ ନାହିଁ ଯେଉଁଦିନ ସେ ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝିବାକୁ ସେ ଗାଁକୁ ଯାଇନାହାନ୍ତି । ଏବେ କରୋନା ସମୟରେ ତାଙ୍କର ଦାୟିତ୍ୱ ଆହୁରି ବଢ଼ିଯାଇଛି । ଏ ଦୁର୍ଗମ ଅଂଚଳରେ ଲୋକଙ୍କ ସାଥୀ ପାଲଟିଯାଇଛନ୍ତି ସରୋଜିନୀ । ବିିଭିନ୍ନ ସୁବିଧା ଅସୁବିଧାରେ ଛିଡ଼ା ହୋଇ ସ୍ଥାନୀୟ ବାସିନ୍ଦାଙ୍କ ପ୍ରିୟ ଦିଦି ପାଲଟିଯାଇଛନ୍ତି ସେ ।

ପ୍ରତିଦିନ ସକାଳ ୭ଟା ହେଲେ ସରୋଜିନୀ ବାହାରି ଯାଆନ୍ତି । ସ୍ଥାନୀୟ ଅଙ୍ଗନବାଡ଼ି ଦିଦି ଆଶା ଦିଦିଙ୍କୁ ନେଇ ଗାଁ ବୁଲନ୍ତି । ଏବେ ତାଙ୍କ ଅଧୀନରେ ୧୦ଟି ଗାଁ ଥିବାବେଳେ ୧୪ ଜଣ ଅଙ୍ଗନବାଡ଼ି ଦିଦି୭ ଜଣ ଆଶା ଦିଦି ଅଛନ୍ତି । ସୋନପୁର ଜିଲ୍ଲା ମୁଖ୍ୟାଳୟଠାରୁ ୩୫ କିଲୋମିଟର ଦୂରରେ ଥିବା ଏହି ପଂଚାୟତର ଅଧିକାଂଶ ଗାଁ ବଣପାହାଡ଼ ଘେରା । ଗୁଜା, ସାତମୁଣ୍ଡା, କୃଷ୍ଣପୁର, ଥେଲକୁ, ବେନ୍ନି, ବୌଦ୍ଧଚୁଡ, ତିଲି, ଜୁନେନ୍ ଭଳି ଗାଁଗୁଡ଼ିକୁ ବର୍ଷା  ଦିନେ ଯିବା ଆସିବାକୁ ରାସ୍ତାନାହିଁ । ଏକମାତ୍ର ବିକଳ୍ପ ହେଉଛି ପାଦଚଲା ଯାତ୍ରା । ନିଜ ସାଥୀ ଅଙ୍ଗନବାଡ଼ି ଦିଦି ଓ ଆଶା ଦିଦିମାନଙ୍କୁ ମାନସିକ ଭାବେ ଦୃଢ଼  କରି ଲୋକଙ୍କ ପାଖରେ ପହଂଚିଯାଉଛନ୍ତି । କେତେବେଳେ ୨ କିଲୋମିଟର ତ ଆଉ କେତେବେଳେ ୫ କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି । ସାହି ମୁରବୀମାନଙ୍କ ଜରିଆରେ ଲୋକଙ୍କୁ ବୁଝାଇ ଘରକୁ ଘର ବୁଲି ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଂଚ କରୁଛନ୍ତି । ଥର୍ମାଲ ସ୍କ୍ରିନିଂ ଓ ଅକ୍ସିଜେନସ୍ତର ମାପୁଛନ୍ତି

