୧୯୯୯ ମହାବାତ୍ୟାରୁ ବିପର୍ଯ୍ୟୟ ମୁକାବିଲାର ‘ମଡେଲ୍‍’ ସାଜିଛି ଓଡ଼ିଶା

643

୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ। ୧୯୯୯ ମସିହା ଆଜିର ଦିନରେ ଓଡ଼ିଶା ଦେ‌ଖିଥିଲା ପ୍ରକୃତିର କରାଳ ରୂପ। ପ୍ରକୃତି ରଚିଥିଲା ତା’ର ମହାତାଣ୍ଡବ। ନିମିଷକେ କରିଦେଇଥିଲା ସବୁ କିଛି ଛାରଖାର। ପ୍ରକୃତି କେତେ ଯେ ଭୟଙ୍କର ହୋଇପାରେ ତାହା ଦେଖାଇ ଦେଇ‌ଥିଲା ୧୯୯୯ ମହାବାତ୍ୟା। ୨୨ ବର୍ଷ ପରେ ମଧ୍ୟ ସେ କାଳ ରାତିର ପ୍ରଳୟଙ୍କରୀ ଦୃଶ୍ୟ ଆଜି ବି ମନେ ପଡିଲେ ଶୀହରି ଉଠେ ଦେହ। ଆଖି ଆଗକୁ ଚାଲି ଆସେ ସେ ସମୟର ଲୋମଟାଙ୍କୁରା ଦୃଶ୍ୟ, ଶହ ଶହ ଶବ ଓ ଲୋକଙ୍କ ଆର୍ତ୍ତଚିତ୍କାର। ସେ କାଳରାତି ଲୋକଙ୍କ ମନ ମାନସରୁ ଲିଭିବନି ସତ ମାତ୍ର ଏବେ ବଦଳି ଯାଇଛି ଓଡ଼ିଶାର ଦୃଶ୍ୟପଟ୍ଟ।

୧୯୯୯ ମହାବାତ୍ୟା ପରେ ଓଡ଼ିଶା ସାମ୍ନା କରିଛି ଏକାଧିକ ବାତ୍ୟା ଓ ବିପର୍ଯୟ। ହେଲେ ସେ ସବୁର ଦୃଢ଼ ମୁକାବିଲା କରିପାରିଛି ଓଡ଼ିଶା। ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଦୃଢ ପଦକ୍ଷେପ ନେଉଛନ୍ତି ନବୀନ ସରକାର। ୧୯୯୯ ମସିହାରୁ ୨୦୨୧ ଭିତରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖିଛି। ଫାଇଲିନ୍, ହୁଡ଼୍ ହୁଡ୍, ତିତଲି, ଫନି, ୟାସ୍‍, ଅମ୍ଫାନ, ଗୁଲାବ ଭଳି ବହୁ ବାତ୍ୟା ଆସିଥିଲେ ବି ତାହାର ସଫଳ ମୁକାବିଲା କରିପାରିଛି ଓଡ଼ିଶା। ଓଡ଼ିଶା ସରକାରଙ୍କ ବାତ୍ୟା ପରିଚାଳନା ଓ ଆବଶ୍ୟକ ପଦକ୍ଷେପ ପାଇଁ ସୁରକ୍ଷିତ ହୋଇପାରିଛି ଓଡ଼ିଶାବାସୀଙ୍କ ଧନଜୀବନ। ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା ପାଇଁ କେବଳ ଓଡ଼ିଶାରେ ନୁହେଁ କି ଭାରତରେ ନୁହେଁ ସମଗ୍ର ବିଶ୍ବରେ ସ୍ବତନ୍ତ୍ର ପରିଚୟ ଲାଭ କରିଛି ଓଡ଼ିଶା।

୧୯୯୯ ମହାବାତ୍ୟା ବଦଳାଇ ଦେଇଥିଲା ଉପକୂଳ ଓଡ଼ିଶାର ଭୌଗୋଳିକ ସ୍ଥିତି। ମହାବାତ୍ୟାର କରାଳ ଧ୍ବଂସଲୀଳା ବ୍ୟାପକ ଧନଜୀବନ ଉଜାଡ଼ି ଦେବାସହ ରାଜ୍ୟର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ପରେ ପରେ ଥଇଥାନ ଓ ପୁନଃନିର୍ମାଣର ଜୀବନମନ୍ତ୍ର ନେଇ ଓଡ଼ିଶାର ଭାଗ୍ୟ ଆକାଶରେ ଉଦିତ ନୂତନ ସୂର୍ଯ୍ୟ ସାଜି ପାଦ ଥାପି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ଦ୍ଦିନରେ ସଫଳ ନେତୃତ୍ବ ନେଇ ନବୀନ ସରକାର ପାଲଟିଛନ୍ତି ବିପର୍ଯ୍ୟୟ ପରିଚାଳନାର ମାଷ୍ଟର ପ୍ଲାନର

ନବୀନ ସରକାରଙ୍କ ଦୂରଦୃଷ୍ଟି ଓଡ଼ିଶାକୁ ଗତ ଦୁଇ ଦଶନ୍ଧି ମଧ୍ୟରେ ଆର୍ଥିକ ଦୁର୍ବଳ, ନିର୍ଭରଶୀଳ ଏବଂ ବିକାଶ ଦୃଷ୍ଟିରୁ ପଛୁଆ ଭାବେ ପରିଗଣିତ ରାଜ୍ୟରୁ ଦେଶର ନେତୃତ୍ବ ନେବା ଭଳି ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛି। ଯେଉଁ ଓଡ଼ିଶା ଦିନେ ଅନ୍ୟର ସହାୟତାକୁ ଚାହିଁ ରହୁଥିଲା, ସେହି ଓଡ଼ିଶା ଆଜି ଅନ୍ୟକୁ ବିପତ୍ତି ସମୟରେ ସାହାଯ୍ୟର ହାତ ବଢ଼ାଇବା ସହ ନିଜ ନେତୃତ୍ବର ପରାକାଷ୍ଠାକୁ ପ୍ରମାଣିତ କରି କରିଛି। ଏଥିସହ ଦେଶର ସାମଗ୍ରିକ ବିକାଶରେ ନିଜ ଉତ୍ତରଦାୟିତ୍ବକୁ ଯଥାର୍ଥରେ ପ୍ରତିପାଦିତ କରିଛି।

ବିପର୍ଯ୍ୟୟ ସୁପରିଚାଳନାରେ ପ୍ରାଥମିକ ଲକ୍ଷ୍ୟ ‘ମୃତ୍ୟୁ ସଂଖ୍ୟା ଶୂନ୍ୟ’ ଓ ‘ସର୍ବନିମ୍ନ କ୍ଷୟକ୍ଷତି’ର ରଣନୀତି ଅବଲମ୍ବନ କରିଛି ଓଡ଼ିଶା। ସୁରକ୍ଷିତ ସ୍ଥାନ ପାଇଁ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ, ବିପର୍ଯ୍ୟୟ ପରିଚାଳନା ନେଇ ପୂର୍ବ ପ୍ରସ୍ତୁତି, ପ୍ରଶାସନକୁ ଦାୟିତ୍ୱବାନ କରିବା, ଉଦ୍ଧାର କାର୍ଯ୍ୟରେ ନୂଆ କୌଶଳର ଉପଯୋଗ ଆଦି ଓଡ଼ିଶାର ବିପର୍ଯ୍ୟୟ ସୁପରିଚାଳନାକୁ ସୁଦୃଢ଼ କରିପାରିଛି। ଇତିମଧ୍ୟରେ କ୍ରମାଗତ ତିନିଟି ବଡ଼ ସାମୁଦ୍ରିକ ତୋଫାନ ସହ ଓଡ଼ିଶା ଛ’ଟି ବାତ୍ୟା, ୧୦ରୁ ଅଧିକ ବଡ଼ବନ୍ୟା ଓ ମରୁଡ଼ିର ସମ୍ମୁଖୀନ ହୋଇଛି। ୧୯୯୯ ମହାବାତ୍ୟାରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଗତ ଛ’ଟି ବାତ୍ୟାରେ ମୃତ୍ୟୁ ସଂଖ୍ୟା ନଗଣ୍ୟ ହୋଇପାରିଛି। ଫଳରେ ବାତ୍ୟାର ଭୟ ଏବେ ଓଡ଼ିଶା ବାସୀଙ୍କ ମନରୁ ଦୂରେଇ ଯାଇଛି।

ବିଶ୍ୱସ୍ତରରେ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବାରମ୍ବାର ପ୍ରଶଂସିତ ହୋଇପାରିଛି। ଓଡ଼ିଶାକୁ ଏବେ ବାତ୍ୟା ମୁକାବିଲାର ‘ମଡେଲ୍‍’ ଭାବେ ପରିଗଣିତ କରାଯାଉଛି। ଏହି ସଫଳତା ପାଇଁ ନବୀନ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, ଦିଗଦର୍ଶନ ପାଇଁ ସମ୍ଭବ ହୋଇପାରିଛି। କରୋନା ମହାମାରୀର ସମୟରେ ସଫଳ ବିପର୍ଯ୍ୟୟ ପରିଚାଳନା କରି ଓଡ଼ିଶା ଏବଂ ନବୀନ ସରକାର ବାତ୍ୟା ମୁକାବିଲା ନେଇ ଜାତିସଂଘରେ ପ୍ରଶଂସିତ ହୋଇପାରିଛନ୍ତି। ବିପର୍ଯ୍ୟୟ ମୁକାବିଲା ପାଇଁ କେମିତି ସଠିକ ପରିଚାଳନା, ସୁଚିନ୍ତିତ ଯୋଜନା ଏବଂ ପୂର୍ବ ପ୍ରସ୍ତୁତି କରାଯାଏ ତାହା ନବୀନ ପଟ୍ଟନାୟକଙ୍କ ସରକାର ଠାରୁ ଶିଖିବା କଥା ବୋଲି ଜାତିସଂଘର ବରିଷ୍ଠ ଅଧିକାରୀ କହିଛନ୍ତି। ପୂର୍ବରୁ ୨୦୧୩ ମସିହାରେ ଫାଇଲିନ୍ ବାତ୍ୟା ସମୟରେ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲାକୁ ଜାତିସଂଘ ପ୍ରଶଂସା କରିଥିଲା।

ବିପର୍ଯ୍ୟୟ ମୁକାବିଲା ପ୍ରତି ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମର ଅଂଶବିଶେଷ କରାଯିବା ନେଇ ଏବଂ ପ୍ରତି ସରକାରୀ କର୍ମଚାରୀଙ୍କୁ ତାଲିମ ଦିଆଯିବ ଏବଂ ସରକାରୀ ଚାକିରୀ ଓ ନିଯୁକ୍ତି ପାଇଁ ଏକ ବାଧ୍ୟତାମୂଳକ ବିଷୟ ନବୀନ ସରକାର ପଦକ୍ଷେପ ନେଇଛନ୍ତି। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ସମଗ୍ର ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିଛି ଓ ତାର ବିନ୍ଧାଣୀ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଅତ୍ୟୁକ୍ତି ହେବନି।

Leave A Reply

Your email address will not be published.

Close Bitnami banner
Bitnami