ଲୋକଙ୍କ ସହ ସ୍ଥାନୀୟ ଭାଷାରେ କଥାବାର୍ତା କରି କରୋନା ସମ୍ପର୍କରେ ସଚେତନ ବି କରୁଛନ୍ତି ସରୋଜିନୀ । କାହାର କରୋନାର କିଛି ଲକ୍ଷଣ ଥିଲେ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରୁଛନ୍ତି । ମାସ୍କ ପରିଧାନ, ସାମାଜିକ ଦୂରତାକୁ ଛାଡ଼ି ସାମାନ୍ୟ ଥଣ୍ଡା କାଶ ହେଲେ କେଉଁ ସବୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ସେସବୁ ବି ବୁଝୁଛନ୍ତି । କରୋନା ଛଡ଼ା ଡାଇରିଆ, ମ୍ୟାଲେରିଆ, ଡେଙ୍ଗୁ, ଟିବି ଆଦି ବାବଦରେ ବି ଲୋକଙ୍କୁ ବୁଝାଉଛନ୍ତି । ସଙ୍ଗରୋଧରେ ରହି କିପରି ଘରୋଇ ଉପଚାରରେ ଶାରୀରିକ ଯତ୍ନ ନେଇ ହେବ ସେ ବାବଦରେ ଶିକ୍ଷା ଦେଉଛନ୍ତି । ସ୍ଥାନୀୟ ଅଙ୍ଗନବାଡ଼ି ଓ ଆଶା ଦିଦିମାନଙ୍କ ସହ ମିଶି ସାବୁନରେ ହାତ ଧୋଇବା ତଥା ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ସେ ବୁଝାଇବାରେ ସଫଳ ହୋଇଛନ୍ତି । ବିଶେଷକରି ଗର୍ଭବତୀ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ଟିକା ନେଇ ସେ ସର୍ବଦା ତତ୍ପର । ଏ ବାବଦରେ ସରୋଜିନୀ କହନ୍ତି ଏ  ଅଂଚଳର ଲୋକେ ଆଦିବାସୀ ହୋଇଥିବାବେଳେ ସହର ସହ ଯୋଗାଯୋଗ କମ୍ । ତେଣୁ କରୋନା ବାବଦରେ କିଛି ବୁଝନ୍ତି ନାହଁ । ଟିକା ପାଇଁ ଲୋକଙ୍କୁ ବୁଝାଇବା ସବୁଠାରୁ ବଡ଼ ସମସ୍ୟା । ୧୦ଟି ଗାଁରେ ୧୦୦୦ରୁ ଅଧିକ ଲୋକ ରହୁଥିବାବେଳେ ବର୍ତମାନ ସୁଦ୍ଧା ମାତ୍ର ୪୨୫ ଜଣ ଟିକା ନେବାକୁ ଜଉଁରାଭଉଁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଛନ୍ତି । ଏସବୁ ସମ୍ଭବ ହୋଇଛି ପ୍ରତିଦିନ ଗାଁକୁ ଯିବା ଦ୍ୱାରା । ପ୍ରଥମେ ପ୍ରଥମେ ଜଣେ ହେଲେ ଟିକା ନେବାକୁ ମଙ୍ଗୁ ନଥିଲେ । ଏବେ ଅନ୍ତତଃ ଶୁଣୁଛନ୍ତି ଓ ମାସ୍କ ପିନ୍ଧୁଛନ୍ତି । ଲୋକଙ୍କ ପାଇଁ  ଆମେ ପ୍ରତିଦିନ ନିଜ କାର୍ଯ୍ୟ ଶୈଳୀରେ ପରିବର୍ତନ କରିଛୁ । ପ୍ରତିଦିନ ଗାଁକୁ ଯିବାକୁ ଯୋଜନା ହୋଇଥିବାବେଳେ  କେଉଁ ଦିନ କେଉଁ ଗାଁକୁ ଯିବୁ ଓ ସାଥିରେ କେଉଁ ଅଙ୍ଗନବାଡ଼ି ଦିଦି ଓ ଆଶା ଦିଦି ରହିବେ ତାହା ପୂର୍ବରୁ ନିର୍ଦ୍ଧାରିତ କରୁଛୁ । ଗାଁର ସରଳ ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇବାରେ ଯେଉଁ ତୃପ୍ତି ମିଳେ, ତାହା ଅନ୍ୟ କୌଣସି କାର୍ଯ୍ୟରୁ ମିଳେ ନାହିଁ ବୋଲି କହିଛନ୍ତି ସରୋଜିନୀ

AnganwadiANMAsha didcorona precautionslocal anganwadi didioxygen level checkremote areas in sonepurSarojini Kuanrsocial distancingsonepur districtthermal screeningvaccinationwear maskଅକ୍ସିଜେନସ୍ତରଅଙ୍ଗନବାଡ଼ି ଦିଦିଆଶା ଦିଦିଉଲୁଣ୍ଡା ବ୍ଲକ୍ ଜଉଁରାଭଉଁରା ପଂଚାୟତଏଏନ୍‌ଏମ୍ ଦିଦି ସରୋଜିନୀ କୁଅଁରକରୋନା ସମ୍ପର୍କରେ ସଚେତନଟିକା ନେବାଥର୍ମାଲ ସ୍କ୍ରିନିଂମାସ୍କ ପରିଧାନସାମାଜିକ ଦୂରତାସୋନପୁର ଜିଲ୍ଲାସ୍ଥାନୀୟ ଅଙ୍ଗନବାଡ଼ି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami